ବାଲିଅନ୍ତା: ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ ଲୁଣାଗ୍ରାମର (ନାଏକସାହି) ଧର୍ମାନନ୍ଦ ନାଏକ(୭୨)। ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତା କାରଣରୁ ଏବେ ସେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ଶରୀର ଅତ୍ୟଧକ ଦୁର୍ବଳ ହୋଇପଡ଼ିଥିବା ବେଳେ ଚାଲିବାକୁ ବଳ ପାଉ ନାହିଁ କି ଆଖିକୁ ଭଳକରି ଦିଶୁନି। ଭୋକ ଉପାସରେ ରହି ଶରୀର ଅଚଳ ହୋଇପଡ଼ିଛି। ଏଭଳି ଭାବରେ ଭଙ୍ଗା କୁଡ଼ିଆ ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ନିଃସହାୟ ଧର୍ମାନନ୍ଦଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପଡ଼ୋଶୀ ରଣପୁର ଗ୍ରାମର ପିଲା।
ଭେଦାଚାନ୍ଦା କରି ଝୁମ୍ପୁଡ଼ି ଉପରେ ପଲିଥିନ ପକାଇବା ସହ କାନ୍ଥ ଝାଟିମାଟି କରିଛନ୍ତି। ବିଛଣା ଏବଂ ଶୁଖିଲା ଖାଦ୍ୟ ଆଦି ସାମଗ୍ରୀ ଯୋଗାଇ ଦେଇଛନ୍ତି। ଖାଲି ସେତିକି ନୁହେଁ ଚିକିତ୍ସା ଦାୟିତ୍ବ ବି ତୁଲାଇଛନ୍ତି। ୧୦୮ ଆମ୍ବୁଲାନ୍ସରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଧର୍ମାନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବଡ଼କଥା ହେଉଛି, ସେବା ଯତ୍ନ ଲାଗି ତାଙ୍କର କେହି ନଥିବାରୁ ପିଲାମାନେ ତାଙ୍କ ପାଖେପାଖେ ରହି ଦେଖାଶୁଣା କରୁଛନ୍ତି। ଗାଁ ଓ ସାହିର ବୟସ୍କ ଲୋକମାନେ ଧର୍ମାନନ୍ଦଙ୍କ ପ୍ରତି ଆନ୍ତରିକତା ପ୍ରଦର୍ଶନ କରିନଥିବା ବେଳେ ଛୋଟ ଛୋଟ ପିଲାମାନଙ୍କର ସାହାଯ୍ୟ ମନୋଭାବ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/post_attachments/wp-content/uploads/2021/08/WhatsApp-Image-2021-08-01-at-6.15.53-PM.jpeg)
ପରିବାର କହିଲେ ଧର୍ମାନନ୍ଦଙ୍କର କେହି ନାହାନ୍ତି। ଲୁଣାଗ୍ରାମରେ ସରକାରୀ ଜାଗାରେ ରହୁଛନ୍ତି ଧର୍ମାନନ୍ଦ। ଗତ ୧୦ ବର୍ଷ ତଳେ ଧର୍ମାନନ୍ଦଙ୍କର ପତ୍ନୀ ଦେବ ନାୟକଙ୍କର ମୃତ୍ୟୁ ହୋଇଯିବା ପରେ ଏକୁଟିଆ ହୋଇପଡ଼ିଛନ୍ତି ସେ। ଧର୍ମାନନ୍ଦଙ୍କର ଏଭଳି ଅସହାୟ ଅବସ୍ଥାଠାରୁ ବଳିପଡ଼ିଛି ସ୍ଥାନୀୟ ପ୍ରଶାସନ, ଜନପ୍ରତିନିଧି ଓ ସ୍ବାସ୍ଥ୍ୟକର୍ମୀଙ୍କ ଯାତନା। ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କିଲ ଚାଉଳ ପାଉଥିଲେ ହେଁ ସରକାରଙ୍କ ଅନ୍ୟାନ୍ୟ ଜନ କଲ୍ୟାଣ ଯୋଜନା ତାଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ମହାବାତ୍ୟା ଓ ଫନିରେ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିଲେ ମଧ୍ୟ ଘରଡିହ ନଥିବାରୁ ସରକାରଙ୍କ ଘରଭଙ୍ଗା ସହାୟତା ଅର୍ଥ ମିଳିପାରିନି। ସେହିପରି ମାସକୁ ୩୫ କିଲ ଚାଉଳ ପାଇବା ପାଇଁ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ତାଙ୍କୁ ଅନ୍ତଭୁର୍କ୍ତ କରାଯାଇ ନାହିଁ। ଗାଁ କଲ୍ୟାଣ ସମିତିର ସ୍ବାସ୍ଥ୍ୟ କର୍ମୀମାନେ ତାଙ୍କ ଚିକିତ୍ସା ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବସୁନ୍ଧରା ଯୋଜନାରେ ଘରଡିହ ଯୋଗାଇ ଦେବା ନେଇ ତହସିଲ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଧର୍ମାନନ୍ଦଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/WhatsApp-Image-2021-08-01-at-6.14.45-PM.jpeg)