କେନ୍ଦ୍ରାପଡ଼ା: ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍‌ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇ ଜଣେ ମହିଳା କର୍ମଚାରୀ ଶିଶୁପୁତ୍ର ଜନ୍ମ ଦେବା ମାମଲା ନୂଆ ମୋଡ଼ ନେଇଛି। ‘ସମ୍ବାଦ’ରେ ଆଜି ଅନୁସ˚ଧାନମୂଳକ ‘ପୀଡ଼ିତାଙ୍କ ଆଉ ଦୁଇ ପିଲା ଏବେ କେଉଁଠି?’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଚାରିଆଡେ଼ ଚାଞ୍ଚଲ୍ୟ ଖେଳି ଯାଇଛି। ଆଉ କେହି ନୁହେଁ, ପ୍ରଥମଥର ପାଇଁ ପୀଡ଼ିତାଙ୍କ ପରିବାର ଲୋକ ଏହି ପ୍ରସଙ୍ଗରେ ସାମ୍ନାକୁ ଆସିବା ସହିତ ମାନସିକ ଦିବ୍ୟାଙ୍ଗ ଭଉଣୀକୁ ଦୁଷ୍କର୍ମ ଏବ˚ ଦୁଇ ଶିଶୁକୁ ବିକ୍ରି କରାଯାଇଥିବାର ସ˚ଗିନ ଅଭିଯୋଗ ଆଣି ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏସ୍‌ପି ଘଟଣାକୁ ଅତି ଗୁରୁତର ସହିତ ନେଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ମାର୍ଶାଘାଇ ଥାନାରେ ଏ ସ˚କ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ଭାଇଙ୍କର ୧୬୧ ସିଆରପିସିରେ ଥାନାରେ ବୟାନ ରେକର୍ଡ କରାଯାଇଛି। ଗୋଟିଏପଟେ ସଭାନେତ୍ରୀ ସୁଶ୍ରୀ ପ୍ରମିଳା ତ୍ରିପାଠୀଙ୍କ ଭାଇ ଜଗନ୍ନାଥ ତ୍ରିପାଠୀଙ୍କ ଦ୍ବାରା ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ନେଇ ସ˚ପାଦିକା ଅଭିଯୋଗ ଆଣିବା ପରେ ମାର୍ଶାଘାଇ ଥାନାରେ ତିନି ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ଭଉଣୀକୁ ଦୁଷ୍କର୍ମ ଏବ˚ ଶିଶୁ ବିକ୍ରି ନେଇ ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ଦଫା ୩୭୬, ୩୭୦, ୪୦୬, ୪୦୩, ୩୪(ଆଇପିସି)ରେ ଆଉ ଏକ ମାମଲା( ନଂ. ୧୮୭/୨୧) ଲୁଥେରାନ୍‌ କର୍ତୃପକ୍ଷଙ୍କ ସମସ୍ୟା ବଢ଼ାଇ ଦେଇଛି।

Advertisment

publive-image Bread & Butter- The Tasty Bites

ଜଗତ୍‌ସି˚ହପୁର କୁଜଙ୍ଗ ବ୍ଳକ୍‌ ଅ˚ଚଳର ଏହି ପୀଡ଼ିତାଙ୍କ ଭାଇ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଭଉଣୀ ହେଉଛନ୍ତି ୬୦ ପ୍ରତିଶତ ମାନସିକ ଅନଗ୍ରସର ମହିଳା। ଏକ ହତ୍ୟା ମାମଲାରେ ଭିଣୋଇ ଜେଲ୍‌ ଯିବା ପରେ ୨୦୧୪ରେ ଭଉଣୀକୁ ଲୁଥେରାନ୍‌ ସ୍ବଧାର ଗୃହରେ ରହିବା ପାଇଁ ଛାଡ଼ି ଦେଇଥିଲୁ। ଯେତେବେଳେ ସେ ଆସିିଥିଲେ, ଗର୍ଭବତୀ ଥିଲେ। ସେହିବର୍ଷ ଡିସେମ୍ବରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ପାଇବା ପରେ ଭଉଣୀ ଓ ଭଣଜାକୁ ଦେଖିବା ପାଇଁ ସେମାନେ ଆସିଥିଲୁ। କିନ୍ତୁ ପିଲା ଏହି ଅନାଥ ଆଶ୍ରମରେ ରହିବ ବୋଲି କର୍ତୃପକ୍ଷ କହିବା ପରେ ସେମାନେ ଫେରି ଯାଇଥିଲେ। ଏହାପରେ ଦୁଇ ତିନି ଥର ଦେଖା କରିବାକୁ ଆସିଥିଲେ ବି କର୍ତୃପକ୍ଷ ନିୟମର ଦ୍ବାହି ଦେଇ କେବେ ସେମାନଙ୍କୁ ଭିତରକୁ ଛାଡ଼ି ନଥିଲେ। ଗେଟ୍‌ ବାହାରେ ଭଉଣୀକୁ ଦେଖା କରାଇ ଫେରାଇ ଦେଇଥିଲେ। ପରବର୍ତୀ ସମୟରେ ଭଉଣୀର ଗର୍ଭରୁ ୨୦୧୬, ଏପ୍ରିଲ୍‌ ଏବ˚ ୨୦୨୦, ଏପ୍ରିଲ୍‌ରେ ଆଉ ଦୁଇଟି ପୁଅ କଟକ ବଡ଼ ମେଡିକାଲ୍‌ ଓ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ। ତୃତୀୟ ପିଲା ଭଉଣୀ ପାଖରେ ଥିବା ବେଳେ ଆଉ ଦୁଇଟି ପିଲା କେଉଁଠି, ସେ ସ˚ପର୍କରେ ସେମାନଙ୍କୁ କେହି ଜଣାଉନାହାନ୍ତି। ସମିତି କର୍ତୃପକ୍ଷ ଦୁଇ ଶିଶୁଙ୍କୁ ବିକି ଦେଇଥିବା ଶୁଣିବାକୁ ପାଉଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୀଡ଼ିତାଙ୍କ ଭାଇ ଏସ୍‌ପିଙ୍କ ନିକଟରେ ଦାବି କରିଛନ୍ତି।

ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଲୁଥେରାନ୍‌ ଆସିବା ପରଠୁ ଭିଣୋଇ ସହିତ ଭଉଣୀର କୌଣସି ସ˚ପର୍କ ନାହିଁ। ଏଭଳି ସ୍ଥିତିରେ ଯେଉଁମାନେ ଭଉଣୀକୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି ଏବ˚ ଶିଶୁ ବିକ୍ରି କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୀଡ଼ିତାଙ୍କ ଭାଇ ଏଭଳି ଅଭିଯୋଗ ଏସ୍‌ପିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଏବ˚ ଶିଶୁ ମ˚ଗଳ କମିଟି(ସିଡବ୍ଲୁସି)ରେ କରିଛନ୍ତି।
ଅନ୍ୟପକ୍ଷରେ ଏଭଳି ସ˚ଗିନ ଅଭିଯୋଗର ମାମଲା ରୁଜୁ ହେବା ପରେ ଅତିରିକ୍ତ ଏସ୍‌ପି ବ୍ରହ୍ମାନନ୍ଦ ଗାଗାରିନ୍‌ ମହାନ୍ତି, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ତା, ତଦନ୍ତ ଦାୟିତ୍ବରେ ଥିବା ମହିଳା ଇନସ୍ପେକ୍ଟର‌୍‌ ସସ୍ମିତା ବେହେରା ଏବ˚ ମାର୍ଶାଘାଇ ଥାନାଧିକାରୀ କାଳନ୍ଦୀ ବେହେରା ସ˚ଧ୍ୟାରେ ଲୁଥେରାନ୍‌ ସମିତି କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିବା ସହିତ ଘଟଣା ସ˚ପର୍କରେ ଅନୁଷ୍ଠାନର କର୍ତୃପକ୍ଷଙ୍କୁ ପଚରାଉଚରା କରିଛନ୍ତି। ଅତିରିକ୍ତ ଏସ୍‌ପି ବ୍ରହ୍ମାନନ୍ଦ ଗାଗାରିନ୍‌ ମହାନ୍ତି କହିଛନ୍ତି ପୀଡ଼ିତାଙ୍କ ଭାଇର ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି।