ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ତରୀମୂଳ ପଞ୍ଚାୟତ ତୁଳସୀପୁର ଗ୍ରାମର ଷେଣ୍ଢେଇ ନଦୀକୂଳରେ ଗାଈ ଚରାଉଥିବାବେଳେ ଜଣେ ଯୁବକଙ୍କୁ ଏକ ବିରାଟ ଅଜଗର ଟାଣିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସଂଜ୍ଞାହୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡାର ବୁଡ଼ୁ ମାଝୀ (୨୫) ତୁଳସୀପୁର ଗ୍ରାମର ବାବାଜି ପାଢ଼ୀଙ୍କ ଘରେ ରହି କାମଧନ୍ଦା କରୁଥିଲେ। ଆଜି ଅପରାହ୍‌ଣରେ ସେ ଗାଈ ଚରାଇବାକୁ ଷେଣ୍ଢେଇ ନଦୀକୂଳକୁ ଆଉଜଣେ ଛୋଟପିଲା ସହ ଯାଇଥିଲେ। ପ୍ରାୟ ସାଢ଼େ ୩ଟାବେଳେ ଏକ ପଥରଖୋଲ ନିକଟକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍ ଏକ ବିରାଟ ଅଜଗର ବୁଡ଼ୁଙ୍କ ଦେହରେ ଗୁଡ଼ାଇ ହୋଇ ତାଙ୍କୁ ଟାଣି ନେଇଥିଲା। ବୁଡ଼ୁ ଖୁବ୍‌ ଜୋରରେ ଚିତ୍କାର କରିଥିଲେ। ସେଠାରେ ଥିବା କିଛି ଲୋକ ଏନେଇ ତୁଳସୀପୁର ଗ୍ରାମକୁ ଖବର ଦେଇଥିଲେ। ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ସେଠାରେ ପହଞ୍ଚିବା ବେଳକୁ ବୁଡ଼ୁ ସଂଜ୍ଞାହୀନ ଅବସ୍ଥାରେ ନଦୀକୂଳରେ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଚେତା ଫେରିବା ପରେ ସେ ବଖାଣିଛନ୍ତି ଅଜଗର ସହ ସଂଘର୍ଷର କଥା। ଆଜଗର ତାଙ୍କୁ ଗୁଡ଼ାଇ ଗିଳିବାକୁ ବସିଥିଲା। ଏହି ସମୟରେ ସେ ସାହସ କରି ଅଜଗର ପାଟିକୁ ଦୁଇ ହାତରେ ଭିଡ଼ିଧରିଥିଲେ। ବେଶ୍‌ କିଛି ସମୟ ସଂଘର୍ଷ ପରେ ଅଜଗର ପାଶରୁ ସେ ମୁକୁଳିଥିଲେ। ସାପଟି କୁଆଡ଼େ ଚାଲିଯାଇଥିଲା। କିନ୍ତୁ ସେ ଚେତା ହରାଇଥିଲେ ବୋଲି କହିଛନ୍ତି ।

ଖବର ପାଇ ଦେଓଗାଁ ରେଂଜର ସୁରେନ୍ଦ୍ର କୁମାର ହେମ୍ବ୍ରମଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସାପଟି ଖୋଲ ଭିତରେ ପଶି ରହିଥିବା ରେଞ୍ଜର ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ସେଠାରୁ ପୂର୍ବରୁ ଦୁଇଟି ଅଜଗରକୁ ଧରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପଥରଖୋଲରେ ଆଉ ଏକ ଅଜଗର ରହୁଥିବା ଗ୍ରାମବାସୀ କହିଛନ୍ତି।