ବ୍ରହ୍ମଗିରି: ବ୍ରହ୍ମଗିରି ପଲଙ୍କ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଜଣେ ବୃଦ୍ଧ ମା’ ଛେଉଣ୍ଡ ଦିବ୍ୟାଙ୍ଗ ନାବାଳିକାକୁ ଘରେ ଛାଡ଼ି ଦେବ କହି ଜଙ୍ଗଲରେ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ନାମ ଧର୍ନୁଧର ପଲାଇ ଓ ବୟସ ୫୫ବର୍ଷ ଏବଂ ଘର ପଲଙ୍କ ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଏହି ଗ୍ରାମରେ ଏକ ଭଡ଼ା ଘର ନେଇ ରହୁଥିଲା।
ସୂଚନାଯୋଗ୍ୟ, ଆଜି ଗ୍ରାମବାସୀ ମିଶି ଧାନ ଅମଳ କରୁଥିଲେ। ଏହି ଅମଳ କାର୍ଯ୍ୟରେ ଚାଲିଥିଲା ବେଳେ ଦୁଷ୍କର୍ମକାରୀ ଧର୍ନୁଧର ବି ସେଠାରେ ଉପସ୍ଥିତ ଥିଲା। ତେବେ ଧାନ ଅମଳ ପାଖରେ ୯ବର୍ଷର ରାନୁ(ଛଦ୍ମନାମ) ଖେଳୁଥିଲା। ଖେଳି ସାରିବା ପରେ ରାନୁ ଘରକୁ ଯିବାକୁ କହିଥିଲା। ଏହି ସମୟରେ ରାନୁକୁ ଘରେ ଛାଡ଼ି ଦେଇ ଆସିବ ବୋଲି ଧର୍ନୁଧର କହିଥିଲା। ଘରେ ଛାଡ଼ିବାର ବାହାନା ଦେଖାଇ ଧର୍ନୁଧର ରାନୁକୁ ଗ୍ରାମ ପାଖ ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରୁଥିଲା। ଏହି ସମୟରେ ଗ୍ରାମର କେତେଜଣ ମହିଳା ଶୌଚ ହେବାକୁ ସେହି ଜଙ୍ଗଲକୁ ଯାଇଥିଲେ। ହଠାତ୍ ସେମାନେ କେହି ଜଣେ ଚିତ୍କାର କରୁଥିବା ଶୁଣିବାକୁ ପାଇଲେ। ସେହି ମହିଳାମାନଙ୍କୁ ଦେଖି ଦୁଷ୍କର୍ମକାରୀ ସଙ୍ଗେସଙ୍ଗେ ରାନୁକୁ ସେଠାରେ ଛାଡ଼ି ନିଜେ ପଳାଇଥିଲା। ମହିଳାମାନେ ଘଟଣାସ୍ଥଳକୁ ଆସି ଦେଖିଲା ବେଳକୁ ରାନୁ ଗୁରୁତର ଅବସ୍ଥାରେ ଅର୍ଦ୍ଧନଗ୍ନ ହୋଇପଡ଼ିଥିଲା। ସଙ୍ଗେସଙ୍ଗେ ମହିଳାମାନେ ଗ୍ରାମବସୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହିତ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାକୁ ଥାନାକୁ ନେଇଥିବା ବେଳେ ଦୁଷ୍କର୍ମକାରୀ ଏବେ ଫେରାର ଅଛି। ଗତ କାଲି ପୀଡିତାର ଡାକ୍ତରି ମାଇନା ହେବ ବୋଲି ବ୍ରହ୍ମଗିରି ଆଇଆଇସି ପ୍ରଭାତ ମଲ୍ଲିକ କହିଛନ୍ତି।