ଆଳି: ଆଳିର ସୁରକ୍ଷା ବଳୟ କୁହାଯାଉଥିବା ବନ୍ୟା ନିରୋଧକ ରିଂବନ୍ଧର ଠିକ୍ ଅପରପାର୍ଶ୍ବରେବ୍ରାହ୍ମଣୀ ନଦୀ ଧାରରେ ଅବସ୍ଥିତ ସାହୁପଡା ଗାଁ। ଆଳି ବ୍ଲକ ବଡାମ୍ବିଳା ଗ୍ରାମ ପଞ୍ଚାୟତ ଅଧୀନ ଏହି ଗ୍ରାମର ୪ଟି ଓ୍ବାର୍ଡରେ ବାସ କରନ୍ତି ୨୦୦ ପରିବାର। ବ୍ଲକ ସଦର ମହକୁମାଠାରୁ ମାତ୍ର ୬ କିମି ଦୂରବର୍ତ୍ତୀ ନଈ ଅତଡା ଧାରରେ ଝୁଲୁଥିବା ଏହି ଗ୍ରାମର ଅଧିବାସୀ ବର୍ଷା ଦିନ ଆସିଲେ ଭାଗ୍ୟ ଓ ଭଗବାନଙ୍କ ଉପରେ ଭରସା କରି ଜୀବନ କାଟନ୍ତି। ନଦୀରେ ବନ୍ୟା ଆସିଲେ ଧନ ଜୀବନ ଭାସିଯିବାର ଆଶଙ୍କାରେ ଆଖିରୁ ନିଦ ହଜିଯାଏ। ଏବେ ସୁଦ୍ଧା ଗ୍ରାମର ଉଦକର ମହି, ଅଧିକାରୀ ଖଣ୍ଡୁଆଳ, କଳ୍ପତରୁ ଖଣ୍ଡୁଆଳ, ନବୀନ ପ୍ରଧାନ, ବୁଲାକର ପରିଡା, ଦୁଃଶାସନ ପରିଡା, ବଳରାମ ମଲ୍ଲ, ଶରତ ମଲ୍ଲ, ଅମୂଲ୍ୟ ମଲ୍ଲ, ରବୀନ୍ଦ୍ର ସ୍ବାଇଁ, ରମାକାନ୍ତ ସାହୁ, ଆନନ୍ଦ ରାଉତ, ଲକ୍ଷ୍ମୀଧର ମହାନ୍ତି, ଗୋବିନ୍ଦ ରାଉତ ପ୍ରମୁଖଙ୍କ ଶତାଧିକ ବାସଗୃହ ଲୀନ ହୋଇଗଲାଣି ବ୍ରାହ୍ମଣୀ ଗର୍ଭରେ। ବାସହରା ପରିବାର ଗାଁ ଛାଡି କିଏ ଏବେ ରିଂବନ୍ଧ କଡ଼ରେ ତ ଆଉ କିଏ ଅନ୍ୟ ଗାଁରେ ପୁନଃ ଥଇଥାନ ହୋଇ ରହିଛନ୍ତି।
ଗ୍ରାମକୁ ନଦୀ ସ୍ରୋତରୁ ସୁରକ୍ଷା ଦେବା ପାଇଁ ୪୦ ବର୍ଷ ତଳେ ନିର୍ମିତ ହୋଇଥିବା ପଥର ସ୍ପର୍ ଭାଙ୍ଗିରୁଜି ବିପର୍ଯ୍ୟସ୍ତ ହୋଇ ଭାସି ଯାଇଥିବା ବେଳେ ଅତଡା ଧାରରେ କେବଳ ପଥର କେତେଖଣ୍ଡ ଲେଖାଏ ପଡି ରହିଛି। ନୂତନ ଭାବେ ସ୍ପର୍ ଓ ପଥର ପ୍ୟକିଂ ପାଇଁ ଗ୍ରାମବାସୀ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କୁ ବର୍ଷ ବର୍ଷ ଧରି ଗୁହାରି କରି ଆସୁଛନ୍ତି। ହେଲେ, ଗ୍ରାମର ସୁରକ୍ଷା ପାଇଁ ଏଯାବତ ବ୍ୟବସ୍ଥା ହୋଇ ପାରିନାହିଁ। ତେବେ ଏହି ନଦୀକୂଳ ଅଧିବାସୀଙ୍କ କ୍ରମାଗତ ହାରିଗୁହାରି, ଦାବି ପରେ ପଥର ପ୍ୟାକିଂ ବ୍ୟବସ୍ଥା ପାଇଁ ଜଳସମ୍ପଦ ବିଭାଗର ପଦକ୍ଷେପ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି। ଆଉ କାଳକ୍ଷେପଣ ନୀତି ଅବଲମ୍ବନ ନ କରି ସାହୁପଡା ଗ୍ରାମକୁ ବ୍ରାହ୍ମଣୀ କବଳରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଆ ନଗଲେ ଓଡିଶାର ମାନଚିତ୍ରରୁ ହଜି ଯିବ ସାହୁପଡା ଗାଁର ଚିହ୍ନବର୍ଣ୍ଣ।
ସେମାନେ ଯାହା କୁହନ୍ତି...
ନଈର ଅତଡା ଉପରେ ଆମେ ଧନଜୀବନ ଧରି ଆତଙ୍କିତ ଭାବରେ ଜୀବନ ଧାରଣ କରୁଛୁ। ବର୍ଷା ଋତୁରେ ବନ୍ୟା ସମୟରେ ଗ୍ରାମବାସୀ ରାତି ଅନିଦ୍ରା ହୋଇ ଜୀବନ ବଞ୍ଚିଥାଉ। ଗ୍ରାମର ସୁରକ୍ଷା ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ତୁରନ୍ତ ପଥର ପ୍ୟାକିଂ ବ୍ୟବସ୍ଥା କରି ଆମ ଗ୍ରାମର ସୁରକ୍ଷା ନିମନ୍ତେ ସରକାର ପଦକ୍ଷେପ ନିଅନ୍ତୁ।
-ଅନାଦି ଚରଣ ଜେନା, ଗ୍ରାମବାସୀ
ବାସ୍ତବ କ୍ଷେତ୍ରରେ ବଡାମ୍ବିଳା ପଞ୍ଚାୟତର ସାହୁପଡା ଗ୍ରାମ ବ୍ରାହ୍ମଣୀ ନଦୀର କରାଳ ଗ୍ରାସରେ ଲୀନ ହୋଇଯିବ। ଗ୍ରାମର ଗୋଟିଏ ପାର୍ଶ୍ବର ଶତାଧିକ ବାସଗୃହ ଏବେ ଅତଡା ଧାର ଉପରେ ରହିଛି। ଏହି ଗ୍ରାମର ସୁରକ୍ଷା ପାଇଁ ତୁରନ୍ତ ପଥର ପ୍ୟାକିଂ ବ୍ୟବସ୍ଥା କରାଯିବା ଆବଶ୍ୟକ।
-ବିମ୍ବାଧର ବାରିକ, ସାହୁପଡା
ଗତ ୪୦ ବର୍ଷ ତଳେ ନିର୍ମାଣ କରାଯାଇଥିବା ପଥର ସ୍ପର୍ ଯୋଗୁଁ ଗ୍ରାମ କିଛି ମାତ୍ରାରେ କିଛି ବର୍ଷ ପାଇଁ ସୁରକ୍ଷା ପାଇଥିଲା।ଧିରେଧିରେ ସ୍ପର ନଦୀସ୍ରୋତରେ ହଜିଗଲା। ଏବେ ନଦୀ ପୁଣି ଗାଁ ମୁହାଁ ହୋଇଛି। ଗ୍ରାମର ସୁରକ୍ଷା ପାଇଁ ତୁରନ୍ତ ବ୍ୟବସ୍ଥା ହେଉ।
-ସନାତନ ଖଣ୍ଡୁଆଳ, ଗ୍ରାମବାସୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/IMG-20220724-WA0087_6.jpg)