ରାୟଗଡ଼ା: ଲକ୍ଷ୍ୟ ଆଇଏଏସ୍ ହେବେ। ଗରିବ ପରିବାରର ଭାଗ୍ୟ ବଦଳାଇବା ସହ ମାଆ, ମାଟିର ସେବା କରିବେ। କିନ୍ତୁ ପଛୁଆବର୍ଗର ଯୁବକ ସଦାନନ୍ଦ ଭତ୍ରାଙ୍କ ଏପରି ସ୍ବପ୍ନ ଆଗରେ ବାଧକ ସାଜିଛି ଅର୍ଥ। ବାପା ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିବାରୁ ଆଇଏଏସ୍ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହାୟତା ନିବେଦନ କରିଛନ୍ତି ସଦାନନ୍ଦ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ମେଲେକାଜୁବା ଗ୍ରାମର ଯୁବକ ସଦାନନ୍ଦ। ପିଲାଟି ଦିନରୁ ଗରିବୀ ପିଛା ଛାଡିନି। ବାପା ସୁରମାଳି ଭତ୍ରା ବୃତ୍ତିରେ ଗାଈ ଚରାଳି। ମାଆ ହାରାବତୀ ଜଙ୍ଗଲ ଜମିରେ କାମ କରି ପରିବାର ପ୍ରତିପୋଷଣରେ ସହାୟତା କରୁଛନ୍ତି। ବାରମ୍ବାର ଆବେଦନ ସତ୍ତ୍ବେ ଏହି ଗରିବ ପରିବାରକୁ ବିଜୁ ପକ୍କା ଘର କିମ୍ବା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନି। ଜରାଜୀର୍ଣ୍ଣ ଆଜବେଷ୍ଟ ଘରେ ପରିବାର ମୁଣ୍ଡ ଗୁଞ୍ଜିଥିବା ବେଳେ ରାସନ କାର୍ଡ ବାବଦରେ ଯାହା ଚାଉଳ ମିଳୁଛି ତାକୁ ନେଇ ତେଲ ଲୁଣର ସଂସାର ଚଳାଇଛନ୍ତି ସଦାନନ୍ଦଙ୍କ ବାପା ସୁରମାଳି।
/sambad/media/post_attachments/wp-content/uploads/2022/08/RGD_Sadananda-3.jpg)
ଅଭାବ, ଅନଟନ, ବାଧାବିଘ୍ନ ସତ୍ତ୍ବେ ଜୀବନରେ ଭଲ ମଣିଷ ହେବାର ଆଶା, ଆକାଂକ୍ଷା ନେଇ ପାଠ ପଢ଼ି ଚାଲିଛନ୍ତି ସଦାନନ୍ଦ। ସଦାନନ୍ଦଙ୍କ ଇଚ୍ଛାଶକ୍ତି ଆଗରେ ଦୁଃଖ କଷ୍ଟ, ଅଭାବ, ଅନଟନ ତୁଚ୍ଛ ହୋଇଥିବା ବେଳେ କେବଳ ଅର୍ଥ ସାଜିଛି ମୁଖ୍ୟ ପ୍ରତିବନ୍ଧକ। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରିଭଲକୋଣା ସ୍କୁଲରେ ଶିକ୍ଷା ସମାପ୍ତ କରିବା ପରେ କୋଲନରା ଜଗଦମ୍ବା ହାଇସ୍କୁଲରେ ଅଷ୍ଟମ, ପାରଳାଖେମୁଣ୍ଡି ବିକାଶ ବିଦ୍ୟା ନିକେତନରେ ନମବ, ଦଶମ ଶ୍ରେଣୀ ପଢ଼ିଥିଲେ ସଦାନନ୍ଦ। ମାଟ୍ରିକ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ।
/sambad/media/post_attachments/wp-content/uploads/2022/08/RGD_Sadananda-2.jpg)
ଯୁକ୍ତଦୁଇ ଅଧ୍ୟୟନ ପାଇଁ ରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟରେ ନାମ ଲେଖାଇ କଳା ବିଭାଗରେ ୪୫୫ ନମ୍ବର ରଖି ରାୟଗଡ଼ା କଲେଜ ଟପ୍ପର ହୋଇଥିଲେ ସଦାନନ୍ଦ। ଏହା ପରେ ଯୁକ୍ତତିନିରେ ନାମ ଲେଖାଇ ଅର୍ଥନୈତିକ ସମ୍ମାନ ରଖି ଅଧ୍ୟୟନ ଜାରି ରଖିଥିଲେ। ଚଳିତବର୍ଷ ଯୁକ୍ତତିନି ପରୀକ୍ଷାରେ ୮୨ ପ୍ରତିଶତ ମାର୍କ ରଖି ସଫଳତାର ସହ କୃତକାର୍ଯ୍ୟ ହେବା ପରେ ଆଇଏଏସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସଦାନନ୍ଦ। ଭୁବନେଶ୍ବରରେ ରହି କୋଚିଂ ନେବାକୁ ଇଚ୍ଛା ରଖିଛନ୍ତି ସଦାନନ୍ଦ। ହେଲେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହାୟତା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ସଦାନନ୍ଦ। ସଦାନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ନିବେଦନ ପତ୍ରକୁ ଟୁଇଟ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଫୋନ ମାଧ୍ୟମରେ ସଦାନନ୍ଦଙ୍କୁ ଯୋଗାଯୋଗ କରାଯାଇଛି। ସୋମବାର ରାୟଗଡ଼ା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ସଦାନନ୍ଦଙ୍କୁ ପରାମର୍ଶ ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଯାହା ସଦାନନ୍ଦଙ୍କ ମନରେ ଉତ୍ସାହ ଭରିଛି।