ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ତିଖିଆ ଗ୍ରାମ ନିକଟସ୍ଥ ବାଣ୍ଠା ଜଙ୍ଗଲରେ ଆଜି କିଛି ପିଲା ଛେଳି ଚରାଇବାକୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଏକ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଘଟଣା ସମ୍ପର୍କରେ ଅବଗତ ହୋଇ ଗ୍ରାମବାସୀ ମାନେ ବହଳଦା ଥାନା ପୁଲିସକୁ ଖବର ଦେଇଥିଲେ। ତେବେ ବହଳଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ତା’ସହିତ ମୃତଦେହର ଚିହ୍ନଟ ପାଇଁ ପ୍ରୟାସ ମଧ୍ୟ ଜାରି ରଖିଥିଲେ। ସେପଟେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମୌଦା ଗ୍ରାମର ସ୍ବର୍ଗତ ଚାରୁ ସୋରେନଙ୍କ ପୁଅ ଚାନ୍ଦ୍ରାଇ ସୋରେନ (୨୩) ଗତ ୧୮ ତାରିଖରୁ ନିଖୋଜ ହେବା ନେଇ ପରିବାର ଲୋକେ ଗତକାଲି ଗୋରୁମହିଷାଣୀ ଥାନାରେ ଏକ ଲିଖିତ କରିଥିଲେ। ଗୋରୁମହିଷାଣୀ ଥାନାରେ କେସ ନଂ ୧୩/୨୨ ରେ ଏକ ନିଖୋଜ ମାମଲା ରୁଜ୍ଜୁ ହୋଇଥିଲା।

ସେହି ଆଧାରରେ ବହଳଦା ଥାନା ପୁଲିସ ଚାନ୍ଦ୍ରାଇ ସୋରେନଙ୍କ ବଡ଼ଭାଇ ଶବାନ ସୋରେନକୁ ମୃତଦେହ ଚିହ୍ନଟ ପାଇଁ ଡ଼କାଇଥିଲେ। ଶବାନ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ଜଣକ ସାନଭାଇ ଚାନ୍ଦ୍ରାଇ ସୋରେନ(୨୩) ବୋଲି ଚିହ୍ନଟ କରିଥିଲେ। ତେବେ ବହଳଦା ଥାନା ପୁଲିସ ଘଟଣାର ଛାନଭିନ ଜାରି ରଖିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଖବର ଦେଇଥିଲେ। ସାଇଣ୍ଟିଫିକ ଟିମ ମଧ୍ୟ ସନ୍ଧ୍ୟା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ବହଳଦା ଥାନାରେ କେସ ନଂ ୧୭/୨୨ ରେ ଏକ ଅପମୃତ ମାମଲା ରୁଜ୍ଜୁ କରି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା ବହଳଦା ଥାନା ପୁଲିସ। ତେବେ କେଉଁ କାରଣରୁ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି କିମ୍ବା ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବା ବେଳେ ସାଇଣ୍ଟିଫିକ ଟିମର ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ବହଳଦା ଥାନାର ଏସଆଇ ଏସ.ଆର ସ୍ବାଇଁ ଘଟଣାର ଅଧିକ ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର