କଳାହାଣ୍ଡିରେ ବଢୁଛି ଦାଦନ ଦୁଃଖ: ରୋଜଗାର ପାଇଁ ବାହାର ରାଜ୍ୟକୁ ପୁଣି ବାହାରିଲେଣି

ଗାଁ ମାନଙ୍କରେ ଲାଗୁଛି କମ୍ପାନି ବସ, ବିମାନ ଭଡା ବି ଦେଉଛନ୍ତି

ଭବାନୀପାଟଣା: କୋଭିଡ ଯୋଗୁଁ ଗାଁ ମୁହାଁ ହୋଇଥିବା ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ନୂଆଁଖାଇ ପରେ କାମଧନ୍ଦା ଅଭାବ ଯୋଗୁଁ ପର ରାଜ୍ୟକୁ ଦାଦନ ଖଟିବାକୁ ବାହାରିଲେଣି ।  କମ୍ପାନିମାନଙ୍କ ପକ୍ଷରୁ ଦାଦନମାନଙ୍କୁ ନେବା ପାଇଁ ବସ ପଠାଉଥିବା ବେଳେ ଆଉ କିଛି ଶ୍ରମିକଙ୍କୁ ବିମାନରେ ଯିବା ପାଇଁ ଭଡା ମଧ୍ୟ ଆଗୁଆ ପଠାଉଥିବା ଦେଖିବାକୁ ମିଳିଛି । ରୋଜଗାର ପାଇଁ ଦାଦନ ଦୁଃଖ ବଳି ପଡୁଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ଭିଟାମାଟିର ମୋହ ଛାଡିବାକୁ ବାଧ୍ୟ ହେଉଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ସମଗ୍ର ଦେଶରେ କୋଭିଡ ଯୋଗୁଁ ଲକଡାଉନ ଆରମ୍ଭ ହୋଇଥିଲା । କମ୍ପାନି ଓ ଠିକା ସଂସ୍ଥାମାନେ ଜୀବିକା ହରାଇ ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟି କୁ ଫେରି ଆସିଥିଲେ । ବର୍ତ୍ତମାନ କୋଭିଡର ପ୍ରକୋପ ବୃଦ୍ଧି ପାଉଥିବା ବେଳେ କାମଧନ୍ଦା ନ ଥିବା ଯୋଗୁଁ ପରିବାର ପ୍ରତିପୋଷଣ ଚିନ୍ତାର କାରଣ ପାଲଟିଥିଲା ।
ସରକାରଙ୍କ ମନରେଗା ଯୋଜନା ପର୍ଯ୍ୟାପ୍ତ ନ ଥିବା ବେଳେ କାମଧନ୍ଦା ମିଳୁନଥିବା ଯୋଗୁଁ ବର୍ତ୍ତମାନ ନୂଆଁଖାଇ ପରେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବାପାଇଁ ବାହାରି ପଡିଛନ୍ତି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକର ପର୍ଲା, ବେହେରା, ଗଡ଼ିଆଯୋର, ଢେକନାଗୁଡା, ବେହେରାଗୁଡା, ଭାଲୁଚୁଆଁ, ଆମଗୁଡା, ବୋଡେ଼ନ, କେଵଡି, କୋକସରା ବ୍ଲକର କୋକସରା, ଗମ୍ଭାରୀଗୁଡା, ସିରଲୀଗୁଡା, ଗୋଳାମୁଣ୍ଡା ବ୍ଲକ, ଜୁନାଗଡ଼ ବ୍ଲକ, ଜୟପାଟଣା ବ୍ଲକ, କଲମପୁର, ଥୁଆମୂଳ ରାମପୁର, ନର୍ଲା, ଲାଞ୍ଜିଗଡ଼, ଭବାନୀପାଟଣା ସଦର ବ୍ଲକ, କେସିଙ୍ଗା, କର୍ଲାମୁଣ୍ଡା ସମେତ ୧୩ ଟି ବ୍ଲକର ବିଭିନ୍ନ ଗାଁର ବେକାରୀ ଯୁବକ ଦାଦନ ହୋଇ ପର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।
ହାଇଦ୍ରାବାଦ, ଚେନ୍ନାଇ, ତାମିଲନାଡୁ, ବେଙ୍ଗାଳୁରୁ, ଗୋଆ, କେରଳ, ସୁରଟ, ମୁମ୍ବାଇ ପ୍ରଭୂତି ଅଞ୍ଚଳକୁ ଯିବା ଆରମ୍ଭ କରିଛନ୍ତି । ଦକ୍ଷିଣ ଭାରତର ବିଭିନ୍ନ ଇଟାଭାଟି ଅଞ୍ଚଳରୁ ପ୍ରାୟ ୩୦ ରୁ ୪୦ ଟି ବସ ଗାଁମାନଙ୍କୁ ପହଁଚି ଦାଦନ ଶ୍ରମିକମାନେ ମାନଙ୍କୁ ନେଇଛି । ଆଗକୁ ଅଧିକରୁ ଅଧିକ ଦାଦନ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ସେହିଭଳି କେରଳ, ଗୋଆ, ସୁରଟ, ମୁମ୍ବାଇ ଯିବା ପାଇଁ ବିମାନ ଭଡା ଦେଇ ଦାଦନ ମାନଙ୍କୁ ନେବାରେ ଲାଗିଛନ୍ତି । ଗତକିଛିଦିନ ତଳେ ଧର୍ମଗଡ଼ ବ୍ଲକର ପର୍ଲା ଅଞ୍ଚଳରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଏକ କମ୍ପାନି ପକ୍ଷରୁ ବିମାନ ଟିକେର ପଠାଯାଇଥିଲା । ଲକଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ବେଳେ କଳାହାଣ୍ଡିର ଦାଦନମାନଙ୍କୁ ନେଇ ଇଟାଭାଟି, ଲୁଗାକଳ ଓ ବିଭିନ୍ନ କମ୍ପାନୀ ସେମାନଙ୍କ ଶିଳ୍ପ ଗୁଡିକୁ ଆରମ୍ଭ କରିଛନ୍ତି ।
ବର୍ତ୍ତମାନ କୋଭିଡ ର ପ୍ରକୋପ ଆହୁରି ବଢୁଥିବା ବେଳେ ନିଜ ଜୀବନକୁ ବାଜି ଲଗେଇ ପୁଣି ପର ରାଜ୍ୟକୁ ଦାଦନ ଖଟିବାକୁ ଅଣ୍ଟା ଭିଡିଛନ୍ତି । ସ୍ଥାନୀୟ ସର୍ଦ୍ଦାରମାନଙ୍କ ଜରିଆରେ ଅଗ୍ରୀମ ବଇନା ଦେଇ ସେମାନଙ୍କୁ କମ୍ପାନି ପାଖରେ ପହଂଚାଇବାଇ ଦାୟିତ୍ୱ ନେଇଛନ୍ତି । ଶ୍ରମିକମାନଙ୍କ ଅଭାବ ଯୋଗୁଁ କିମ୍ପାନିମାନଙ୍କ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବା ବେଳେ ବର୍ତ୍ତମାନ ଶ୍ରମିକମାନଙ୍କୁ କମ୍ପାନି ପାଖରେ ପହଂଚାଇବା ପାଇଁ ସର୍ଦାର ମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି । ଶ୍ରମ ବିଭାଗ ରେ ବିନା ରେଜିଷ୍ଟ୍ରେସନ କରି ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକମାନଙ୍କ ସ୍ଥିତି ଓ ପରିସ୍ଥିତି ନେଇ କିଏ ଦାୟୀ ରହିବ ତାହା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ରାଜ୍ୟରେ କୋଭିଡ ପରିସ୍ଥିତିର ସ୍ଥିତି ସମ୍ପର୍କରେ ଅଜ୍ଞ ଥିବା ଶ୍ରମିକମାନେ ପରିବାର କୁ ପ୍ରତିପୋଷଣ ପାଇଁ ନିଜ ଜୀବନକୁ ବାଜି ଲଗେଇଛନ୍ତି । ତୁରନ୍ତ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ କାମଧନ୍ଦା ନ ଯୋଗାଇଲେ ଶ୍ରମିକମାନଙ୍କ ଦାଦନ ଖଟି ଯିବାକୁ ରୋକା ଯାଇପାରିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ବ୍ଲୁ ପ୍ରିଣ୍ଟ ତିଆରି କରାଯିବାକୁ ସାଧାରଣରେ ଦାବୀ ହୋଇଛି ।
ସମ୍ବନ୍ଧିତ ଖବର