ଦାଦାବଟି ଅସୁଲି ଅଭିଯୋଗରେ ୩ ଗିରଫ

ତରଭା: ରାତିରେ ରାସ୍ତାରେ ଯାଉଥିବା ଟ୍ରକ୍‌ମାନଙ୍କୁ ଅଟକାଇ ଦାଦାବଟି ଅସୁଲ କରୁଥିବା ୩ ଜଣ ଯୁବକଙ୍କୁ ତରଭା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବଲାଙ୍ଗୀର-ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀରଠାରୁ ୨୨ କିଲୋମିଟର ଦୂର ବଇରାସର-ଶିବତୁଲା ବୁଲାଣିଠାରେ କିଛି ଯୁବକ ରାତିରେ ଯିବାଆସିବା କରୁଥିବା ଟ୍ରକ୍‌ମାନଙ୍କୁ ଅଟକାଇ ଦାଦାବଟି ଅସୁଲି କରୁଥିବା ଅଭିଯୋଗ ହେଉଥିଲା। ୫ ତାରିଖ ରାତି ୧୨ଟାରେ ପେଟ୍ରୋଲିଂ କରୁଥିବା ତରଭା ପୁଲିସ ଜାତୀୟ ରାଜପଥରେ କିଛି ଯୁବକ ଦାଦାବଟି ଅସୁଲି କରୁଥିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ। ଶିବତୁଲା ବୁଲାଣିର ନିକଟରେ ନିଶାଶକ୍ତ ଅବସ୍ଥାରେ ଥିବା ତରଭା ନୂଆପଡ଼ାର ଅବିନାଶ ନାଏକ(୨୩) ବଇରାସର ତଳିପଡ଼ାର ରାଜେନ୍ଦ୍ର ଦଳବେହେରା (୧୯) ଓ ସୁଶିଳ କଠାର (୧୯)କୁ ଧରିଥିଲେ। ଏମାନଙ୍କ ନିକଟକୁ ଗୋଟିଏ ଖଣ୍ଡା, ଗୋଟିଏ ଲୁହାରଡ଼ ଓ ନଗଦ ୧୨୫୦ ଟଙ୍କା ବାହାରିଥିଲା। ଯାହାକୁ ପୁଲିସ ଜବତ କରିଛି। ଚଢ଼ଉରେ ଏସ୍‌ଆଇ ବି.ଦେହୁରୀ, ପି.କେ. ଦାଶ, ଏଏସ୍‌ଆଇ ସିଆର୍‌ ମହାନନ୍ଦିଆ, ହୋମଗାର୍ଡ ବି.କେ. ସାହୁ, ଏଲ୍‌ଆର୍‌ ପ୍ରଧାନ ଓ ଡ୍ରାଇଭର ଆର୍‌. ସରଭଙ୍ଗ ସାମିଲ ଥିଲେ। ଏ ନେଇ ତରଭା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର