କରୋନା କଟକଣାରେ ସରୁନି ଦାଦନ ଯନ୍ତ୍ରଣା: ବାପା ମୃତ୍ୟୁ ଖବର ପାଇ ହିଞ୍ଜିଳିରୁ ଚାଲି ଚାଲି ଯାଉଥିଲେ ବଲାଙ୍ଗୀର

ପ୍ରଶାସନ ଓ ପୁଲିସ୍ ହସ୍ତକ୍ଷେପରେ ଘରକୁ ଗଲେ ବଳରାମ

ଭଞ୍ଜନଗର: କରୋନା ମହମାରୀ ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରି ପକାଇଛି।ବିଗତ ବର୍ଷ କରୋନା ରାସ୍ତା ଉପରେ ଶ୍ରମିକ ମାନଙ୍କ କରୁଣ ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳିଥିଲା। ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପରେ କଟକଣା କୋହାଳ ହୋଇଥିଲା ପୁଣି ଭିଟାମାଟିରୁ କର୍ମକ୍ଷେତ୍ରକୁ ଶ୍ରମିକ ମାନେ ଲେଉଟିଥିବା ବେଳେ ଦ୍ବିତୀୟ ଲହର ପୁଣି କାଳ ସାଜିଛି। କଟକଣା ପାଇଁ ଗତବର୍ଷ ଭଳି କାମ ବନ୍ଦ ହୋଇନଥିଲେ ମଧ୍ୟ କଟକଣା ପାଇଁ ଘରକୁ ଆଉ ସହଜରେ ଫେରି ପାରୁନାହାନ୍ତି। ଏଭଳି ଜଣେ ଦାଦନ ଶ୍ରମିକ ନିଜ ପରିବାର ପ୍ରତିପୋଷଣ ପାଇଁ ଘର ଠାରୁ ବହୁ ଦୂରରେ ରହୁଥିବା ବେଳେ ନିଜ ବାପାଙ୍କ ମୃତ୍ୟୁ ଖବର ପାଇ ମଧ୍ୟ ସହଜରେ ଘରକୁ ଫେରିପାରିନଥିଲେ। ଶେଷରେ ଚାଲି ଚାଲି ଯିବା ପାଇଁ ନିଷ୍ପତି ନେଇଥିଲେ ମଧ୍ୟ ଦୀର୍ଘ ବାଟ ଆସିବା ପରେ ଆଉ ଚାଲି ଯିବାକୁ ସାହାସ ଜୁଟାଇ ପାରିନଥିଲେ। ଶେଷରେ ପ୍ରଶାସନ ଓ ପୁଲିସ୍ ନିକଟରେ ଖବର ପହଞ୍ଚିବା ପରେ ତାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରାଯାଇଛି।

ସୁଦୂର ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା କୁଟ୍କେଲଚୁଆଁ ଗ୍ରାମର କୃଷ୍ଣ ସଗଡ଼ିଆଙ୍କ ପୁଅ ବଳରାମ ଶଗଡ଼ିଆ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନ ବୁରୁପଡା ଠାରେ ରହି ଏକ ଇଟାଭାଟିରେ କାମ କରୁଥିଲେ। ସେଠାରେ ସେ ଗତବର୍ଷ ଡିସେମ୍ବର ମାସରୁ ରହୁଥିବା ବେଳେ ଯାହା ଟଙ୍କା ରୋଜଗାର କରିଥିଲେ ଗତମାସରେ ଭଉଣୀ ବାହାଘର ପାଇଁ ଘରକୁ ପଠାଇଥିଲେ। ଗତକାଲି ଭୋର୍ ସମୟରେ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ତାଙ୍କ ପାଖକୁ ଆସିବା ପରେ ସେ ଘରକୁ ଯିବା ପାଇଁ ମାଲିକକୁ କହିଥିଲେ। ତେବେ ତାଙ୍କ ନିକଟରେ ଅଧିକା ଟଙ୍କା ନଥିବାରୁ ସେ କିଛି ଟଙ୍କା ମାଲିକକୁ ମାଗିଥିଲେ ।

ଗତମାସରେ ସବୁ ଟଙ୍କା ନେଇଥିବାରୁ ମାଲିକ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ସେଥିରେ ସେ ନିରୁପାୟ ହୋଇ ବାପାଙ୍କ ମୃତ୍ୟୁ ଖବରରେ ବିବ୍ରତ ହୋଇ ଅନ୍ତେଷ୍ଟ୍ରିକ୍ରିୟାରେ ଯୋଗଦେବା ପାଇଁ ଚାଲି ଚାଲି ଯିବା ପାଇଁ ବାହାରିଥିଲେ। ସେଠାରୁ ସେ କିଛି ବାଟ ଲିଫ୍ଟ ମାଗି ଆସିଥିଲେ ଆସିକା । ଆସିକାରୁ କିଛି ବାଟ ଆସିବା ପରେ ପୁଣ ଏକ ଗାଡିରେ କିଛି ବାଟ ଆସିବା ପରେ ଚାଲିଚାଲି ଅପରାହ୍ନରେ ସେ ଭଞ୍ଜନଗର ଠାରେ ପହଞ୍ଚିଥିଲେ। ସେଠାରୁ ଆଉ ଚାଲି ଚାଲି ଯିବା ପାଇଁ ସାହାସ ଜୁଟାଇ ପାରିନଥିଲେ। ସହାୟତା ପାଇଁ କିଛି ଲୋକଙ୍କୁ ନିବେଦନ କରିଥିବା ବେଳେ ସ୍ବେଚ୍ଛାସେବୀ ମନୋଜ ମିଶ୍ର ତାଙ୍କର ଖାଇବା ବ୍ୟବସ୍ଥା କରିଥିଲେ। ସାମ୍ବାଦିକ ନିଲୁ ବିଷୋୟୀ,ବିଶ୍ବମ୍ବର ଜେନା ସମେତ କିଛି ଗଣମାଧ୍ୟମ ପ୍ରତିନିଧି ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆର୍କଷଣ କରିବା ସହ ବଳାରାମଙ୍କୁ ନେଇ ଥାନକୁ ଯାଇଥିଲେ। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ବଲାଙ୍ଗିର ଆଡୁ ଆସୁଥିବା ପରିବା ଗାଡ଼ି ସହ ଯୋଗାଯୋଗ କରି ଘରକୁ ପଠାଇବା ବ୍ୟବସ୍ଥା କରିଛନ୍ତି। ପୁଲିସ୍ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଯୋଗୁ ସେ ଘରକୁ ଯିବାର ସୁଯୋଗ ପାଇଥିବାରୁ ବଳରାମ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧିତ ଖବର