ବାମରା : ଗାଧୋଇବା ବେଳେ ପାଣିରେ ବୁଡ଼ି ଶିଶୁ ମୃତ

ବାମରା : ବାମରା ବ୍ଲକ ରଙ୍ଗିଆଟିକିରା ପଞ୍ଚାୟତ କହପାଣି ଗ୍ରାମର ଜଣେ ଶିଶୁ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛି । ଏ ନେଇ ଗୋବିନ୍ଦପୁର ପୁଲିସଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ୧୨ଟା ବେଳେ କହପାଣି ଗ୍ରାମର ପ୍ରକାଶ ବେହେରାଙ୍କ ଏକମାତ୍ର ପୁଅ ସ୍ୱାଗତ ବେହେରା(୯) ନିଜ ୫/୬ ଜଣ ସାଙ୍ଗ ସାଥୀଙ୍କ ସହ ମିଶି ନିକଟରେ ଥିବା ଏକ ପୋଖରୀ(ବନ୍ଧ) କୁ ଗାଧୋଇବାକୁ ଯାଇଥିଲେ । ସମସ୍ତେ ପ୍ରାୟ ୧ ଘଣ୍ଟା ଧରି ଡିଆଁ ମାରି ଗାଧୋଉଥିବା ବେଳେ, ସ୍ୱାଗତ ମଧ୍ୟ ଡିଆଁ ମାରି  ଗଭୀର ପାଣି ଭିତରକୁ ପଶି ଯାଇଥିଲା । ସେ କିଛି ସମୟ ପରେ ବାହାରକୁ ବାହାରି ଆସିବ ଭାବି ସବୁ ଛୁଆ ଘାଟ ଉପରେ ଚାହିଁ ରହିଥିଲେ । ଦୀର୍ଘ ସମୟ ପରେ ମଧ୍ୟ ସ୍ୱାଗତ ପାଣିରୁ ନ ବହାରିବାରୁ, ଅନ୍ୟ ଶିଶୁମାନେ ଭୟରେ କାହାକୁ କିଛି ନ କହି ନିଜ ନିଜ ଘରକୁ ଚୁପଚାପ ଫେରି ଯାଇଥିଲେ । ଏହାର କିଛି ସମୟ ପରେ କୌଣସି ସୂତ୍ରରୁ ଖବର ପାଇ ଘର ଲୋକେ ଆସି ଗୁରୁତର ଅବସ୍ଥାରେ ପାଣିରୁ ବାହାର କରିଥିଲେ । ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ବାମରା ଡାକ୍ତରଖାନାକୁ ନେଇଥିଲେ ହେଁ,ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଗୋବିନ୍ଦପୁର ଥାନାରେ ଅପମୃତ୍ୟୁ ମାମଲା ୫/୨୧ ରୁଜୁ କରି ତଦନ୍ତ ଚାଲିଥିବା ଏଏସ୍ଆଇ ଯୋଗେଶ୍ୱର କିସାନଙ୍କ ଠାରୁ ପ୍ରକାଶ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏକମାତ୍ର ପୁଅର ମୃତ୍ୟୁ ପରେ ପରିବାର ଲୋକେ ଶୋକରେ ଭାଙ୍ଗି ପଡିଛନ୍ତି । ଶୋକାକୁଳ ପରିବେଶ ଭିତରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା ।

ସମ୍ବନ୍ଧିତ ଖବର