୬ ଜଣ ଲୋକ ମିଶି ବୃଦ୍ଧଙ୍କୁ ମାଡ଼ ମାରି ପୋଲ ତଳେ ଫିଙ୍ଗି ଦେଇଥିବା ଅଭିଯୋଗ

ବୌଦ୍ଧ: ବୃଦ୍ଧଙ୍କୁ ପିଟିଲେ, ହାତ ଗୋଡ ଭାଙ୍ଗି ପୋଲ ତଳେ ଫିଙ୍ଗିଦେଇ ଗଲେ । ଏଭଳି ଅଭାବନୀୟ ଚିତ୍ର ଆସିଛି ବୌଦ୍ଧ ଜିଲ୍ଲାରୁ । ମନମୁଣ୍ଡା ବ୍ଲକ ଗୁଡିଆଳି ଗାଁର ବୃଦ୍ଧ ଜଗନ୍ନାଥ ଦାସଙ୍କୁ ପ୍ରାୟ ୬ ଜଣ ଲୋକ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଜଗନ୍ନାଥ କୌଣସି କାମରେ କୁଣ୍ଡିପଦର ଗାଁକୁ ଆସିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏପିରିକି ଆକ୍ରମଣକାରୀ ପ୍ରବଳ ମାଡ ମାରିବା ସହ ତାଙ୍କ ଗୋଡ ଓ ଅଂଟାକୁ ଭାଙ୍ଗି ଦେଇଥିଲେ । ଏଥିରେ ଗାଁ ଲୋକ ହସ୍ତକ୍ଷେପ କରିବା ସହ ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ହସ୍ପିଟାଲ ନେବା ପାଇଁ କହିଥିଲେ ।

ପରେ ଆକ୍ରମଣକାରୀଙ୍କ ଭିତରୁ ୨ ଜଣ ତାଙ୍କୁ ଏକ ବାଇକରେ ଲଦି ନେଇଥିଲେ । ସାଂଘାତିକ କଥା ହେଉଛି, ତାଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ରାସ୍ତାରେ ଏକ ପୋଲ ତଳେ ଫିଙ୍ଗି ଚାଲି ଯାଇଥିଲେ । ସଂଧ୍ୟାରେ କେହି ବ୍ୟକ୍ତି ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ଜଗନ୍ନାଥଙ୍କୁ ଉଦ୍ଧାର କରି ପ୍ରଥମେ ସୋନପୁର ଡାକ୍ତରଖାନା ଓ ପରେ ବୁର୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜଗନ୍ନାଥଙ୍କୁ ବାଇକରେ ଲଦି ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନମୁଣ୍ଡା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବା କହିଛନ୍ତି ଆଇଆଇସି ଗୋପିନାଥ ପ୍ରଧାନ ।

ସମ୍ବନ୍ଧିତ ଖବର