ଦଶମନ୍ତପୁର/କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତ ଅଧିନରେ ରହିଥିବା ଅସ୍ଥାୟୀ ପୋଲ ଭାସିଯାଇଥିବା ଯୋଗୁଁ ଚାରିଟି ଗ୍ରାମର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଫଳରେ ପୋଡ଼ ନଦୀରେ ପ୍ରବଳ ପାହାଡିଆ ଝରଣା ପାଣି ଆସିଥିଲା | ଆଉ ଏହି ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ଭାସିଯାଇଥିଲା | ପୋଲ ଭାସିଯାଇଥିବାରୁ ଚାରିଟି ଗ୍ରାମ ବାହ୍ୟ ଯୋଗାଯୋଗରୁ ବିଛିନ୍ନ ହୋଇଯାଇଛନ୍ତି । ବିଛିନ୍ନ ହୋଇଥିବା ଗ୍ରାମଗୁଡିକ ହେଲା ଫୁଣ୍ଡାଗୁଡା, ଡେଙ୍ଗାଗୁଡା, ଭଂଡିସିଲ ଏବଂ ଶଙ୍ଖାଗୁଡା ।
ଗ୍ରାମବାସୀଙ୍କ କହିବା ମୁତାବକ ପୂର୍ବରୁ ସ୍ଥାୟୀ ପୋଲ ପାଇଁ ବାରମ୍ବାର ପଲ୍ଲୀସଭା ଓ ଗ୍ରାମସଭାରେ ଅଭିଯୋଗ କରାଯାଇଥିଲେ ବି କୌଣସି ଫଳାଫଳ ଦେଖିବାକୁ ମିଳିନଥିଲା। ସରକାର ନ ଶୁଣିବାରୁ ଚାରିଟି ଗ୍ରାମର ଗ୍ରାମବାସୀ ନିଜେ ଟଙ୍କା ଯୋଗାଡ଼ କରି ନିର୍ମାଣ କରିଥିଲେ ଖଣ୍ଡିଏ କାଠ ପୋଲ। ହେଲେ ଯାତାୟାତର ଏହି ଶେଷ ଭରସାକୁ ବି ପାହାଡି ବର୍ଷା ପାଣି ନେଇଯାଇଛି | ଗ୍ରାମବାସୀଙ୍କ କହିବା କଥା ଯେ ଅସ୍ଥାୟୀ ପୋଲ ଭାସିଯାଇଥିବାରୁ ସ୍କୁଲ ,ହସ୍ପିଟାଲ, ବ୍ୟାଙ୍କ,ପଞ୍ଚାୟତ,ବ୍ଲକକୁ ଗ୍ରାମବାସୀ ଆସିପାରୁନାହାନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ କହିଛନ୍ତି ଯେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି | କାମ ପାଇଁ ଅର୍ଥ ଆସିଲେ ପୋଲ ନିର୍ମାଣ ହେବ |