ଦାଦନ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଲାଠୋର: ତେଲେଙ୍ଗାନାରେ କାମ କରୁଥିବା ବେଳେ ଆହତ ହୋଇ ଚିକିତ୍ସାଧୀନ ଥିବା ବଲାଙ୍ଗୀର ଜିଲ୍ଲା ଲାଠୋର ଗ୍ରାମର ଶ୍ରମିକ କାର୍ତ୍ତିକ ପୁଟେଲ (୪୫ବର୍ଷ)ଙ୍କ ବୁଧବାର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲାଠୋର କଲେଜ ଛକଠାରେ ଶବ ରଖି ବଲାଙ୍ଗୀର- ନୂଆପଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଥିଲା।

ପ୍ରକାଶ ଯେ, ଲାଠୋର ତଳିପଡ଼ାର କାର୍ତ୍ତିକ ସପରିବାର ଚଟୁଅନକା ଗ୍ରାମର ଦାଦନ ସର୍ଦାରଙ୍କ ଠାରୁ ଅଗ୍ରିମ ନେଇ ତେଲେଙ୍ଗାନା ରାଜ୍ୟ ନାଲକୁଣ୍ଡା ଜିଲ୍ଲା ଚଟୁପାଲ ଗାଁକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୧୮ତାରିଖରେ ଟ୍ରାକ୍ଟର କେଜ୍‌ହୁଇଲ୍‌ରେ କାମ କରୁଥିବା ସମୟରେ ପଡ଼ି ଯାଇ ଗୁରୁତର ଆ‌ହତ ହୋଇଥିଲେ। ତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୩୦ ତାରିଖ ଦିନ ମାଲିକ ତାଙ୍କୁ ଭବାନୀପାଟଣା ସଦର ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଭବାନୀପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କ ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସ ଯୋଗେ ଶବ ଲାଠୋର ପହଞ୍ଚିବା ପରେ ଏଲ୍‌ଡିଏର ସଂସ୍ଥାପକ ଲବ ସୁନାଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିଲା। ଖବର ପାଇ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ। ସରପଞ୍ଚ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା, ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏନେଇ ପୀଡ଼ିତ ପରିବାର ପକ୍ଷରୁ ଲାଠୋର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଖପ୍ରାଖୋଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର