ବାରିପଦା: ବାଲ୍ୟକାଳରୁ ବିଭିନ୍ନ ଦୌଡ଼କୁଦ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇଥିଲେ। ପରେ ଫୁଟବଲରେ ଦେଖାଇଥିଲେ ନିଜର ଅସାଧାରଣ କଳାଚାତୁରୀର ଅପୂର୍ବ ନିଦର୍ଶନ। ମୟୂରଭଞ୍ଜରେ ସ୍ବାଧୀନତା ପୂର୍ବରୁ ସେ ପ୍ରତିଷ୍ଠା କରିଥିଲେ ଲୋକପ୍ରିୟ କ୍ରୀଡ଼ା ଫୁଟବଲର ଭିତ୍ତିଭୂମି। କହିବାକୁ ଗଲେ ସେ ଥିଲେ ସ୍ବାଧୀନତା ପୂର୍ବବର୍ତ୍ତୀ ମୟୂରଭଞ୍ଜ ରାଜ୍ୟରେ ଫୁଟବଲ୍ର ପ୍ରାଣପ୍ରତିଷ୍ଠାତା। ଏହି ଖେଳରେ ତାଙ୍କର ବିଚକ୍ଷଣ କୌଶଳ ଓ ସାଂଗଠନିକ ଦକ୍ଷତା କାରଣରୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ମୟୂରଭଞ୍ଜର ଟେକ ରହିଥିଲା। ସେ ହେଉଛନ୍ତି ବିଶିଷ୍ଟ କ୍ରୀଡ଼ାବିତ ତଥା ମୟୂରଭଞ୍ଜରେ ଫୁଟବଲର ଆଦ୍ୟଗୁରୁ ବ୍ରଜ ସୁନ୍ଦର ଦାଶ।
୧୯୦୫ ମସିହା ଜୁଲାଇ ପହିଲାରେ ଜନ୍ମଗ୍ରହଣ କରିଥିବା ବ୍ରଜ ସୁନ୍ଦର କିନ୍ତୁ ଆଜି ଅଚିହ୍ନା ଅଜଣା କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ମୟୂରଭଞ୍ଜରେ ନୁହେଁ, ସମଗ୍ର ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ବିରଳ ସଫଳତା ଲାଭ କରିଥିବା ଭିଜିବିବିଲ ଲେଫଟ ଆଉଟ ବି.ଏସ ବ୍ରଜ ସୁନ୍ଦର ଆଜି ସତରେ ଜନମାନସରୁ ଅଦୃଶ୍ୟ ହୋଇଯାଇଛନ୍ତି। ଜିଲ୍ଲାପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କୁ ପକ୍ଷରୁ ଏଭଳି ବିରଳ କ୍ରୀଡ଼ା ପ୍ରତିଭାଙ୍କୁ କିନ୍ତୁ ମିଳିନି ସେପରି କୌଣସି ମାନ୍ୟତା। ଏପରିକି ସ୍ମୃତିରକ୍ଷା ନେଇ ମଧ୍ୟ କୌଣସି ଉଦ୍ୟମ ହୋଇନାହିଁ। ଯାହାକି ଅଗଣିତ କ୍ରୀଡ଼ାପ୍ରେମୀଙ୍କୁ ଦୁଃଖ ଦେଇଛି।
କିଛି ବର୍ଷ ତଳେ ବାରିପଦା ପୌରପରିଷଦ ପକ୍ଷରୁ ପ୍ରତିଷ୍ଠା କରାଯାଇଥିଲା ଏହି ମହାନ କ୍ରୀଡ଼ା ପ୍ରତିଭାଙ୍କର ଏକ ପ୍ରତିମୂର୍ତ୍ତି। ବାରିପଦାରେ ପ୍ରତିଷ୍ଠା ହୋଇଥିବା ପ୍ରାୟ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତି ସୁରକ୍ଷିତ ଥିବା ସମୟରେ ବ୍ରଜ ସୁନ୍ଦରଙ୍କ ପ୍ରତିମୂର୍ତ୍ତିର କିନ୍ତୁ କୌଣସି ଖୋଜ ଖବର ନାହିଁ । କେବଳ ବାରିପଦା ଷ୍ଟାଡିୟମ୍ ମୁଖ୍ୟ ଫାଟକ ନିକଟରେ ଥିବା ଏକ ଖାଲି ପିଣ୍ଡି ପୌରପରିଷଦର ପୂଜ୍ୟପୂଜା ପରମ୍ପରାକୁ ଦାରୁଣ ପରିହାସ କରୁଛି।
ପୌରପରିଷଦର କର୍ମଚାରୀଙ୍କୁ ମଧ୍ୟ ବ୍ରଜ ସୁନ୍ଦର କିଏ ତାହା ଜଣାନାହିଁ। ଯାହାକି ଆହୁରି ପରିତାପର ବିଷୟ। ବ୍ରଜସୁନ୍ଦର ବନାରସ ବିଶ୍ୱବିଦ୍ୟାଳୟରୁ ମର୍ଯ୍ୟାଦାଜନକ କାବ୍ୟ ସାଂଖ୍ୟତୀର୍ଥ ଉପାଧୀପ୍ରାପ୍ତ ହୋଇ ବାରିପଦା ସଂସ୍କୃତ ଟୋଲରେ ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ବୁଦ୍ଧି ନାଥ ଦାଶଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ବାରିପଦାରେ ଭୂମିଷ୍ଠ ହୋଇଥିଲେ । ମ୍ୟାଟ୍ରିକ୍ ପଢ଼ୁଥିବା ସମୟରେ ହିଁ ପିଲାମାନଙ୍କୁ ନେଇ ସେ ଗଠନ କରିଥିଲେ ବାରିପଦା ଟାଉନ୍ ଦଳ। ପ୍ରଥମ ବର୍ଷ ୧୯୧୯ରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେମୋରିଆଲ ଚ୍ୟାଲେଞ୍ଜ୍ ସିଲ୍ଡ ଟୁର୍ଣ୍ଣାମେଣ୍ଟ ଅଂଶଗ୍ରହଣ କରି ସିଲ୍ଡ ଜିଣିଥିଲେ। ତାଙ୍କ ନେତୃତ୍ବରେ ହାଇସ୍କୁଲ୍ ଦଳ କଟକରୁ ମର୍ଯ୍ୟାଦାଜନକ ‘ଗୁପ୍ତକପ୍’ ବିଜୟୀ ହୋଇଥିଲେ।
୧୯୨୬ରେ କୋଲକାତା ଭବାନୀପୁର ଦଳରେ ଯୋଗଦେଇଥିଲେ ବ୍ରଜ ସୁନ୍ଦର। ସେଠାରେ ସମ୍ମାନଜନକ ଆଇଏପ୍ଏ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ଖେଳି ଦେଖାଇଥିଲେ ନିଜର ବିଚକ୍ଷଣ କ୍ରୀଡା ପ୍ରତିଭାର ପରାକାଷ୍ଠା। ସେହି ସମୟରେ ସମସ୍ତ ଗଣମାଧ୍ୟମ ତାଙ୍କ ପ୍ରଶଂସାରେ ଶତମୁଖ ହେବା ସହିତ ତାଙ୍କୁ ଡେଞ୍ଜର୍ସ ଲେଫଟ ଆଉଟ ବା ଇନଭିଜିବିଲ ଲେଫଟ ଆଉଟ ବି.