ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାରରେ ଘରେ ଶୋଇଥିବା ବେଳେ ପେଟ୍ରୋଲ୍‌ ଢାଳି ଜାଳିଦେବା ଘଟଣାର ରହସ୍ୟ ଉନ୍ମୋଚନ ହୋଇଛି। ସମ୍ପତ୍ତି ଲୋଭ ଏବଂ ପତ୍ନୀକୁ ସ୍ବୀକୃତି ନ ମିଳିବାରୁ ପରିବାରର ସାନପୁଅ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାସ ବ୍ରଜରାଜନଗରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଶ୍ରୀ ଦାସଙ୍କ ସୂଚନା ଅୁଯାୟୀ ସ୍ବର୍ଗତ ଗୁରମିତ ସିଂହଙ୍କ ସାନପୁଅ ରବୀନ୍ଦ୍ର ସିଂହ ଏଭଳି ଜଘନ୍ୟ କାଣ୍ଡ କରି ନିଜ ମା’, ଭାଇ, ବିଧବା ଭଉଣୀ ଓ ଭାଣିଜୀକୁ ପେଟ୍ରୋଲ ଢାଳି ଜିଅନ୍ତା ପୋଡ଼ି ମାରି ଦେବାକୁ ପ୍ରୟାସ କରିଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଏହି କାର୍ଯ୍ୟରେ ତାକୁ ଇଏସ୍‌ଆଇ ଛକ ନୂଆପଡ଼ାର ବେଶନ ତାଣ୍ଡି ଓ ଅନ୍ୟଜଣେ ନାବାଳକ ସହଯୋଗ କରିଛନ୍ତି।

Advertisment

ପୁଲିସ ଅଭିଯୁକ୍ତ ରବୀନ୍ଦ୍ର ଓ ବେଶନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳକକୁ ମାଜିଷ୍ଟ୍ରେଟ‌ଙ୍କ ଆଗରେ ହାଜର୍‌ କରାଯାଇଛି। ସେମାନେ ବ୍ୟବହାର କରିଥିବା ଜାରକିନ୍, ଫନେଲ୍‌, ପାଇପ, କାର୍‌ (ସିଜି୦୭-୪୯୫୫), ଝରକା ଗ୍ରିଲ୍‌ କାଟିବାକୁ ହେକ୍ସା ବ୍ଲେଡ୍‌, ସ୍କୃ ଡ୍ରାଇଭର୍‌, ଛେନି, ହାମର, ୨ଟି ଚପଲ, ୩ଟା ମୋବାଇଲ୍‌ ଜବତ କରାଯାଇଛି। ରହସ୍ୟ ଜାଣିବା ଓ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଏସ୍‌ପିଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଏସଆଇ ପ୍ରଦ୍ୟୁମ୍ନ ସ୍ବାଇଁ, ଏସ୍‌ଆଇ ଏସ୍‌କେ ପଟେଲ, ଏଏସ୍ଆଇ ଏ କୁଜୁରଙ୍କୁ ନେଇ ଗଠିତ ହୋଇଥିଲା। ଏସ୍‌ପି ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ରବୀନ୍ଦ୍ର ପ୍ରବଳ ଋଣ କରିଥିଲା। ଋଣ ସୁଝିବା ଓ ବ୍ୟବସାୟ କରି ଭଲରେ ରହିବା ପାଇଁ ସ୍ବର୍ଗତ ଗୁରୁମିତ ସିଂହଙ୍କ ସମସ୍ତ ସମ୍ପତ୍ତି ନିଜେ ଅକ୍ତିଆରରେ ରଖିବାକୁ ଚିନ୍ତା କରିଥିଲା। ସେହିପରି ଅନ୍ୟ ଏକ କାରଣ ହେଲା, ପ୍ରେମ ବିବାହ କରିଥିବା ତାର ପତ୍ନୀଙ୍କୁ ଘରେ ପୂରାଇ ଦିଆଯାଉ ନଥିଲା। ଘରେ କେହି ଭଲ ପାଉ ନଥିବାରୁ ଏହା ତାକୁ ଅଧିକ ହିଂସ୍ର ଓ ପ୍ରତିଶୋଧ ପରାୟଣ କରିଥିଲା। ସେଦିନ ରାତିରେ ମଧ୍ୟ ଏହି କାରଣରୁ ରବୀନ୍ଦ୍ର ସହିତ ଅନ୍ୟମାନଙ୍କ ପାଟୁତଣ୍ଡ ହୋଇଥିଲା। ତେଣୁ ସେ ପରିବାରର ସମସ୍ତଙ୍କୁ ଜୀବନରୁ ମାରି ଦେବାକୁ ଷଡ଼୍‌ଯନ୍ତ୍ର କରିଥିଲା।

ଏଥିପାଇଁ ସେ ଅନ୍ୟ ଦୁଇଜଣଙ୍କୁ ପ୍ରଲୋଭନ ଦେଖାଇ ଷଡ଼୍‌ଯନ୍ତ୍ରରେ ସାମିଲ କରାଇଥିଲା। ମାସକ ପରେ ନିଜେ ଏକ ବେକେରି ଦୋକାନ ଖୋଲି ତାର ସମସ୍ତ ଦାୟିତ୍ୱ ସେମାନଙ୍କୁ ଦେବ ବୋଲି କହିଥିଲା। ଗତ ମାସ ୨୬ ତାରିଖରୁ ସେ ଯୋଜନା ପ୍ରସ୍ତୁତ କରିଥିଲା। ବିଭିନ୍ନ ପେଟ୍ରୋଲ ପମ୍ପ୍‌ରୁ ୩ଟି ଜାର୍‌କିନ୍‌ରେ ପେଟ୍ରୋଲ ଆଣି ଘରେ ରଖିଥିଲା। ଏକ ଡବା କାଟି ସେଥିରେ ଫନେଲ ପ୍ରସ୍ତୁତ କରିଥିଲା। ପ୍ଲାଷ୍ଟିକ୍‌ ପାଇପ ମଧ୍ୟ ଆଗରୁ ଯୋଗାଡ଼ କରିଥିଲା। ରାତିରେ ସମସ୍ତେ ଶୋଇ ପଡ଼ିବା ପରେ ରବୀନ୍ଦ୍ର କବାଟ ଖୋଲି ଅନ୍ୟ ସହଯୋଗୀମାନଙ୍କୁ ଘର ଭିତରକୁ ଆଣିଥିଲା। ଘରର ବାହାରପଟୁ କବାଟ ବନ୍ଦ କରିବା ପରେ କବାଟ ତଳ ଦେଇ ପାଇପ ଓ ଫନେଲ ଦ୍ୱାରା ପେଟ୍ରୋଲ ଘର ଭିତରକୁ ଛାଡ଼ିଥିଲେ। ସେହିପରି ବାଥ୍‌ ରୁମ୍‌ରେ ମଧ୍ୟ ପେଟ୍ରୋଲ ଢାଳିଥିଲେ। ସମସ୍ତ ପ୍ରସ୍ତୁତି ପରେ ଅନ୍ୟ ୨ ଜଣ ପଳାଇଥିଲେ। ପରେ ସେ ନିଆଁ ଲଗାଇଥିଲା। ନିଆଁ ଲାଗିବା ପରେ ଘରର ଲୋକମାନେ ଚିତ୍କାର କରିବାରୁ ରବୀନ୍ଦ୍ର କବାଟ ଖୋଲି ନିଆଁ ଲିଭାଇବାର ନାଟକ କରିଥିଲା।

ଏପରିକି ସେମାନଙ୍କୁ ହସ୍ପିଟାଲ୍‌ ମଧ୍ୟ ନେଇଥିଲା। ବାଥରୁମ୍‌ରୁ ଯେପରି କେହି ପାଣି ଆଣି ନ ପାରିବେ ସେଥିପାଇଁ ସେ ସେଠାରେ ମଧ୍ୟ ପେଟ୍ରୋଲ୍‌ ଢାଳିଥିଲା। ଘରେ ଥିବା ଘରୋଇ ସହାୟକଙ୍କଠାରୁ ପୁଲିସ ଏ ବାବଦରେ ସୁରାକ୍‌ ପାଇଥିଲା। ସୂଚନାଯୋଗ୍ୟ ଯେ,ଏହି ଘଟଣାରେ ରବୀନ୍ଦ୍ରଙ୍କ ମା’ ବଲଜିତ କୌର (୬୧), ବିଧବା ଭଉଣୀ ମଞ୍ଜିତ କୌର(୩୬), ଭାଣିଜୀ ଇପ୍ସିତ କୌର (୭) ଓ ଭାଇ ରାଜେନ୍ଦ୍ର ସିଂହ (୩୨) ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।