ସୁଟାଣି ଓ ଟଙ୍ଗିଆନିଶା ଘାଟି ରାସ୍ତାରେ ସୁରକ୍ଷା ଦାବି:କଣ୍ଟାମାଳ ଥାନା ଆଗରେ ବିକ୍ଷୋଭ

ଘଣ୍ଟାପଡ଼ା: ବାଲନ୍ଦାପଡ଼ାର ସୁଟାଣି ଘାଟି ଓ ନାରାୟଣପ୍ରସାଦର ଟଙ୍ଗିଆନିଶା ଘାଟିରେ ଗତ ଏକ ମାସ ହେଲା ହତ୍ୟା, ଲୁଣ୍ଠନ, ଚୋରି, ରାହାଜାନି ଆଦି ଅପରାଧ ବଢ଼ି ଚାଲିଛି। ତଥାପି କଣ୍ଟାମାଳ ଥାନା ପୁଲିସ କୌଣସି ଠୋସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି। ଏହି ଘାଟି ରାସ୍ତାରେ ସୁରକ୍ଷା ଦାବି କରି ଶୁକ୍ରବାର ବୌଦ୍ଧ ଜିଲ୍ଲା ନାରାୟଣପ୍ରସାଦ ପଞ୍ଚାୟତ ସମେତ ଫୁଲବାଣୀ ଜିଲ୍ଲାର ୫ଟି ପଞ୍ଚାୟତର ଜନସାଧାରଣ କଣ୍ଟାମାଳ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମସ୍ୟାର ସମାଧାନ ପାଇଁ ଏସ୍‌ପିଙ୍କ ଉଦ୍ଦେଶ୍ୟରେ କଣ୍ଟାମାଳ ଆଇଆଇସିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପାଟ୍ରୋଲିଂ କଡ଼ାକଡ଼ି କରି ଅପରାଧୀମାନଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ।
ଶୁକ୍ରବାର ଦିନ ୧୦ଟା ସମୟରେ ପଡ଼ୋଶୀ ଫୁଲବାଣୀ ଜିଲ୍ଲା ବାଲନ୍ଦାପଡ଼ା ପଞ୍ଚାୟତର ସରପଞ୍ଚ ପ୍ରଦୀପ ନାଏକଙ୍କ ନେତୃତ୍ବରେ ଶତାଧିକ ଲୋକ କଣ୍ଟାମାଳ ଥାନା ସମ୍ମୁଖରେ ପହଞ୍ଚିଥିଲେ। ଘାଟି ରାସ୍ତାର ସୁରକ୍ଷା କରିବା ସହିତ ବିଗତ ଦିନମାନଙ୍କରେ ହୋଇଥିବା ଲୁଟ ଓ ହତ୍ୟା ଘଟଣାର ପର୍ଦାଫାସ କରିବାକୁ ଦାବି କରିଥିଲେ। ଘାଟି ରାସ୍ତାରେ ପାଟ୍ରୋଲିଂ ବ୍ୟବସ୍ତା କଡ଼ାକଡ଼ି କରିବାକୁ ମଧ୍ୟ ଦାବି କରିଥିଲେ। ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାର ବାଲନ୍ଦାପଡ଼ା, ଲୁଇସିଂ, ପାହିରାଜୁ ପଞ୍ଚାୟତର ଜନସାଧାରଣ ବ୍ୟବସାୟିକ, ସ୍ବାସ୍ଥ୍ୟସେବା ତଥା ଅନ୍ୟ ବିଷୟରେ କଣ୍ଟାମାଳ ଉପରେ ନିର୍ଭର କରି ଆସୁଛନ୍ତି। ଘାଟି ରାସ୍ତା ଅସୁରକ୍ଷିତ ହୋଇ ପଡ଼ିବା ଫଳରେ ଭୟରେ ରାସ୍ତାଟି ଜନଶୂନ୍ୟ ହୋଇ ପଡ଼ିବା ସହ ସବୁ କାର୍ଯ୍ୟ ଠପ୍‌ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର