ହାଇୱା ଧକ୍କାରେ ନାବାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ସାଲେପୁର-କୁଆଁପାଳ ରାସ୍ତାରୋକ

ସାଲେପୁର: ସାଲେପୁର ଥାନା ଅଧୀନ କୁଆଁପାଳ ରାସ୍ତା ସାଲେପୁର ହାଟ ନିକଟରେ ଗୁରୁବାର ସକାଳ ସାଢେ଼ ୯ଟାରେ ଏକ ମାଲ୍ ବୋଝେଇ ହାଇୱା ଧକ୍କାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇସ୍ଥିତ ବାଲିପାଟଣା ଗ୍ରାମର ବସନ୍ତ ନାୟକଙ୍କ ୬ ବର୍ଷର ପୁଅ ଅମନ ନାୟକ। ବସନ୍ତ ଆଜି ଲୁଣାହାରସ୍ଥିତ ଶ୍ବଶୁର ଘରୁ ପରିବାର ସହ ଏକ କାର୍‌ ଯୋଗେ କଟକ ଅଭିମୁଖେ ଯାଉଥିଲେ। କୌଣସି କାରଣରୁ କାର୍‌ଟି ହାଟ ପାଖ ରାସ୍ତା ପାଖରେ ଅଟକିଥିଲା। ଏହି ସମୟରେ ଏକ ମାଲ୍ ବୋଝେଇ ହାଇୱା ହଠାତ୍ କାର୍‌ ନିକଟରେ ଥିବା ବସନ୍ତଙ୍କ ଶିଶୁପୁତ୍ରକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ ଉଦ୍ଧାର କରି ସାଲେପୁର ସିଏଚ୍‌ସିରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଦୀର୍ଘ ସମୟ ଧରି ସାଲେପୁର – କୁଆଁପାଳ ରାସ୍ତା ଲୁଣାହାର ପୋଲ ନିକଟରେ ଟାୟାର୍‌ ଜାଳି ରାସ୍ତାରୋକ କରିଥିଲେ।

ସାଲେପୁର ଏସ୍‌ଡିପିଓ ବିମଳ ବାରିକ ଓ ଆଇଆଇସି ସୁପ୍ରସନ୍ନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ। ହାଟ ବାରିରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ଏବଂ ଭାରୀଯାନ ଚଳାଚଳ ଉପରେ ପୁଲିସ ପ୍ରଶାସନ ଦୃଷ୍ଟି ଦେବେ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା। ଅପରପକ୍ଷେ କେସ୍‌ ନମ୍ୱର୍ ୨୧୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଜବତ କରାଯାଇଛି ବୋଲି ଆଇଆଇସି ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର