ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇ ଗ୍ରାମରେ ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି। ମୃତକଜଣକ ହେଉଛନ୍ତି, ପୁରୀ ଜିଲ୍ଲା ବାଦୁରାବର ଗ୍ରାମର ବାହୁଡ଼ା ସାହୁ (୨୨)। ପୁଲିସ ଶବକୁ ଜବତ କରିଥିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ବାହୁଡ଼ା ଗତ ୩ ଦିନ ହେଲା ଶିକୁଳା, ସମା ଓ ଚିଙ୍ଗୁଡ଼ିଘାଇ ଗ୍ରାମରେ ବୁଲୁଥିଲେ। ଆଜି ଭୋର୍ରେ ସେ ଚିଙ୍ଗୁଡ଼ିଘାଇ ଗ୍ରାମ ନିକଟରେ ବୁଲୁଥିବା ବେଳେ ଲୋକମାନେ ତାଙ୍କୁ ଚୋର ବୋଲି ସନ୍ଦେହ କରି ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଆଉ ନିସ୍ତୁକ ମାଡ଼ ମାରିବାରୁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଶବକୁ ପ୍ରାଥମିକ ବିଦ୍ୟାଳୟ ସାମ୍ନା ତେନ୍ତୁଳି ଗଛ ନିକଟରେ ଫୋପାଡ଼ି ପଳାଇଥିଲେ।
ସକାଳେ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ପହଞ୍ଚିଥିଲା। ମୃତକଙ୍କ ପରିଚୟ ମିଳିବା ପରେ ତାଙ୍କ ସାନଭାଇ ଗୁଣ୍ଡିଚାଙ୍କ ସହ ପୁଲିସ ଯୋଗାଯୋଗ କରିଥିଲା। ଗୁଣ୍ଡିଚା ଆସି ଶବକୁ ଚିହ୍ନଟ କରିବା ପରେ ତଦନ୍ତକୁ ତ୍ବରାନ୍ବିତ କରାଯାଇଥିଲା। ଏନେଇ ପୁରୁଷୋତ୍ତମପୁର ଥାନାରେ କେସ୍ ନମ୍ବର ୩୩୩ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ବେଳେ କିଛି ଯୁବକକୁ ଅଟକ ରଖି ପଚରାଉଚରା ଜାରି ରହିଥିବା ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।