ଗର୍ଭନଷ୍ଟ ପରେ ପ୍ରତାରଣା, ପ୍ରେମିକ ଫେରାର:ନ୍ୟାୟ ପାଇଁ ପୀଡ଼ିତାଙ୍କ ଗୁହାରୀ

ମନମୁଣ୍ଡା: ପ୍ରଥମେ ପ୍ରେମ, ତା’ପରେ ଦୈହିକ ସଂପର୍କ। ପ୍ରେମିକା ଗର୍ଭବତୀ ହେଲା ପରେ ମିଠା ମିଠା କଥା କହି ଭୁଲାଇ ଗର୍ଭନଷ୍ଟ କଲା ପରେ ପ୍ରତାରଣା କରି ପ୍ରେମିକ ଫେରାର ମାରିବା ଘଟଣା ମନମୁଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାରଡୋଲ ଗ୍ରାମର ହରିହର ନାଏକଙ୍କ ପୁଅ ରାଜୀବ ନାଏକ (୨୫) ଗତ ୨୦୧୫ ମସିହା ଅଗଷ୍ଟ ମାସରେ ଭୁବନେଶ୍ୱର ଯାଇ ପଟିଆରେ ଥିବା ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ସେହି ରେଷ୍ଟୁରାଣ୍ଟର ଜଣେ ମହିଳା କର୍ମଚାରୀଙ୍କ ସହ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା।

ଉଭୟ ବିବାହ ନକରି ମଧ୍ୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ଏକତ୍ର ରହୁଥିଲେ। ଯୁବତୀ ଜଣକ ଗର୍ଭବତୀ ହେଲା ପରେ ତାକୁ ରାଜୀବ ବିବାହ କରି ଖୁସିରେ ଘର ସଂସାର କରିବାକୁ ଭୁଲାଇ ତା’ର ଗର୍ଭପାତ କରାଇଥିଲା। ତା’ପରେ କଂପ୍ୟୁଟର ଶିକ୍ଷା ଲାଭ କରି ଚାକିରି କରିବି ବୋଲି ମିଛ କହି ଘରକୁ ଚାଲିଆସି ସୋନପୁରର ଏକ ରେଷ୍ଟୁରାଣ୍ଟରେ କାମ କରିଥିଲେ। କିନ୍ତୁ ପ୍ରେମିକା ସହିତ ଫୋନ୍‌ରେ ସଂପର୍କ ରଖି ପ୍ରେମିକାକୁ ସୋନପୁର ଡାକି କଲେଜ ପାଖରେ ଥିବା ଜଣେ ମାଉସୀଙ୍କ ଘରେ ଦିନେ ଦୁଇଦିନ ରଖି ପୁଣି ଭୁବନେଶ୍ୱର ଛାଡ଼ି ଦେଉଥିଲା। କଂପ୍ୟୁଟର ବିଷୟରେ ପଚାରିଲେ ଆମ ପାଇଁ ଡିହ ଓ ଘରର ଆବଶ୍ୟକ ଥିବାରୁ ଟଙ୍କା ପାଇଁ ପୁଣି ରେଷ୍ଟୁରାଣ୍ଟରେ କାମ କରୁଛି ବୋଲି କହି ଭୁଲାଇ ଦେଉଥିଲା। କିନ୍ତୁ ମାର୍ଚ୍ଚ ୪ ତାରିଖ ଦିନ ରାଜୀବ ଖାରୀ ଅଞ୍ଚଳର ଏକ କଲେଜ ପଢ଼ୁଆ ଝିଅକୁ ଧରି ଫେରାର ମାରିଥିଲା। ଏ ନେଇ ରେଷ୍ଟୁରାଣ୍ଟର ମାଲିକ ରାଜୀବ କାଳେ ଭୁବନେଶ୍ୱର ଯାଇଥିବ ଭାବି ତା’ର ପ୍ରେମିକାକୁ ଫୋନ୍‌ କରି ବୁଝିଥିଲା।