ଏସ ବୋଲି ଆଖ୍ୟା ଦେଇଥିଲେ । ପରେ କଲିକତାର ଏରିଏନ୍ସ ଦଳରେ ବହୁବର୍ଷ ଖେଳି ଅଶେଷ ଖ୍ୟାତି ଅର୍ଜନ କରିଥିଲେ। ତତ୍କାଳୀନ ମାନ୍ଦ୍ରାଜରେ ୱାଇଏମ୍ସିଏରେ ଫିଜିକାଲ ଇନ୍ଷ୍ଟ୍ରକ୍ଟର ଭାବେ ତାଲିମ ନେଇଥିଲେ। ଏଠାରେ ନିଜର ପ୍ରତିଭାର ପରିଚୟ ଦେଇ ୧୯୨୮ରେ ବିହାର-ଓଡ଼ିଶା ଅଲମ୍ପିକ ଓ ପରେ ଲେବର ଅଲମ୍ପିକରେ ହଡଲ୍ସ ଓ ହପ୍ ଷ୍ଟେପ୍ ଜମ୍ପ ଇତ୍ୟାଦିରେ ଭାଗ ନେଇ ସାଫଲ୍ୟ ହୋଇଥିଲେ ।
ପୁଣି ପାଟନା ସାଇନ୍ସ କଲେଜରେ ଇନ୍ସପେକ୍ଟର ଅଫ ଗେମସ୍ ପଦବୀରେ ନିଯୁକ୍ତି ପାଇଥିଲେ । ବ୍ରଜ ବାବୁଙ୍କ ଉଦ୍ୟମକ୍ରମେ ୧୯୩୨ରେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ପ୍ରତିଷ୍ଠା ହୋଇ କୋଲକାତାର ଆଇଏଫଏ ସହିତ ଅନୁବନ୍ଧିତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ଯୁବ ଖେଳାଳୀମାନଙ୍କୁ ନେଇ ଏକ ଦୁର୍ଦ୍ଧଷ ଫୁଟବଲ ଟିମ ଗଠନ କରି ସମଗ୍ର ଓଡ଼ିଶାର ଏକ ନମ୍ବର ଫୁଟବଲ ଟିମ ଭାବେ ସୁନାମ ଅର୍ଜନ କରିଥିଲେ । ୧୯୩୧ରେ ବାରିପଦା ଏମକେସି ହାଇସ୍କୁଲରେ ଖେଳ ଶିକ୍ଷକ ଭାବେ ମହାରାଜାଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ । ବାରିପଦା ସ୍କୁଲ ଟିମ ସହିତ ବାରିପଦା ଟାଉନ କ୍ଲବକୁ ପ୍ରଶିକ୍ଷଣ ଦେଉଥିବା ସମୟରେ ମହାରାଜା ପ୍ରତାପଚନ୍ଦ୍ରଙ୍କ ପୃଷ୍ଠପୋଷକତାରେ ୧୯୩୨ରୁ ୪୩ ପର୍ଯ୍ୟନ୍ତ କୋଲକାତା ଯାଇ ଫୁଟବଳ ଖେଳର ଆଧୁନିକ କଳା କୌଶଳ ଉପରେ ସ୍ୱତନ୍ତ୍ର ତାଲିମ ନେବା ସାଙ୍ଗକୁ ଏରିଏନ୍ସ ଟିମ ପାଇଁ ଖେଳୁଥିଲେ । ତାଙ୍କର ବିଚକ୍ଷଣ କ୍ରୀଡ଼ା କୌଶଳକୁ ଦେଖି କୋଲକାତାର ମୋହନବାଗାନ ଟିମ ଦଳରେ ସାମିଲ କରାଇବାର ଉଦ୍ୟମ ଆରମ୍ଭ କରିଥିଲା ।
ବ୍ରଜବାବୁଙ୍କ ପ୍ରଶିକ୍ଷଣ ପାଇ ବାରିପଦାରେ ଫୁଟବଲ ଖେଳର ସଂସ୍କୃତି ବଦ୍ଧମୂଳ ହୋଇପାରିଥିଲା। ତାଙ୍କ ନେତୃତ୍ବରେ କୃଷ୍ଣ ଦାଶ, ଦୀନବନ୍ଧୁ ବୋଷ, ଶ୍ୟାମସୁନ୍ଦର ଦାସ, ନିତ୍ୟ ଗୋପାଲ ଦେ, ବଙ୍କିମ ଦତ୍ତ, ଜଗନ୍ନାଥ ବେହେରା, ସୁରେନ୍ଦ୍ର ବେନାର୍ଜୀ, ରମେଶ ମହାପାତ୍ର, ଆଦିକନ୍ଦ ଦ୍ୱାରୀ, ରାଧା ଗୋବିନ୍ଦ ରଥ ଅଧିକାରୀ, କମଳ ବୋଷ, ମାଇତାବ ଖାଁ, ବିନୁ ବେନାର୍ଜୀ, ଭାସ୍କର ଷଢ଼ଙ୍ଗୀ, ବୀରେନ ରାୟ, ସୁରେନ୍ଦ୍ର ପାତ୍ର, ଜଗନ୍ନାଥ ମିସ୍ତ୍ରୀ, ପଦ୍ମ ଲୋଚନ ପତି, ରବି ନାରାୟଣ ଦାଶ, ଗଣେଶ ବୋଷ, ପରେଶ ଦାସ, ଗଣେଶ ମହାନ୍ତି ପ୍ରମୁଖଙ୍କ ଭଳି ଶତାଧିକ ଖେଳାଳୀ କେବଳ ମୟୂରଭଞ୍ଜ ନୁହେଁ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ଗୌରବ ଆଣିଛନ୍ତି।
ବ୍ରଜବାବୁଙ୍କ ନେତୃତ୍ବରେ ଗଠିତ ମୟୂରଭଞ୍ଜ ଫୁଟବଲ ଦଳର ସୁନାମ ଏପରି ଥିଲା ଯେ ୧୯୩୭ରେ ୟୁରୋପିଆନ ଚାମ୍ପିଆନ ଟିମ ଗ୍ରୀସର କରିନଥିଆନ ଦଳ ଭାରତ ଗସ୍ତରେ ଆସି ମୟୂରଭଞ୍ଜ ଏକାଦଶ ସହିତ ଏକ ପ୍ରଦର୍ଶନୀ ମ୍ୟାଚ ଖେଳିଥିଲା । ସେହିପରି ଭାରତର ବିଖ୍ୟାତ ଫୁଟବଲ ଟିମ ମଧ୍ୟ ବିଭିନ୍ନ ସମୟରେ ପ୍ରଦର୍ଶନୀ ମ୍ୟାଚ ଖେଳିବା ନିମନ୍ତେ ବାରିପଦାକୁ ଆସୁଥିଲେ । ବିଶିଷ୍ଟ ଫୁଟବଲ ଖେଳାଳୀ ତଥା ପ୍ରଶାସକ ପରେଶ ଚନ୍ଦ୍ର ଦାସ ମଧ୍ୟ ତାଙ୍କ ରଚିତ ଫୁଟବଲ ଖେଳ-ସଫଳତାର ରହସ୍ୟ ପୁସ୍ତକରେ ବ୍ରଜ ସୁନ୍ଦରଙ୍କ ଜାଜ୍ଜୁଲ୍ୟମାନ କ୍ୟାରିଅର ସମ୍ପର୍କରେ ଆଲୋକପାତ କରିଛନ୍ତି।
୨୨ ଜୁଲାଇ ୧୯୮୪ରେ ଇହଲୀଳା ସମ୍ବରଣ କରିଥିବା ଏହି ମହାନ ଫୁଟବଲର ତଥା କ୍ରୀଡ଼ାବିତଙ୍କୁ ସ୍ମୃତିରକ୍ଷା ନେଇ କୌଣସି ଉଦ୍ୟମ ହେଉନଥିବାରୁ କ୍ଷୋଭ ପ୍ରକାଶ ପାଇଛି। ଏପରିକି ଏପରି ବିଶିଷ୍ଟ ଖେଳାଳୀଙ୍କ ସମ୍ପର୍କରେ ଉତ୍ତରପିଢ଼ୀ ଜାଣିବାର ଆବଶ୍ୟକତା ରହିଛି। ଆଜିର ସମୟରେ ଏପରି ପ୍ରତିଭା ଜନ୍ମହୋଇଥିଲେ ହୁଏତ ଅନ୍ତର୍ଜାତୀୟ ସ୍ତରରେ ବେଶ ନାମ କମାଇଥାଆନ୍ତେ। କିନ୍ତୁ ସ୍ବାଧୀନତା ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ମୟୂରଭଞ୍ଜ ତଥା ଓଡ଼ିଶାର ସୁନାମ ଆଣିଥିବା ବ୍ରଜ ସୁନ୍ଦରଙ୍କୁ ସରକାର ଅନ୍ତତଃ ମନେପକାନ୍ତୁ ବୋଲି ଦାବି ହୋଇଛି।