ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ବନ୍ଦିକାର ଗାଁ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ବୁଲେଟ୍ ଧକ୍କାରେ ଜଣେ ନାବାଳକ ଗୁରୁତର ହୋଇଛି। ଗୁରୁତରକୁ ଲକ୍ଷ୍ମୀପୁର ମେଡିକାଲ୍ରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା। ନାବାଳକର ଗୋଡ ଭାଙ୍ଗି ଯିବା ସହ ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ନାବାଳକକୁ କୋରାପୁଟ ନେବା ପାଇଁ କୌଣସି ସୁବିଧା ନଥିବା ଦେଖି ପରିବାର ବର୍ଗ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗରିବ ଆଦିବାସୀ ପରିବାରଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ମିଳି ନଥିଲା। ଏପରିକି ବାରମ୍ବାର ୧୦୮କୁ ଫୋନ କରିବା ପରେ ୮୦ କିଲୋମିଟର ଦୂର ନନ୍ଦପୁରରୁ ଏକ ଆମ୍ବୁଲାନ୍ସ ଯିବ ବୋଲି ହେଲ୍ପ ଲାଇନ ତରଫରୁ କୁହାଯାଇଥିଲା। କିନ୍ତୁ ଏତେ ସମୟ ଅପେକ୍ଷା କରିବା ପାଇଁ ସମୟ ନଥିଲା।
ଗୁରୁତର ନାବାଳକ ପାଇଁ ବିପଦ ବଢୁଥିବା ଦେଖି ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ ସ୍ଥାନୀୟ ମେଡିକାଲର ଥିବା ଅନ୍ୟ ଏକ ଆମ୍ବୁଲାନ୍ସକୁ ସାମ୍ବାଦିକମାନଙ୍କ ସହଯୋଗରେ ଅଣାଯାଇ ତେଲ ପକାଯିବା ପରେ ନାବାଳକକୁ କୋରାପୁଟ ନିଆଯାଇଥିଲା।
ଖବର ନେବାରୁ ଜଣାପଡିଛି ଯେ, କେଲାର ଗ୍ରାମର ସୁନିଲ କୌଶଲ୍ୟା ଓ ସାଗର ଚେଟି ଦୁହେଁ ଓଡି୧୦ଏଲ.୨୫୫୨ ନମ୍ବର ଥିବା ବୁଲେଟ ଧରି ଲକ୍ଷ୍ମୀପୁର ଅଭିମୁଖେ ରାୟଗଡା ପଟରୁ ଆସୁଥିବା ବେଳେ ବନ୍ଦିକାର ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଛିଡା ହୋଇ କିଛି ଆଦିବାସୀ ପିଲା ଫୁଲ ବିକୁଥିଲେ। ସେହି ସମୟରେ ଅଙ୍କ ମିଣିଆକାଙ୍କ ପୁଅ ଆକାଶ ମିଣିଆକା (୮) ରାସ୍ତା ପାର ହେବା ସମୟରେ ଧକ୍କା ହୋଇଥିଲା। ଫଳରେ ବୁଲେଟ୍ ଚାଳକ ଦୁଇଜଣ ଆହତ ହୋଇ ତଳେ ପଡି ଯାଇଥିବା ବେଳେ ଆକାଶ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିଲା। ଏହା ଦେଖି ଆଖପାଖର ଲୋକେ ତିନିଜଣଙ୍କୁ ଆଣି ଲକ୍ଷ୍ମୀପୁର ଡାକ୍ତରଖାନାରେ ପହଁଚାଇଥିଲେ। ବୁଲେଟ ଚାଳକ ଦୁଇଜଣଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲା ବେଳେ ନାବାଳକକୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ଏପରିକି ଛାତ୍ରର ଚିକିତ୍ସା ପାଇଁ ୫ହଜାର ଟଙ୍କା ପ୍ରଦାନ କରିଥିଲେ। ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରାଜାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/laxmi-1.jpg)