ମାତ୍ର ରାଜୀବ ଆସିନଥିବା ନେଇ ପ୍ରେମିକା କହିଥିଲା। ୩ ଦିନ ପରେ ରାଜୀବ କଲେଜ ଛାତ୍ରୀକୁ ଛାଡ଼ି ଦେଇ ସୋନପୁର ଥାନାରେ ଝିଅର ବାପାଙ୍କ ସହିତ ମାମଲା ରଫାଦଫା କରିଥିଲା। ଏ ବିଷୟ ଜାଣିପାରି ଗତ ୨୪ ତାରିଖ ଦିନ ପୀଡ଼ିତା ଭୁବନେଶ୍ୱରରୁ ଆସି ବାରଡୋଲସ୍ଥିତ ରାଜୀବର ଘରକୁ ଯାଇଥିଲା। ଗାଁର କେତେକ ସଚେତନ ଲୋକ ଏ ବିଷୟରେ ମନମୁଣ୍ଡା ଥାନା ଅଧିକାରୀ ଜଣାଇଥିଲେ। ଥାନା ଅଧିକାରୀ ରାଜୀବଙ୍କ ବାପା, ମାଆଙ୍କୁ ବୁଝାଇ ଉକ୍ତ ଝିଅକୁ ଘରେ ରଖି ଫେରାର ପୁଅକୁ ଖୋଜି ଆଣିବା ସହିତ ବିବାହ କରାଇବାକୁ ପରାମର୍ଶ ଦେଇଥିଲେ। ଆଜିକୁ ୪ ଦିନ ହେବ ପୀଡ଼ିତା ରାଜୀବକୁ ଅପେକ୍ଷା କରି ରାଜୀବ ଘରେ ରହିଛି। ପୀଡ଼ିତାଙ୍କ କହିବାନୁସାରେ ଘର ନିର୍ମାଣ ପାଇଁ ତାଙ୍କଠାରୁ ୩୦ ହଜାର ଟଙ୍କା ମଧ୍ୟ ନେଇଛି। ବର୍ତ୍ତମାନ ପୀଡ଼ିତା ବାରଡୋଲସ୍ଥିତ ରାଜୀବ ଘରେ ରହିଥିବା ବେଳେ ରାଜୀବକୁ ପାଇ ଘର ସଂସାର କରିବାକୁ ଅଡ଼ି ବସିଛି।

କିନ୍ତୁ ଅନ୍ୟ ଜଣେ କଲେଜ ଛାତ୍ରୀକୁ ଧରି ରାଜୀବ ଫେରାର ମାରିବା ଘଟଣା ତାଙ୍କୁ ଅନେକ ଦୁଃଖ ଦେଇଥିବା ପ୍ରକାଶ କରିଛନ୍ତି। ଭଲ ମାନି ନେଇ ଯଦି ରାଜୀବ ବିବାହ ନକରେ ତେବେ ଆଇନର ଆଶ୍ରୟ ନେଇ ମହିଳା କମିସନରଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରେମିକା ଚେତାବନୀ ଦେଇଛି। ରାଜୀବଙ୍କ ବାପା ହରିହର ଓ ମାଆ ହେମ ପୀଡ଼ିତାଙ୍କୁ ଆଶ୍ୱାସନା ଦେଇ ଘରେ ରଖିଛନ୍ତି। ରାଜୀବଙ୍କ ବାପା ହରିହର ରାଜୀବକୁ କୁଆଡ଼େ ଖୋଜିବି ମୁଁ ଜାଣିପାରୁ ନାହିଁ ବୋଲି କହିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ରାଜୀବ କେଉଁଠି ଅଛି ପରିବାର ଲୋକ ଜାଣିଛନ୍ତି ଏବଂ ବାପାମାଆଙ୍କୁ ଘର ଛାଡ଼ି ପଳାଇଲେ ପୀଡ଼ିତା ଆପେ ଭୁବନେଶ୍ୱର ପଳାଇବ ବୋଲି ରାଜୀବ କହିଥିବା ଗାଁରେ ଚର୍ଚ୍ଚା ହେଉଛି। ଏ ବିଷୟରେ ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କୁ ପଚାରିବାରୁ ତାଙ୍କ ବାପା ରାଜୀବକୁ ଖୋଜି ଆଣିଲା ପରେ ଉଭୟଙ୍କୁ ବିବାହ କରିବାକୁ କୁହାଯିବ, ନମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର