ସୁନା ଝିଅ ସୁନି: ମୋବାଇଲ୍‌ ଝାମ୍ପି ଟ୍ରେନ୍‌ରୁ ଡେଇଁ ପଳାଉଥିବା ଚୋରକୁ ବେଲ୍‌ଟ ଜରିଆରେ କାବୁ କଲେ ୧୫ ବର୍ଷୀୟା ନାବାଳିକା

ବାଲେଶ୍ୱର: ଦିନକୁ ଦିନ ଷ୍ଟେସନ୍‌ ନିକଟରେ ପକେଟ୍‌ ମାର୍‌ଙ୍କ ଆତଙ୍କ ବଢୁଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ୍‌ ପାଣି ପିଇ ଦେଉଛି। ଆଉ ଠିକ୍‌ ସେତିକି ବେଳେ ଜଣେ ନାବାଳିକାଙ୍କ ଅଦମ୍ୟ ସାହସର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ସାହସିକତା ଦେଖାଇ ଚୋରକୁ କାବୁ କରିଛନ୍ତି ଜଣେ ୧୫ ବର୍ଷୀୟା ନାବାଳିକା।

ସୂଚନା ଅନୁସାରେ ବାଲେଶ୍ୱର ମାର୍କୋଣା ରେଳ ଷ୍ଟେସନରେ ହାଓ୍ଵଡା-ପୁରୀ ଧଉଳି ଏକ୍ସପ୍ରେସରେ ଜଣେ ରେଳଯାତ୍ରୀ ଅଜିତ ମହାନ୍ତି ଜଳେଶ୍ୱରରୁ ଭଦ୍ରକ ଯାଉଥିଲେ। ହେଲେ ତାଙ୍କ ପକେଟରେ ଥିବା ଏକ ମୋବାଇଲ ଉପରେ ଗୋଟିଏ ଚୋରର ନଜର ପଡ଼ିଥିଲା। ଆଉ ସୁଯୋଗ ମିଳିବାରୁ ଅଜିତଙ୍କ ପକେଟରୁ ମୋବାଇଲକୁ ଝାମ୍ପି ନେଇ ଟ୍ରେନରୁ ଡେଇଁ ପଳାଉଥିଲେ ଚୋର। ଠିକ୍‌ ଏହି ସମୟରେ ଚୋରକୁ ଏକ ବେଲ୍‌ଟ ଜରିଆରେ କାବୁ କଲେ ୧୫ ବର୍ଷୀୟା ନାବାଳିକା ସୁନି ସିଂ। ଏହାପରେ ସ୍ଥାନୀୟ ଯୁବକମାନେ ଚୋରକୁ ଧରି ମାଡ଼ ମାରିବା ସହ ସିମୁଳିଆ ପୁଲିସକୁ ଖବର ଦେଇଥିଲେ।

ସବୁଠାରୁ ବଡ଼କଥା ହେଲା, ବୟସରେ ସାନ ହୋଇଥିଲେ ମଧ୍ୟ ସାହସିକତାରେ ପରିପୂର୍ଣ୍ଣ ୧୫ ବର୍ଷିୟ ସୁନି ସିଂ। ତେବେ କିଭଳି ଜଣେ ପକେଟ୍‌ ମାରକୁ କଳେବଳେ କୌଶଳରେ କାବୁ କଲା ସେନେଇ ସୁନି ସିଂ କହନ୍ତି ଲୋକମାନେ ଚୋର ଚୋର ବୋଲି ଚିତ୍କାର କରିବାରୁ ମୁଁ ସେ ପିଲାକୁ ବେଲ୍‌ଟ ଧରି ମାଡ଼ି ବସିଲି। ଆଉ ତା ପରେ ପାଟି କରିବାରୁ ଷ୍ଟେସନରେ ଥିବା ଲୋକେ ଆସି ତାକୁ ଧରି ପୋଲିସରେ ଦେଇଥିଲେ।

ଅନ୍ୟପଟେ ରେଳ କଲୋନୀର ବୁଦ୍ଧିଆ ସିଂଙ୍କ ଝିଅ ସୁନି ସିଂଙ୍କ ସାହସିକତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ପକେଟ୍‌ ମାରକୁ ଅଦମ୍ୟ ସାହସ ଦେଖାଇ କାବୁ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଚିଂ ପକେଟ୍‌ ମାରକୁ ଥାନାକୁ ନେବା ସହ ନାବାଳିକାଙ୍କ ସାହାସିକତାକୁ ପ୍ରଶଂସା କରିଥିଲେ। ଏପରିକି ସ୍ଥାନୀୟ ଲୋକମାନେ ମଧ୍ୟ ସୁନି ସିଂଙ୍କ ଏଭଳି ସାହସିକତାକୁ ନେଇ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର