କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ମରଡ଼ପୁର ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଏହି ଯୁବକ ଜଣଙ୍କ ହେଉଛନ୍ତି ପପୁ ମଳିକ(୩୨)। ତାଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ବର ଗ୍ରାମରେ। ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ମରଡପୁର ନିକଟ ୫ନମ୍ବର(କ) ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନା ଅନୁସାରେ, ପପୁ ୧୨ବର୍ଷ ହେବ ମରଡପୁରସ୍ଥିତ ଶ୍ବଶୁର ଘରେ ରହୁଥିଲେ। ପତ୍ନୀଙ୍କ ସମେତ ୧୩ବର୍ଷର ଝିଅ ଥିବା ବେଳେ ପପୁ ଟ୍ରକ୍ ଚାଳକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ପପୁ ଶ୍ବଶୁର ଘରେ ଖାଉଥିବା ବେଳେ ସେହି ଗ୍ରାମର ବଟିଆ ମଳିକ ସେଠାରେ ପହଞ୍ଚି ତାଙ୍କୁ ଗାଡ଼ି ଧୋଇବାକୁ ଡାକି ନେଇଥିଲେ। ଅପରାହ୍ନ ପ୍ରାୟ ସାଢେ ୫ଟାରେ ବଟିଆଙ୍କ ବାପା ପହଲି ମଳିକ ଶ୍ବଶୁର ଘରେ ପହଞ୍ଚି ପପୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ସୂଚନା ଦେଇଥିଲେ। ପରିବାର ଲୋକେ ପହଞ୍ଚି ପପୁଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ପପୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ନେଇ ଶ୍ବଶୁର ଘର ଲୋକେ ସଦର ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ୫ନମ୍ବର(କ) ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ସଦର ଥାନା ଇନ୍ସପେକ୍ଟର ପବିତ୍ର ମହାରଣା, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ତା ସ୍ବତନ୍ତ୍ର ସ୍କ୍ବାଡ୍ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ସେ ଚୋରାରେ ନିଶା କାରବାର କରୁଥିଲା। ଏ ସମ୍ପର୍କରେ ପପୁ ପୂର୍ବରୁ ପୁଲିସକୁ ଖବର ଦେଇଥିଲେ। ପୁଲିସ ମଧ୍ୟ ଚଢଉ କରିଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସେ ପପୁଙ୍କୁ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/5FCAED5F-989D-4170-AB68-C73B36900100094235.jpg)