ଭବାନୀପାଟଣା/ଥୁଆମୂଳ ରାମପୁର: ବ୍ରିଜ୍ ଭୁଶୁଡ଼ିବାରୁ ୨ଟି ଚଳନ୍ତା କାର ଭଗ୍ନବ୍ରିଜ୍ ତଳକୁ ଖସିପଡ଼ିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭତ୍ତି କରାଯାଇଛି। ମାତ୍ର ଦୁର୍ଘଟଣାର ସାମ୍ନା କରିଥିବା ଲୋକଙ୍କର ପରିଚୟ ମିଳିପାରି ନାହିଁ। ତେବେ ଏହି ଦୁର୍ଘଟଣା ଯୋଗୁଁ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାର ସାଈଧାମ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବ୍ରିଜ୍ ଭୁଶୁଡ଼ିଛି। ଭବାନୀପାଟଣା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅର୍ଥାତ ଜଣାଶୁଣା ଭାଗିରଥୀ ପାର୍କ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ଅପରାହ୍ନ ସମୟରେ ଅନ୍ୟ ଦିନ ଭଳି ଆଜି ମଧ୍ୟ ବ୍ରିଜ୍ ଉପରେ ଯାନବାହନ ଓ ଲୋକେ ଯିବା ଆସିବା କରୁଥିଲେ। କିନ୍ତୁ ହଠାତ୍ ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିଲା। ଯେଉଁ ସମୟରେ ବ୍ରିଜ୍ଟି ଭୁଶୁଡ଼ି ପଡ଼ିଲା, ସେହି ସମୟରେ ୨ଟି କାର୍ ଯାଉଥିଲା। ଏହି ୨ଟି କାର୍ରେ ୭ ଜଣ ଥିଲେ। ସେମାନେ ବ୍ରିଜ୍ ସହିତ ତଳେ ଚାପି ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି, ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ଯାଇଥିବା ରାସ୍ତାର ସାଈଧାମ ନିକଟ ବ୍ରିଜ୍ ବହୁ ପୁରୁଣା ଥିଲା। ଏହାର ଉପଯୁକ୍ତ ମରାମତି ଅଥିବା ବିକଳ୍ପ ରାସ୍ତା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। କିନ୍ତୁ ପ୍ରଶାସନ ଏହା କରିଥିବାରୁ ଆଜି ଏକ ବଡ଼ ଅଘଟଣ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/d19ed6c4-aab1-40ce-a07d-320a53c78f0b.jpg)