ବର୍ଷାରେ ଭାଙ୍ଗିଲା ସୁରକ୍ଷା କାନ୍ଥ

ଯାଜପୁରସଦର: ଅସରାଏ ବର୍ଷାରେ ପ୍ରାୟ ୩ ଲକ୍ଷ ଟଙ୍କାର ପୋଖରୀ ସୁରକ୍ଷା କାନ୍ଥ ଭୁଶୁଡ଼ି ପଡ଼ିଛି। ଯାହାକୁ ‌‌ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସ‌ନ୍ତୋଷ ସୃଷ୍ଟି ହୋଇଛି। ହେଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିଜ ଦୋଷ ଖସାଇ ଦେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ଗୋଟିଏ ଦିନର ଲଗାଣ ବର୍ଷାରେ ଯାଜପୁର ବ୍ଲକ୍‌ ପଣସା ପଞ୍ଚାୟତ ୫ନମ୍ବର ୱାର୍ଡ ପାଟପୁର ଗ୍ରାମରେ ଏକ ନିର୍ମାଣଧୀନ ପୋଖରୀ ସୁରକ୍ଷା କାନ୍ଥ ଭୁଶୁଡ଼ି ପଡ଼ିଛି। ସୁରକ୍ଷା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହା ନିମ୍ନମାନର ସାମଗ୍ରୀରେ ନିର୍ମାଣ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ପୁରାତନ ପ‌ୋଖରୀର ପାଚେରି ଆବଶ୍ୟକତା ନଥିବା ବେଳେ ପୋଖରୀ ସୌନ୍ଦର୍ଯ୍ୟୀକରଣ ଓ ତୁଠ ନିର୍ମାଣ ଉଦ୍ଦେଶ୍ୟରେ ପୋଖରୀର ସୁରକ୍ଷା ପାଚେରି ତିଆରି କରାଯାଉଥିଲା। ହେଲେ ଆଜିର ସାମାନ୍ୟ ବର୍ଷାରେ ୫୦ ମିଟର ଲମ୍ବର ଏହି ପାଚେରି ଭୁଶୁଡ଼ି ପଡ଼ି ମାଟିରେ ମିଶି ଯାଇଛି। ସ୍ଥାନୀୟ ଅଞ୍ଚଳର କିଛି ଶାସକଦଳ କର୍ମୀ ଏହି କାମ କରୁଥିବା ବେଳେ କେଉଁ ଅନୁଦାନରେ ଏହାର ନିର୍ମାଣ କାର୍ଯ୍ୟ କରାଯାଉଥିଲା ସେ ସମ୍ପର୍କରେ ତଥ୍ୟ‌ ଦେବାକୁ ବ୍ଲକ୍‌ ପ୍ରଶାସନ ଏଡ଼େଇ ଯାଇଛି।

ଅନ୍ୟପକ୍ଷରେ କାର୍ଯ୍ୟ ସ୍ଥଳରେ ଫଳକ ଥିଲେ ବି ସେଥିରେ କୌଣସି ସୂଚନା ଉଲ୍ଲେଖ କରାଯାଇନାହିଁ। ଏହି କାମ ପାଇଁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ଚର୍ଚ୍ଚା ହେଉଛି। ପୋଖରୀର ଗୋଟିଏ ପାର୍ଶ୍ବ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ପାର୍ଶ୍ବ କାମ ହୋଇନାହିଁ। ଅନ୍ୟ ପାର୍ଶ୍ବ କାର୍ଯ୍ୟ ହେବ କିମ୍ବା କେବଳ ଗୋଟିଏ ପାର୍ଶ୍ବ ପାଇଁ ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏହିକାର୍ଯ୍ୟ ଜିଲ୍ଲା ପରିଷଦ ପାଣ୍ଠିରୁ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ବାବଧାନରେ କରାଯାଉଥିବା ଅଭିଯୋଗ ହେଉଛି। ହେଲେ ପାଚେରି ଧସିବା ପରେ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ଏହା ଠାରୁ ଦୂରେଇ ଯାଇଛନ୍ତି। ଏସଂପର୍କରେ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମିଶ୍ରଙ୍କୁ ପଚାରିବାରୁ କାମର ଅଟକଳ ହୋଇନି, କିଛିଲୋକ କାର୍ଯ୍ୟ କରିଛନ୍ତି। ଅନୁଦାନ ଆସିଲେ ବିଲ୍‌ କରାଯିବା ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି।

ସମ୍ବନ୍ଧିତ ଖବର