ସୁଜିତ ହତ୍ୟାକାଣ୍ଡ ଘଟଣା: ହତ୍ୟାକାରୀ ଫେରାର୍‌

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ କୁରୁମୁଣ୍‌ଡା ଛକ ପାଖରେ ସୋମବାର ସଂଧ୍ୟାରେ ରାଜନୈତିକ ସଂଘର୍ଷ ଘଟି ଶରଧାପାଲିର ସୁଜିତ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇ ସୋନପୁର ଡାକ୍ତରଖାନାରେ ଏବେ ବି ଚିକିତ୍ସିତ ହେଉଛନ୍ତି। ତେବେ ହତ୍ୟାକାରୀମାନଙ୍କୁ ଗିରଫ କରାଯାଇ ପାରି ନାହିଁ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଶରଧାପାଲି ଗ୍ରାମର ପ୍ରବୀଣ ପ୍ରଧାନ, ସୁଜିତ ପ୍ରଧାନ, ଶ୍ରଦ୍ଧାକର ରାଜହଂସ, ଦଶରଥ ପ୍ରଧାନ ଓ ଜନାର୍ଦ୍ଦନ ସେଠୀ ପ୍ରମୁଖ ଶଗଡ଼ା ଚୁନଭାଟିକୁ ଯାଇଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ ନେଇ କୁରୁମୁଣ୍ଡାର ସୁବ୍ରତ କର୍ମୀ, ଶେଷଦେବ କର୍ମୀ, ନକୁଳ ମଲ୍ଲିକ, ସୁଶିଳ ମଲ୍ଲିକ, ବରଗୋଚ୍ଛା ଗ୍ରାମର ଅବିନାଶ ସାହୁ, କଅଁରପଡ଼ା ଗ୍ରାମର ସୁବାସ କର୍ମୀ, ଗଣ୍ଡେଶ୍ୱର କର୍ମୀ, ସୁନୀଲ ସାହୁ, କପିଳେଶ୍ୱର କର୍ମୀ ସଂଘବଦ୍ଧ ଆକ୍ରମଣ କରି ସୁଜିତ ପ୍ରଧାନ, ଶ୍ରଦ୍ଧାକର ରାଜହଂସ ଓ ଦଶରଥ ପ୍ରଧାନଙ୍କୁ ମାରଣାସ୍ତ୍ର ଓ ବାଡ଼ିରେ ପିଟିଥିଲେ।

ଫଳରେ ଘଟଣାସ୍ଥଳରେ ସୁଜିତ ଟଳି ପଡ଼ିଥିବା ବେଳେ ଶ୍ରଦ୍ଧାକରର ମୁଣ୍ଡ ଏବଂ ଦଶରଥଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିଲେ ମଧ୍ୟ ସେମାନେ ଜୀବନବିକଳରେ ଦୌଡ଼ି ପଳାଇଥିଲେ। ପରେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସୁଜିତଙ୍କୁ ସୋନପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସୁଜିତଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସୁଜିତଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରବର୍ଗକୁ ହସ୍ତାନ୍ତର କରିଥିଲା। ଶ୍ରଦ୍ଧାକର ଓ ଦଶରଥ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ସୁଜିତର ବଡ଼ଭାଇ ପ୍ରବୀଣ ପଧାନ ଗତକାଲି ରାତିରେ ଏହି ଘଟଣା ସଂପର୍କରେ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ କରୁଛି। ହତ୍ୟାକାରୀମାନେ ଫେରାର ଥିବା ବେଳେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ହତ୍ୟାକାରୀ ଧରାପଡ଼ିଲେ ଅସଲ ରହସ୍ୟ ଜଣାପଡ଼ିବ ବୋଲି ମନମୁଣ୍ଡା ଥାନା ଆଇଆଇସି ଉମାକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର