ଭୁଶୁଡିଲା ସରକାରୀ କଲେଜ ପାଚେରୀ: ବଡଭାଇ ମୃତ, ସାନଭାଇ ଗୁରୁତର

ରାଉରକେଲା: ପାନପୋଷ ସରକାରୀ ସ୍ବୟଂ ଶାସିତ କଲେଜ ପାଚେରୀ ଭୁଶୁଡି ପଡିବାରୁ ବଡଭାଇର ମୃତ୍ୟୁ ହୋଇଛି। ସାନ ଭାଇ ଗୁରୁତର ହୋଇଛନ୍ତି। ମୃତକ ହେଲେ କୈଳାସ ଜେନା (୩୫)। ଗୁରୁତର ସାନ ଭାଇ ସୁରେଶ ଜେନାଙ୍କୁ ରାଉରକେଲା ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ଏହି ଅଘଟଣ ଘଟିଥଲା। ରଘୁନାଥପାଲୀ ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସେପଟେ ଉତ୍ତ୍ୟକ୍ତ ଲୋକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଆର୍‌ଆଣ୍ଡବି ଅଧୀକ୍ଷଣଯନ୍ତ୍ରୀଙ୍କୁ ଭେଟିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ସମସ୍ୟାର କୌଣସି ସମାଧାନ ହୋଇ ନଥିବା ଜଣାପଡିଛି। କୈଳାସ ଓ ତା’ର ସାନଭାଇ ସୁରେଶ ପରିବାର ସହ ସରକାରୀ କଲେଜ କ୍ୟାମ୍ପସ ପରିସରରେ ରହନ୍ତି। ଗତକାତି ରାତି ପ୍ରାୟ ସାଢ଼େ ୧୧ଟାରେ ଦୁଇ ଭାଇ ଖାଇ ସାରିବା ପରେ ପାଚେରୀ ପାଖ ନଳକୂପ ନିକଟକୁ ହାତ ଧୋଇବାକୁ ଯାଇଥିଲେ। ହଠାତ୍‌ ପାଚେରୀ ଭୁଶୁଡି ପଡି ଦୁଇ ଭାଇଙ୍କ ଉପରେ ପଡିଯାଇଥିଲା। ଘଟଣାସ୍ଥଳରେ ବଡଭାଇ କୈଳାସଙ୍କର ମୃତ୍ୟୁ ହୋଇଥିଲା। ସାନଭାଇ ସୁରେଶଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆର୍‌ଜିଏଚ୍‌ ଓ ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର