ପୋଲ ପାଲଟିଛି ମରଣଯନ୍ତା

ଜୟପୁର: ବାରିଣୀପୁଟ ଠାରୁ ବୋରିଗୁମ୍ମା ମଧ୍ୟରେ ଥିବା ସମସ୍ତ ପୋଲ ଏବେ ମରଣଯନ୍ତା ପାଲଟିଛନ୍ତି। ଜାତୀୟ ରାଜପଥ ୩୨୬ ଓ ଜାତୀୟ ୨୬ମଧ୍ୟରେ ଥିବା ଏହି ପୋଲ ଗୁଡିକର ପାର୍ଶ୍ବରେ ଗାର୍ଡ ୱାଲ ନଥିବାରୁ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ଜାରି ରହିଛି। ବାରମ୍ବାର ଏଭଳି ଦୁର୍ଘଟଣା ହେବା ପରେ ମଧ୍ୟ ଏନଏଚ କର୍ତ୍ତୃପକ୍ଷ କୌଣସି ଗୁରୁତ୍ବ ନ ଦେବା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଗତ ୪ବର୍ଷ ହେବ ବାରିଣୀପୁଟ-ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ପ୍ରଶସ୍ତୀକରଣ ଓପୁନଃରୁଦ୍ଧାର କାମ ଚାଳିଛି। ତେବେ ଏହା ସରିବା ନାଁ ନେଉନି କି ପୋଲ ଗୁଡିକ ନିକଟରେ ଯେଭଳି ଧ୍ୟାନ ଦେବା କଥା ଦିଆଯାଉନି। କୋରାପୁଟ-ଜୟପୁର ମଧ୍ୟରେ ଘାଟି ଓହ୍ଲାଇବା ପରେ ନିର୍ମାଣାଧୀନ ପୋଲ ନିକଟରେ ବଡ଼ ବଡ଼ ଗର୍ତ୍ତ ରହିବା ସହ ପାର୍ଶ୍ବରେ କିଛି ଗାର୍ଡୱାଲ ନାହିଁ। ସେଭଳି ଗାନ୍ଧୀଛକ ମୁଖ୍ୟକେନାଲ ଉପରେ ରହିଥିବା ପୋଲଟି ଗୋଟିଏ ପାର୍ଶ୍ବ ଦବି ଯାଇଥିବା ବେଳେ ଗୋଟିଏ ପାର୍ଶ୍ବରେ ଅଶ୍ବଥ ଗଛ ଉଠିଛି। ଏହାସହ ବ୍ରିଜର ଉପରିଭାଗରେ ବଡ଼ ବଡ଼ ଗର୍ତ୍ତ ହେବା ସହ ଭାରିଯାନ ଯିବା ସମୟରେ ପୋଲଟି ହଲୁଥିବା ଦେଖିବାକୁ ମିଳିଛି।

Sambad

ସେହିପରି ଉମୁରୀ-ରଣ୍ଡାପାଲ୍ଲୀ, ରଣ୍ଡାପାଲ୍ଲୀ-ଆମ୍ବାଗୁଡା ବିଜେ-୨, କୁମୁଲିପୁଟ-ହରଡାପୁଟ, ଜୟନ୍ତଗିରୀ ଗାଁ ନିକଟରେ କେନାଲ ଉପରେ ଥିବା ପୋଲ ଗୁଡିକର ଅବସ୍ଥା ନ କହିବା ଭଲ। କେଉଁ ପୋଲର ଉପର ପାର୍ଶ୍ବର ସିମେଣ୍ଟ ଝଡି ଲୁହା ଛଡ ଦିଶିଲାଣି ତ ଆଉ କେଉଁଟି ଗାର୍ଡ ୱାଲ ଦୀର୍ଘଦିନ ହେବ ଭାଙ୍ଗି ଯାଇଛି। ଭାରିଯାନ ଯିବା ମାତ୍ରକେ ପୋଲ ଗୁଡିକ ଥରୁଥିବା ଦେଖିବାକୁ ମିଳିଛି। ପୋଲ ଗୁଡିକର ଗାର୍ଡ ୱାଲ ନଥିବାରୁ ଛୋଟ ବଡ଼ ଦୁର୍ଘଟଣା ନିୟମିତ ବ୍ୟବଧାନରେ ହେଉଥିବା ଦେଖିବାକୁ ମିଳିଛି।

ଗତ ମାସକ ମଧ୍ୟରେ ଏହି ପୋଲ ଗୁଡିକରେ ଖସିବା ଏବଂ ଦୁର୍ଘଟଣା ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାରିଣୀପୁଟ ନିକଟରେ ୩ଟି, ଗାନ୍ଧୀଛକରେ ୨ଟି, ଉମୁରୀ ନିକଟରେ ୨ଟି, ରଣ୍ଡାପାଲ୍ଲୀ ନିକଟରେ ୩ଟି, କୁମୁଲିପୁଟ ନିକଟରେ ୨ଟି ଓ ଜୟନ୍ତଗିରୀ ନିକଟରେ ୨ଟି ଛୋଟ ବଡ ଦୁର୍ଘଟଣା ହୋଇଛି। ରଣ୍ଡାପାଲ୍ଲୀ ବ୍ରିଜ ନିକଟରେ ଗୋଟିଏ ଟ୍ରକ ଖସି ଟ୍ରକଟି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ପଟେ ଗାର୍ଡ ୱାଲ ଖୋଲାମେଲା ରହିଥିବା ବେଳେ ପୋଲକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ମଧ୍ୟ ଶୋଚନୀୟ। ବଡ଼ ବଡ଼ ଫଟହଲ୍ ହୋଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ​ହୋଇଛି।

ସମ୍ବନ୍ଧିତ ଖବର