ମଦ ଉଜାଡ଼ିଦେଲା ସଂସାର; ନବବିବାହିତା ମଥାରୁ ଲିଭିଗଲା ସିନ୍ଦୂର, ୧୦୦ ଟଙ୍କା ପାଇଁ ଜୀବନ ହାରିଲେ ଦାଦନ

ବୁଗୁଡ଼ା: ମଦ ଉଜାଡ଼ିଦେଲା ସଂସାର। ନବବିବାହିତାର ମଥାର ସିନ୍ଦୂର ଲିଭିଯାଇଥିବା ବେଳେ ରୋଜଗାରିଆ ପୁଅକୁ ହରାଇଲେ ବାପାମାଆ। ମାତ୍ର ୧୦୦ ଟଙ୍କା ପାଇଁ ଜୀବନ ହାରିଲେ ଦାଦନ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ଗୋଲିଆ ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ଘରେ ବେକରେ ରଶି ଲଗାଇ ନୂଆବନ୍ଧ ସାହିର ଭାସ୍କର ପଲେଇଙ୍କ ମଝିଆ ପୁଅ ନିରାକାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ନିରାକାର ମାତ୍ର ୩ ମାସ ତଳେ ପୋଲସରା ଥାନା ଅଧୀନ ଗୋଠଳି ଗ୍ରାମର ରବି ପ୍ରଧାନଙ୍କ ଝିଅ ରଶ୍ମିତାଙ୍କୁ ବିବାହ କରିଥିଲେ। ବାପା ଭାସ୍କର ହାଇଦ୍ରାବାଦରେ ଦାଦନ ଖଟୁଥିବା ବେଳେ ନିରାକାର ବି ମୁମ୍ବାଇରେ କାମ କରୁଥିଲେ। କିଛି ମାସ ତଳେ ଛୁଟି‌ରେ ଘରକୁ ଆସିଥିଲେ। ତେବେ ପ୍ରତିଦିନ ମଦ ପିଇବା ଖରାପ ଅଭ୍ୟାସ ଥିଲା। ଏହାମଧ୍ୟରେ ନିରାକାର ପୁଣି ମୁମ୍ବାଇ ଯିବାକୁ ରେଳ ଟିକଟ୍‌ କରିସାରିଥିବା ବେଳେ ଗତକାଲି ଅପରାହ୍‌ଣରେ ଶ୍ବଶୁର ଘରୁ ଫେରିଥିଲେ।

ନିରାକାର ଆଜି ସକାଳ ପ୍ରାୟ ୮ଟାରେ ମଦ ପିଇବା ଲାଗି ନିରାକାର ପତ୍ନୀଙ୍କୁ ୧୦୦ ଟଙ୍କା ମାଗିଥିଲେ। ତେବେ ପତ୍ନୀ ଏଥିପାଇଁ ମନା କରିବାରୁ ନିରାକାର ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ମାଆ ବିଲକୁ ଯାଇଥିବା ଘରେ କେବଳ ଦୁଇ ଯାଆ ଥିଲେ l ଏହି ସମୟରେ ନିରାକାର ଏକ କୋଠରିକୁ ଯାଇ କବାଟ ବନ୍ଦ କରବା ସହ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ନିରାକାରଙ୍କୁ ପରିବାର ଲୋକେ ତୁରନ୍ତ ବୁଗୁଡ଼ା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ l ନିରାକାର ପ୍ରତିଦିନ ମଦ୍ୟପାନ କରୁଥିବା ବେଳେ ଆଜି ମଦ ପାଇଁ ଟଙ୍କା ନ ମିଳିବାରୁ ଆତ୍ମହତ୍ୟା କରିଥିବା ମାଆ ନିଶା ପଲେଇ କହିଛନ୍ତି l ଏନେଇ ବୁଗୁଡ଼ା ଥାନାରେ କେସ୍‌ ନମ୍ବର ୧୧ ଅନୁସାରେ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର