ଅନ୍ଧାରରେ ରହିଯାଉଛି ଆଲୋକବର୍ତ୍ତିକା ମହିମା ଆଦ୍ୟପୀଠ, ବିକାଶ ପ୍ରତି ସରକାରୀ ସ୍ତରରେ ଉଦ୍ୟମ ପାଇଁ ସ୍ଥାନୀୟ ଲୋକଙ୍କ ଦାବି
ବୌଦ୍ଧ: ମହିମା ଧର୍ମକୁ ଏକ ବୈପ୍ଲବିକ ଗଣଧର୍ମ ଭାବେ ଇତିହାସରେ ଅବିହିତ କରାଯାଇଛି। ଓଡିଶାରୁ ଉତ୍ପତି ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚାର ଓ ପ୍ରସାର ହୋଇଛି। ଆସାମ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶରେ ମହିମା ଧର୍ମ ପ୍ରତିଷ୍ଠିତ ହୋଇଛି। ଧର୍ମାଲମ୍ବି, ଗୁରୁ ସେହି ସ୍ଥାନମାନଙ୍କରେ ଆଶ୍ରମ କରି ଧର୍ମର ମୂଳବାଣୀକୁ ସମାଜର ମଙ୍ଗଳ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ସବୁ ବେଳେ ଲୋକଙ୍କୁ ଦେଇ ଆସୁଛନ୍ତି। ମାତ୍ର ଯେଉଁ ଠାରୁ ଏହି ଆଲୋକବର୍ତ୍ତିକାର ସୃଷ୍ଟି ବୌଦ୍ଧ ଜିଲ୍ଲାର ସେହି ସ୍ଥାନ ବଲାସିଙ୍ଗା ମନ୍ଦିର ଓ ମହୁଳ ମୂଳ ବର୍ତ୍ତମାନ ସରକାରଙ୍କ ଅଣଦେଖା କାରଣରୁ ଅନ୍ଧାର ମଧ୍ୟରେ ନିଜର ଅସ୍ଥିତ୍ବ ହରାଇବାକୁ ବସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହିମା ଧର୍ମ ଗବେଷକ ଏବଂ ଏତିହାସିକମାନେ ପୂର୍ବରୁ ଏ ସଂକ୍ରାନ୍ତିୟ ତଥ୍ୟ ରଖି ଆସିଛନ୍ତି ଯେ, ମହିମା ଧର୍ମର ସଂସ୍ଥାପକ ମହିମା ଗୋସାଇଁଙ୍କ ଜନ୍ମ ବୌଦ୍ଧ ଜିଲ୍ଲାରେ। ଯାହାଙ୍କ ପୂର୍ବ ନାମ ମୁକୁନ୍ଦ ମିଶ୍ର। ବୈଷ୍ଣବ ଦୀକ୍ଷା ଗ୍ରହଣ ପରେ ସେ ଦାସ ସଂଜ୍ଞା ଗ୍ରହଣ କରିଥିଲେ। ବୌଦ୍ଧ ସହରଠାରୁ ମାତ୍ର ୬ କିଲୋମିଟର୍ ଦୂରରେ ଥିବା ବୌଦ୍ଧ ବ୍ଲକ୍ ବଲାସିଙ୍ଗାରେ ତାଙ୍କ ଆଶ୍ରମ ରହିଥିଲା। ୧୮୨୬ ଖ୍ରୀଷ୍ଟାବ୍ଦରେ ମୁକୁନ୍ଦ ବାବାଙ୍କ ନିଗୁର୍ଣବାଦ ଯୁକ୍ତିରେ ସେ ସେହି ସମୟରେ ପୁରୀ ମୁକ୍ତିମଣ୍ଡପ ସଭାରେ ଏକମତ ହୋଇନଥିଲେ। ପରେ ବାବା କପିଳାସ ଠାରେ ସାଧନା କରି ସିଦ୍ଧି ଲାଭ କରିଥିଲେ ଏବଂ ମହିମା ଧର୍ମର ପ୍ରତିଷ୍ଠା କରିଥିଲେ।
ପରବର୍ତ୍ତୀ ସମୟରେ ସେ ବୌଦ୍ଧର ବଲାସିଙ୍ଗାଠାରେ ବୈଷ୍ଣବ ଜଗନ୍ନାଥ ଦାସଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ। ଉକ୍ତ ସ୍ଥାନଟି ପବିତ୍ର ମହୁଲ ମୂଳ ଭାବେ ଆଜି ମଧ୍ୟ ପୂଜିତ। ଦିକ୍ଷୀତ ହେବା ପରେ ଜଗନ୍ନାଥ ଦାସଙ୍କ ନାମ ଗୋବିନ୍ଦ ଦାସ ରହିଥିଲା। ମହିମା ଗୋସ୍ବାଇଁଙ୍କର ଦ୍ବିତୀୟ ଦକ୍ଷୀତ ଥିଲେ ସନ୍ଥ କବି ଭୀମ ଭୋଇ। ତେବେ ବଲାସିଙ୍ଗାଠାରେ ମହିମା ଆଶ୍ରମ ଓ ମହୁଳ ମୂଳ ରହିଥିବା ବେଳେ ବଲାସିଙ୍ଗା ଗାଁ ମଧ୍ୟ ଭାଗରେ ଏକ ମନ୍ଦିର ରହିଛି। ଯେଉଁଠି ଗୋବିନ୍ଦ ବାବାଙ୍କ ଜଟ ସମାଧି ଭାବେ ପୂଜାର୍ଚ୍ଚନା କରାଯାଉଛି। ଏହି ପୀଠ ସଂପର୍କରେ ଅଲେଖ ପୂରାଣରେ ବର୍ଣ୍ଣନା ଉଲ୍ଲେଖ କରାଯାଇଛି। ମହିମାଙ୍କ ଆଦ୍ୟ ପୀଠ ବଲାସିଙ୍ଗା, ମହୁଳମୂଳ ଓ ଜଟସମାଧି ମନ୍ଦିରର ସୁରକ୍ଷା ଓ ସେହି ସ୍ଥାନଗୁଡ଼ିକର ବିକାଶ ପ୍ରତି ସରକାରୀ ସ୍ତରରେ ଉଦ୍ୟମ କରାଗଲେ ଏହାର ପ୍ରଚାରପ୍ରସାର ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି।