ଜଗତସିଂହପୁର: ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ପୌରାପାଳିକା ସାରା ରାଜ୍ୟ ପାଇଁ ଆଦର୍ଶ ପାଲଟିଛି। ବାହାର ଜିଲ୍ଲାର ପୌର କର୍ତ୍ତୃପକ୍ଷ ଓ କର୍ମଚାରୀ ଏଠାରେ ନିର୍ମାଣ କରାଯାଇଥିବା ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ୍ ଦେଖିବା ପାଇଁ ଆସୁଛନ୍ତି। ଏହି ବ୍ୟବସ୍ଥାକୁ ଆହୁରି ସମୃଦ୍ଧ କରିବା ପାଇଁ ପୌରପାଳିକା ପକ୍ଷରୁ ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି। ଏଣିକି ବର୍ଜ୍ୟ ଉଠାଇବା ପାଇଁ ମହିଳାମାନଙ୍କୁ ବ୍ୟବହାର କରାଯିବ। ସମସ୍ତ ୱାର୍ଡରେ ବ୍ୟାଟେରି ଚାଳିତ ଗାଡ଼ି (ବିଓଭି) ବ୍ୟବହାର କରାଯିବ। ଏହି ଗାଡ଼ିରେ ଦୁଇ ଜଣ ମହିଳାଙ୍କୁ ନିୟୋଜିତ କରାଯିବ। ଜଣେ ଗାଡ଼ି ଚଳାଇବେ ଓ ଅନ୍ୟ ଜଣେ ତାଙ୍କୁ ସହାୟତା କରିବେ। ଆଜି ବିଧାୟକ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଗାଡ଼ିକୁ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର ଓ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରାଉତରାୟଙ୍କ ନେତୃତ୍ବରେ ସମସ୍ତ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ଏହି ଯୋଜନାକୁ ସଫଳ କରାଇଛନ୍ତି। ୱାର୍ଡର କେଉଁ ରାସ୍ତାରେ ବିଓଭି ଗାଡ଼ି ପଶିବ, କେମିତି ବର୍ଜ୍ୟ ସଂଗ୍ରହ କରିବ ଓ କେଉଁଠି ଏହାକୁ ଫୋପାଡ଼ିବ, ଏ ନେଇ ଟିକିନିଖି ଯୋଜନା ପ୍ରସ୍ତୁତ କରାଯାଇଛି। ପାରାଦୀପ ବଙ୍ଗାଳିପଡ଼ାରେ ଦୁଇଟି ପ୍ଲାଣ୍ଟ୍ ୧ ଓ ୩ ରହିଥିବା ବେଳେ ରଙ୍ଗିଆଗଡ଼ରେ ପ୍ଲାଣ୍ଟ-୨ ରହିଛି। ଏହି ତିନିଟା ପ୍ଲାଣ୍ଟକୁ କେଉଁ କେଉଁ ୱାର୍ଡରୁ ବର୍ଜ୍ୟ ଯିବ, ଏ ନେଇ ମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ୍ -୧କୁ ୱାର୍ଡ ନଂ ୮ରୁ ୧୩ ପର୍ଯ୍ୟନ୍ତ ବର୍ଜ୍ୟ ସଂଗ୍ର୍ରହ କରାଯାଇ ପଠାଯିବ। ସେହିପରି ପ୍ଲାଣ୍ଟ-୨କୁ ୱାର୍ଡ-୧ରୁ ୭ ଓ ପ୍ଲାଣ୍ଟ୍-୩କୁ ୱାର୍ଡ-୧୪ରୁ ୧୯ ପର୍ଯ୍ୟନ୍ତ ରହୁଥିବା ଘର ଓ ବ୍ୟବସାୟିକ ଅନୁଷ୍ଠାନରୁ ବର୍ଜ୍ୟ ସଂଗ୍ରହ କରାଯିବ। ସେଥିପାଇଁ ୩୫ଟି ବିଓଭି ଗାଡ଼ି କିଣାଯାଇଛି। ଏହି ଗାଡ଼ି କିଣିବା ଓ ମହିଳାମାନଙ୍କୁ ନିୟୋଜିତ କରିବା ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ଏଥିରେ ନିୟୋଜିତ ମହିଳାମାନଙ୍କୁ ସ୍ବଚ୍ଛକର୍ମୀ କୁହାଯିବ। ଆସନ୍ତା ଜାନୁଆରୀ ୧ ତାରିଖରେ ଏହି କାର୍ଯ୍ୟ ଆରମ୍ଭ ହେବ। ଏଣୁ ଗାଡ଼ି ଚଳାଇବାକୁ ଥିବା ମହିଳାମାନଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯିବ। ଏହାସହ ୱାର୍ଡର ସଂକୀର୍ଣ୍ଣ ସ୍ଥାନକୁ ବିଓଭି ଗାଡ଼ି ପହଁଚି ନ ପାରିଲେ ଠେଲା ଗାଡ଼ି ଦ୍ବାରା ଆବର୍ଜନା ଉଠାଯିବ। ଏହି ଠେଲା ଗାଡ଼ି ଆବର୍ଜନା ସଂଗ୍ରହ କରି ବିଓଭି ଗାଡ଼ିକୁ ପହଁଚାଇବ। ଏହାପରେ ଓଦା ଓ ଶୁଖିଲା ବର୍ଜ୍ୟକୁ ଅଲଗା କରାଯାଇ ଏହାକୁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବିଧାୟକ ଶ୍ରୀ ରାଉତରାୟ କହିଲେ ଯେ, ଏହି କାର୍ଯ୍ୟ ପାଇଁ ପାରାଦୀପ ପୌରପାଳିକା ସାରା ରାଜ୍ୟରେ ଏକ ଉଦାହରଣ ପାଲଟିବ। ଏହାସହ ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ପାଇଁ ଏହା ଏକ ଉତ୍କୃଷ୍ଟ ମାଧ୍ୟମ। ମହିଳାମାନେ ନିଜ ଘରକୁ ସଫାସୁତୁରା ରଖୁଥିବା ବେଳେ ସହରକୁ ମଧ୍ୟ ସଫା ସୁତୁରା ରଖିବା ପାଇଁ ସେମାନେ ସହାୟକ ହେବେ।