ଘର ଲୋକ ବାଇକ କିଣିନଦେବାରୁ ଯୁବକଙ୍କ ଆତ୍ମହତ୍ୟା

ବାଲିପାଟଣା : ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବାଇକ କିଣିବାକୁ ଘରେ ଜିଦ କରି ଟଙ୍କା ମାଗି ନିରାଶ ହେବାରୁ କୁଳନ୍ତିରା ଗ୍ରାମର ପ୍ରଦୀପ୍ତ ମହାନ୍ତିଙ୍କ ପୁଅ ଦିବ୍ୟ ପ୍ରସାଦ ମହାନ୍ତି ଓରଫ ପପୁନା ( ୨୨ ) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି । ପୁଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ସୂଚନା ଅନୁସାରେ, ପ୍ରଦୀପ୍ତ ମହାନ୍ତି ଙ୍କ ସାନ ପୁଅ ପପୁନା ପାଠପଢ଼ା ସରିବା ପରେ ବେକାର ହୋଇ ବୁଲୁଥିଲା । ପ୍ରଦୀପ୍ତ ଭୁବନେଶ୍ୱର ରେ ରହୁଥିଲେ । କିଛି ବର୍ଷ ହେବ ଗାଁ କୁ ଆସି ପଡୋଶୀ ଙ୍କ ଘରେ ଭଡା ରହୁଥିଲେ । କୁସଙ୍ଗରେ ପଡ଼ି ପପୁନା ପ୍ରାୟ ସମୟ ଘରେ ଟଙ୍କା ପାଇଁ ଝଗଡା ଝାଣ୍ଟି କରୁଥିଲା । କିଛି ଦିନ ତଳେ ମା’ଙ୍କ ସୁନା ଅଳଙ୍କାର ବିକ୍ରି କରି ଦାମୀ ମୋବାଇଲ କିଣିଥିଲା । ପୁଣି ବାଇକ କିଣିବାକୁ ୧୦ ହଜାର ଟଙ୍କା ପାଇଁ ଘରେ ଜିଦ କରୁଥିଲା  । ଅଭାବ ସଂସାର ହେତୁ ବାପା ଟଙ୍କା ଦେବାକୁ ମନା କରିଦେଇଥିଲେ । ଆଜି ସକାଳୁ ବାହାର କୁ ଯିବ କହି ଘରୁ ବ୍ୟାଗ ଧରି ବଜାର କୁ ଯାଇଥିଲା । କିଛି ସମୟ ପରେ ଘରକୁ ଫେରି ଆସି ମାଙ୍କୁ ଟଙ୍କା ମାଗିଥିଲା । ଘରେ ଟଙ୍କା ନାହିଁ ବୋଲି ମା ମନା କରିଦେଇଥିଲେ । ପପୁନା ରାଗି ଶୋଇବା ଘରେ ଫ୍ୟାନରେ ଗାମୁଛା ବାନ୍ଧି ଝୁଲି ପଡିଥିଲା । ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସ କୁ ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର