ଚତୁର୍ଥୀ ଭାର ନେଇ ଆସିଥିବା ଭାଇର ଭଉଣୀ ଘରେ ମୃତ୍ୟୁ

ଯାଜପୁର: କିଛିଦିନ ତଳେ ଭଉଣୀ ବାହାଘର ସରିଥିଲା। ଘରେ ବେଶ୍‌ ଆନନ୍ଦ ଉଲ୍ଲାସ ଭରି ରହିଥିଲା। ତେବେ ଭଉଣୀ ଘରକୁ ଚତୁର୍ଥୀ ଭାର ନେଇ ମଙ୍ଗଳବାର ଆସିଥିଲା ଭାଇ। ଭାଇକୁ ଦେଖି ଭଉଣୀ ବି ବେଶ୍‌ ଖୁସି ହୋଇଯାଇଥିଲା। ଏହି ସମୟରେ ଖବର ଆସିଲା ଭାଇର ନଦୀରେ ବୁଡି ମୃତ୍ୟୁ ହୋଇଛି।

ଏଭଳି ଏକ ଦୁଃଖଦ ଘଟଣା ମଙ୍ଗଳବାର ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଭଁରା ପଞ୍ଚାୟତରେ ଘଟିଛି । ଭଉଣୀ ଘରକୁ ଚତୁର୍ଥୀ ଭାର ନେଇ ଆସିଥିଲା ଭାଇ ତପନ ଜେନା। ସକାଳେ ଭଉଣୀ ସହିତ କିଛି ସମୟ କଥାବର୍ତ୍ତା ହେବା ପରେ ଭାଇ ପାଖ ନଦୀକୁ ଗାଧେଇବା ପାଇଁ ଯାଇଥିଲା। ପହଁରା ନଜାଣି ଥିବାରୁ ତାର ଗୋଡ ଖସି ଯାଇଥିଲା ଓ ସେ ନଦୀ ଭିତରକୁ ଚାଲି ଯାଇଥିଲା। ସେଠାରେ ଥିବା ଅନ୍ୟ ଲୋକମାନେ ସଙ୍ଗେସଙ୍ଗେ ପୁଅକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତପନକୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ଭାଇର ମୃତ୍ୟୁ ଖବର ଶୁଣିବା ପରେ ଉଉଣୀ ତଥା ଭଉଣୀର ଶାଶୁଘର ଲୋକ ଓ ସେପଟେ ପୁଅର ମୃତ୍ୟୁ ଖବର ଶୁଣିବା ପରେ ତାର ପିତାମାତା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ୧୪ବର୍ଷର ମୃତ ତପନ ଜେନା ଭଁରା ପଞ୍ଚାୟତର ସଙ୍ଗୁଆ ଗଦେଈପୁର ଗାଁର ସୁବାସ ଜେନାଙ୍କ ପୁଅ।

ସମ୍ବନ୍ଧିତ ଖବର