ବାପାଙ୍କ ପରେ ଚିକିତ୍ସା ଅଭାବରୁ ଚାଲିଗଲେ ମା’, ଶୁଦ୍ଧିକ୍ରିୟା ପାଇଁ ନାବାଳକ ମାଗୁଛି ଭିକ

ରାଜନଗର: ଦୁଇବର୍ଷ ତଳେ ବିଦ୍ୟୁତ୍‌ ଆଘାତରେ ବାପାଙ୍କ ମୃତ୍ୟୁ ଘଟିଥିଲା। ଜ୍ୱରରେ ପଡ଼ି ଚିକିତ୍ସା ଅଭାବରୁ ଏବେ ଚାଲିଗଲେ ମା’। ବାପା, ମା’ଙ୍କୁ ହରାଇ ଏକା ହୋଇଯାଇଛନ୍ତି ୧୪ ବର୍ଷର ୧୦ମ ଶ୍ରେଣୀ ଛାତ୍ର ଭାଗବତ। ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାରଠୁ ଆରମ୍ଭ କରି ଦଶଦିନ ଯାଏ ଖାଦ୍ୟପେୟ କଥା ଗ୍ରାମବାସୀ ବୁଝୁଛନ୍ତି। ଗାଁରେ ଭିକ ମାଗି ଓ ଗ୍ରାମବାସୀଙ୍କ ସହଯୋଗରେ ୧୪ ବର୍ଷର ବାଳକ ମା’ଙ୍କ ଦଶାହ ଓ ଏକାଦଶାହ କର୍ମ କରୁଛନ୍ତି। ସରକାର ହରିଶ୍ଚନ୍ଦ୍ର ଯୋଜନା କରିଥିଲେ ମଧ୍ୟ ଏଭଳି ଅସହାୟ ନାବାଳକକୁ ମା’ର ଶବ ସତ୍କାର ପାଇଁ ସହାୟତା ଦିଆଯାଇନି। କେବଳ ହରିଶ୍ଚନ୍ଦ୍ର ସହାୟତା ନୁହେଁ, ବିଧବା ଭତ୍ତା ପାଇଁ ଦୌଡ଼ି ଦୌଡ଼ି ଶେଷରେ ଭାଗବତଙ୍କ ମା’ ଆଖିବୁଜି ଦେଇଛନ୍ତି। ଅନାଥ ଭାଗବତ ଏବେ କେମିତି ରହିବେ, କ’ଣ ଖାଇବେ, କିପରି ପାଠ ପଢ଼ିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି।
ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଚମ୍ପାଦିଆ ଗାଁର ବେସାହାରା ବାଳକ ଭାଗବତ ଦାସ (୧୪)। ବାପା ଗୁରୁବାରି ଦାସ (୪୫)ଙ୍କ ୨ ବର୍ଷ ତଳେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଥିଲା। ନଭେମ୍ବର ୧ ତାରିଖ ଦିନ ମା’ ଉଲି ଦାସ (୪୩)ଙ୍କ ମୃତ୍ୟୁ ଘଟିଛି। ଉଲି ୫ଦିନ ଧରି ଭଙ୍ଗା ଘର ଭିତରେ ଜ୍ୱରରେ କମ୍ପୁଥିଲେ। ପାଖରେ ଟଙ୍କା ନ ଥିବାରୁ ଏବଂ ଘରେ ନାବାଳକ ପୁଅ ଛଡ଼ା ଆଉ କେହି ନ ଥିବାରୁ ଚିକିତ୍ସା ନ ପାଇ ଘରେ ପଡ଼ି ରହିଥିଲେ। ଅସୁସ୍ଥତା ଯୋଗୁଁ ରୋଷେଇ କରି ନ ପାରିବାରୁ ଉପବାସ ବି ରହିଥିଲେ। ଅକ୍ଟୋବର ୩୧‌ରେ ଘରୁ ବାହାରକୁ ବାହାରୁଥିବା ବେଳେ ପଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡମେଡିକାଲରେ ଭର୍ତ୍ତି କରିଥିଲେ। ନଭେମ୍ବର ୧ରେ ଉଲିଙ୍କ ମୃତ୍ୟୁ ଘଟିଥିଲା। ଗାଁରେ ମୃତଦେହ ପହଞ୍ଚିବା ପରେ କିପରି ଶବ ସତ୍କାର ହେବ ସେ ନେଇ ଭାଳେଣି ପଡିଥିଲା। ଜମି ବାଡି ନଥିବା ବେଳେ ୧ ଡେସିମିଲ ଜମିରେ ଥିବା ଚାଳଘର ସମ୍ବଳ। ଗୁରୁବାରିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଭତ୍ତା ମିଳି ପାରି ନ ଥିଲା।

ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଆବେଦନପତ୍ର ଦେବା ସହ ୨ ବର୍ଷ କାଳ ଦୌଡ଼ି ଦୌଡ଼ି ଶେଷରେ ଆଖି ବୁଜିଦେଲେ ଉଲି। ମା’ଙ୍କ ଶବ ସତ୍କାର କିପରି କରିବେ, ସେ ନେଇ ଚିନ୍ତାରେ ପଡିଥିଲେ ଭାଗବତ। ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦେବାକୁ ଗ୍ରାମବାସୀ, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖବର ଦେଇଥିଲେ। ମାତ୍ର କେହି ସହାୟତା ଦେଲେ ନାହିଁ, କିମ୍ବା ଶୁଦ୍ଧିକ୍ରିୟା ସମୟରେ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶି ପହଞ୍ଚି ପାରିଲା ନାହିଁ। ଗ୍ରାମବାସୀଙ୍କ ସହଯୋଗରେ ଉଲିଙ୍କ ଶବ ସତ୍କାର ହେଲା। ଗାଁର ହାଡ଼ିବନ୍ଧୁ ଜେନା, ସୁଶାନ୍ତ ଜେନା, ପଞ୍ଚାନନ ଦାସ, ରବୀନ୍ଦ୍ର ଜେନା, ଶ୍ରୀଧର ଜେନା, ହଳଧର ଜେନା, ରଂଜନ ଜେନା ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ ଶବସତ୍କାର ହୋଇଥିଲା। ପରିବାରରେ କେହି ନଥିବା ବେଳେ ଭାଗବତଙ୍କ ଦାଦା ମୁକ ଓ ବଧିର। ଅନାଥ ଭାଗବତ ଗାଁରେ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗି ଟଙ୍କା ସଂଗ୍ରହ କରିଛନ୍ତି। ଏଥିସହ ଗ୍ରାମବାସୀ ଚମ୍ପାଦିଆ, ପଦିନୀ, ମଦରଙ୍ଗା, ଭେଡିସାହି ଗାଁର ଘରକୁ ଘର ବୁଲି ସହାୟତା ଆଣିବା ସହ ନାବାଳକର ଖାଦ୍ୟପେୟ ସହିତ ଶବସତ୍କାର ଓ ଦଶାହ କର୍ମ ଶେଷ କରିଛନ୍ତି। କେରେଡ଼ାଗଡ଼ସ୍ଥିତ ଶ୍ରୀଜଗନ୍ନାଥ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଭାଗବତ ଆଗକୁ କିପରି ପାଠ ପଢ଼ିବେ, ଦି’ ଓଳି ଦି’ ମୁଠା ଖାଇବ ଓ କେଉଁଠି ରହିବେ ସେ ନେଇ ପ୍ରଶାସନ ସମସ୍ତ ଦାୟିତ୍ୱ ଗ୍ରହଣ କରୁ ବୋଲି ଗ୍ରାମବାସୀ କହିଛନ୍ତି। ସରକାର ଜନ୍ମରୁ ମୃତ୍ୟୁ ଯାଏ ସରକାରୀ ସହାୟତା ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ଏହି ପରିବାର ଏଥିରୁ ବଞ୍ଚିତ ହେବା ପରିତାପର ବିଷୟ ହୋଇଛି।

ସମ୍ବନ୍ଧିତ ଖବର