ପ୍ରସୂତିଙ୍କଠାରୁ ଲାଞ୍ଚ ନେବା ମାମଲା, ଡାକ୍ତରଙ୍କ ସହ ୪ ଜଣଙ୍କ ନାଁରେ ମାମଲା ରୁଜୁ

ବଲାଙ୍ଗୀର: ପାଟଣାଗଡ଼ର ତତ୍କାଳୀନ ଏସ୍‌ଡିଏମ୍‌ଓ ଡା.ବାଚସ୍ପତି ଦାସ ଲାଞ୍ଚ ନେବା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଯେନତେଣ ପ୍ରକାରେଣ ଡାକ୍ତର ଦାସ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଚଳାଇଛନ୍ତି। ଏପରିକି ତାଙ୍କ ନାଁରେ ଅଭିଯୋଗ ଆଣିଥିବା ଯୁବକ ରମେଶ ସେଠଙ୍କୁ ତାଙ୍କ ସମର୍ଥକମାନଙ୍କୁ ଲଗାଇ ଧମକଚମକ ଦେଇଛନ୍ତି। ତାଙ୍କ ସପକ୍ଷରେ ଏକ ଭିଡିଓ କରାଇଛନ୍ତି। ସାଧା କାଗଜରେ ବି ଜୋରଜବରଦସ୍ତ ଦସ୍ତଖତ କରାଇନେଇଛନ୍ତି। ଏନେଇ ଅଭିଯୋଗକାରୀ ଯୁବକ ରମେଶ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଯାହା କିଛି ଘଟଣା ତାଙ୍କ ଉପରେ ଘଟିଛି ସେ ନେଇ ପାଟଣାଗଡ଼ ଥାନାରେ ଲିଖିତ ଏତଲା ଦେଇଛନ୍ତି।

ପୁଲିସ ଅଭିଯୋଗ ପାଇବା ପରେ ଡାକ୍ତର ବାଚସ୍ପତି ଦାସ, ଡିଙ୍ଗର କୁମ୍ଭାର, ସୁକାନ୍ତ ଦାସ, ବାପୀ ସାମଲଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କେସ୍‌ ନଂ ୯୫/୨୮.୫.୨୦୨୧, ଆଇପିସି ଧାରା ୨୯୪, ୩୨୩, ୫୦୬ରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଥାନାରେ ଦେଇଥିବା ଲିଖିତ ଅଭିଯୋଗରୁ ଜଣାଯାଇଛି ଯେ, ଅଭିଯୋଗକାରୀଙ୍କ ବୟାନକୁ ଏପଟ ସେପଟ କରିବା ତଥା ଡାକ୍ତରଙ୍କ ସପକ୍ଷରେ କହିବା ପାଇଁ ଡାକ୍ତରଙ୍କ ସମର୍ଥକମାନେ ରମେଶ ସେଠଙ୍କୁ ବାଧ୍ୟ କରିଥିଲେ। ସୁକାନ୍ତ ଦାସ ତାଙ୍କ ବାଇକ୍‌ରେ ବସେଇ ରମେଶଙ୍କୁ ଡିଙ୍ଗର କୁମ୍ଭାରଙ୍କ ଘରକୁ ନେଇଥିଲେ। ସେଠାକୁ ଡାକ୍ତର ମଧ୍ୟ ଆସିଥିଲେ। ପ୍ରଥମେ ବିଭିନ୍ନ ପ୍ରଲୋଭନ ଏବଂ ପରେ ଧମକଚମକ ଦେଇଥିଲେ ବୋଲି ରମେଶ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ହସପିଟାଲ ଏସ୍‌ଡିଏମଓ ଥିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତର ବାଚସ୍ପତି ଦାସଙ୍କ ନିକଟରେ ରମେଶ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ଅସ୍ତ୍ରୋପଚାର କରାଇଥିଲେ। ସେମୟରେ ଡାକ୍ତର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡାକ୍ତର ବାଚସ୍ପତି ଦାସଙ୍କୁ ପଦବିରୁ ହଟାଇ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ହସପିଟାଲ ବଦଳି କରାଯାଇଥିଲା। ପରେ ଏକ ସ୍ୱତନ୍ତ୍ର ଟିମ୍‌ ପାଟଣାଗଡ଼ ଯାଇ ତଦନ୍ତ କରିଥିଲେ। ରମେଶଙ୍କ ମଧ୍ୟ ବୟାନ ରେକର୍ଡ କରିଥିଲେ। ସେ ସମୟରେ ରମେଶ ତାଙ୍କୁ ଧମକଚମକ ଦିଆଯାଉଥିବା ବି ଟିମ୍‌ ଆଗରେ କହିଥିଲେ। ଡାକ୍ତରଙ୍କ ସବୁ କାରନାମା ଟିକିନିକି ସେ ତଦନ୍ତକାରୀ ଅଧିକାରୀମାନଙ୍କୁ ଜଣାଇଥିଲେ। ଲାଞ୍ଚ ନେଇଥିବା ଡାକ୍ତରଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାକୁ ସମସ୍ତଙ୍କ ଅପେକ୍ଷା।

ସମ୍ବନ୍ଧିତ ଖବର