ଜଳେଶ୍ୱର: ଦଳ ବିରୋଧୀ କାମ ଅଭିଯୋଗରେ ନିକଟରେ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ବର ଜିଲ୍ଲା ଜଳେଶ୍ବର ନିର୍ବାଚନମଣ୍ଡଳୀର ନେତା ବ୍ରଜମୋହନ ପ୍ରଧାନ ଆଜି ନିଜର ସହସ୍ରାଧିକ ସମର୍ଥକଙ୍କୁ ନେଇ ସମାନ୍ତରାଳ କର୍ମୀ ସମାବେଶ ଆୟୋଜନ କରିଛନ୍ତି। ସମାବେଶରେ ଜଳେଶ୍ବରର ନେତୃତ୍ବ ପରିବର୍ତ୍ତନ ପାଇଁ ଆହ୍ବାନ ଦିଆଯାଇଥିବା ବେଳେ ଉକ୍ତ ସମାବେଶ ଦଳୀୟ କାର୍ଯ୍ୟକ୍ରମ ନଥିଲା ବୋଲି କହିଛନ୍ତି ଜଳେଶ୍ବର ବିଧାୟକ, ବିଜେଡି ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଅଶ୍ବିନୀ ପାତ୍ର।

Advertisment

ସୂଚନାଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ୪ ତାରିଖ ଦିନ ବିଜେଡିରୁ ନିଲମ୍ବନ ହୋଇଥିଲେ ବ୍ରଜମୋହନ ପ୍ରଧାନ। ଏହି ନିଲମ୍ବନର ଜବାବରେ ସେ ଆଜି ଜଳେଶ୍ବର ବ୍ଲକ୍‌ କୋଟସାହି ପଞ୍ଚାୟତ ଡିଙ୍ଗାଶୋଳ ଖେଳପଡିଆରେ ନିଜ ସମର୍ଥକମାନଙ୍କୁ ନେଇ କର୍ମୀ ସମାବେଶ କରିଥିଲେ। ବିଜୁ ବାବୁ ମୋର ଆଦର୍ଶ, ନବୀନ ବାବୁ ମୋର ନେତା। ବିଜେଡିର ବିଚାର ହିଁ ମୋର ବିଚାର। ତେବେ ନିଲମ୍ବନ ନେଇ ଦଳ ପୁନର୍ବିଚାର ନକଲେ ମୁଁ ସମର୍ଥକଙ୍କ ମତାମତ ଗ୍ରହଣ କରି ଯାହା ନିଷ୍ପତ୍ତି ନେବା କଥା ନେବି ବୋଲି କହିଥିଲେ ଶ୍ରୀ ପ୍ରଧାନ।

ସମାବେଶରେ ବ୍ରଜମୋହନଙ୍କ ସହ ଦଳରୁ ନିଲମ୍ବିତ ହୋଇଥିବା କାଳୀଚରଣ ଦାସ, ଚନ୍ଦନ କରଙ୍କ ସହିତ ପୂର୍ବତନ ବ୍ଲକ୍‌ ବିଜେଡି ସଭାପତି ଭୂପତି ମିର୍ଦ୍ଧା, ସୁଧୀର ପାତ୍ର, ପ୍ରାକ୍ତନ ସରପଞ୍ଚ ସତ୍ୟଶୋଭନ ମିଶ୍ର, ରାସବିହାରୀ ରଣା, ରବୀନ୍ଦ୍ର ଗିରି, ପୂର୍ବତନ ସରପଞ୍ଚ ସୁଜାତା ଗିରି, ରାଣୀ ପ୍ରମାଣିକ, ରମେଶ ଚନ୍ଦ୍ର ପାତ୍ର, ପ୍ରାକ୍ତନ ସମିତିସଭ୍ୟ ରାଜେନ୍ଦ୍ର ପାତ୍ର, ରବୀନ୍ଦ୍ର ବେହେରା, ଆରୁହା ସମିତିସଭ୍ୟା ମଧୁସ୍ମିତା ମହାନ୍ତି, କୋଟସାହି ସରପଞ୍ଚ ମଞ୍ଜୁବାଳା ପ୍ରଧାନ, ଗୋବରଘଟା ସରପଞ୍ଚ ମୀନତି କର, ନଛିମପୁର ସରପଞ୍ଚ ରାଜେଶ ଜେନା, ପଶ୍ଚିମବାଡ ସମିତିସଭ୍ୟ ହରିଶ୍ଚନ୍ଦ୍ର ମହାଳିକ, ଖୁଲୁଡା ସମିତିସଭ୍ୟ ଲକ୍ଷ୍ମୀଧର ବେହେରା, ଦୁର୍ଗାମଣି ଜେନା, ସୁକୁମାର ମୁର୍ମୁ, ମଣ୍ଟୁ ସିଟ, ଅଞ୍ଜଳି ସିଟ, ପ୍ରାକ୍ତନ ସମିତିସଭ୍ୟା ପ୍ରମିଳା ସାମଲ, ବୈଦ୍ୟନାଥ ମୁର୍ମୁ, ସୁରେଶ ମହାନ୍ତ, ରବୀନ୍ଦ୍ର ପାତ୍ର, ରମାନାଥ ଗିରି, କାହ୍ନୁଚରଣ ଦାସ, ସ୍ୱରୂପ ନନ୍ଦୀ, ଶୁଭମ ଜେନାଙ୍କ ସହ ବିଜେଡିର ବହୁ ପୁରୁଖା ନେତା, କର୍ମୀ, ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି, ପ୍ରାକ୍ତନ ନିର୍ବାଚିତ ଜନ ପ୍ରତିନିଧି ଉପସ୍ଥିତ ରହି ନିର୍ବାଚନମଣ୍ଡଳୀରେ ନେତୃତ୍ବ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ। ପରେ ଏକ ପଦଯାତ୍ରା ସମାବେଶସ୍ଥଳରୁ ବାହାରି କୋଟସାହି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସମାବେଶ ଆୟୋଜନ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ଏହା ବିଜେଡିର କାର୍ଯ୍ୟକ୍ରମ ନଥିଲା। ଦଳ ବିରୋଧୀ କାର୍ଯ୍ୟ କରି ନିଲମ୍ବିତ ହୋଇଥିବା ନେତାଙ୍କ ଦ୍ୱାରା ସଭା ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମକୁ କୌଣସି ବିଜେଡି ନେତା କି କାର୍ଯ୍ୟକର୍ତ୍ତା ଯାଇ ନଥିଲେ। ଏମିତିକି ଦଳୀୟ ପତାକା ମଧ୍ୟ ବ୍ୟବହାର ହୋଇ ନଥିଲା। ତେବେ ସେଠାକୁ ଯଦି ବିଜେଡିର କେହି ଯାଇଛନ୍ତି, ତେବେ ସେ ବାବଦରେ ଅନୁସନ୍ଧାନ ହେବ।