ରଞ୍ଜିତା ମାଝୀଙ୍କୁ ସାହସିକତା ପୁରସ୍କାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଟୁରିଭେଜିଗୁଡ଼ା ଗାଁର ରଞ୍ଜିତା ମାଝୀ(୧୨)ଙ୍କୁ ଚଳିତ ବର୍ଷ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ଆୟୋଗର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଉତ୍ସବରେ କଳାହାଣ୍ଡି ଜିଲ୍ଲା ନେହରୁ ସେବା ସଂଘର ଅନ୍ତେବାସିନୀ ରଞ୍ଜିତାଙ୍କୁ ଏହି ପୁରସ୍କାର ଦିଆଯାଇଛି।
ଟୁରିଭେଜିଗୁଡ଼ା ଗାଁର ରଞ୍ଜିତା କାଠଘରା ଆବାସିକ ସ୍କୁଲ୍‌ରେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପା ଓ ମାଁ ତାଙ୍କୁ ଜଣେ ମଦ୍ୟପ ଯୁକବ ସହ ବିବାହ ଦେବା ନିମନ୍ତେ ଯୋଜନା କରୁଥିଲେ। ଏହାକୁ ବିରୋଧ କରି ରଞ୍ଜିତା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ସ୍କୁଲକୁ ଯାଇ ଉଦ୍ଧାର କରି ବାଲ୍ୟ ବିବାହରୁ ନିବୃତ୍ତ କରିବାକୁ ପରାମର୍ଶ ଦେଇଥିଲେ। ବାଲ୍ୟ ବିବାହ ପ୍ରତି ସାହସର ସହିତ ସ୍ୱର ଉତ୍ତୋଳନ କରିବା ପାଇଁ ତାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର