ଆଳି: ନଦୀ ଓ ନୌକାକୁ ଭରସା କରି ବର୍ଷବର୍ଷ ଧରି ଜୀବନ କାଟୁଥିବା ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇର ଅଧିବାସୀମାନେ ଖରସ୍ରୋତା, ହଂସୁଆ, ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି। ତେବେ ଏହି ଦାବିଗୁଡିକ ମଧ୍ୟରୁ ଖରସ୍ରୋତା ନଦୀରେ ବଳୀତର ସେତୁ ଓ ଏକମାଣିଆ ନିକଟରେ ହଂସୁଆ ଉଚ୍ଚ ସେତୁ ନିର୍ମାଣ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବ୍ରାହ୍ମଣୀ ଉପରେ ଶ୍ରୀରାମପୁର ସେତୁ ନିର୍ମାଣ ପାଇଁ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ସଂପୃକ୍ତ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଶ୍ରୀରାମପୁର-ମହାସାହାଣୀ ସେତୁ ନିର୍ମାଣ ପାଇଁ ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ୩ଟି ବ୍ଲକର ଅଧିବାସୀ ବର୍ଷବର୍ଷ ଧରି ଦାବି କରି ଆସୁଛନ୍ତି। ଲୋକଙ୍କ ଦାବି ଆଧାରରେ ଶ୍ରୀରାମପୁର-ମହାସାହାଣୀ ସେତୁ ନିର୍ମାଣ ପାଇଁ ସରକାର ୨୦୧୩ ମସିହାରୁ ପଦକ୍ଷେପ ନେଇଥିଲେ ମଧ୍ୟ ଅଦ୍ୟାବଧି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ନଈ, ନାଆରେ ପାର ଉତାର ହେଉଥିବା ଲୋକମାନେ ବହୁ ସମୟରେ ନୌକା ଦୁର୍ଘଟଣାର ଶିକାର ହେଉଛନ୍ତି। ସମୟ, ଶ୍ରମ ସହିତ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ସେତୁ ପାଇଁ ପୁରୁଷପୁରୁଷ ଧରି ଦାବି କରୁଥିଲେ ମଧ୍ୟ ସେତୁ ନିର୍ମାଣର ସ୍ବପ୍ନ ସଫଳ ହେଉନାହିଁ। ଗତ ୧୦ ବର୍ଷ ମଧ୍ୟରେ ଦଫାକୁ ଦଫା ସେତୁ ନିର୍ମାଣ ପାଇଁ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି।
ସବୁକିଛି ପଦକ୍ଷେପ କିନ୍ତୁ ଫସର ଫାଟିଛି। ଆଲୋଚ୍ୟ ୩ ବ୍ଲକର ସୀମାନ୍ତବର୍ତ୍ତୀ ସ୍ଥାନରେ ନିର୍ମିତ ହେବାକୁ ଥିବା ସେତୁ ପାଇଁ ମୁଖ୍ୟତଃ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ, ପ୍ରାଶାସନିକ ଉଦାସୀନତା ହିଁ ଦାୟୀ ବୋଲି ସାଧାରଣରେ ଅଭିଯୋଗ ଉଠୁଛି। ଏହି ସେତୁ ନିର୍ମାଣ ପାଇଁ ୨୦୧୩ ମସିହାରେ ଟେଣ୍ଡର ହୋଇଥିଲା। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ଲିମିଟେଡ଼ ୨୦୧୪ ମସିହାରେ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲେ। ଏପରିକି ସେତୁ ନିର୍ମାଣ ପାଇଁ ଲେ-ଆଉଟ ମଧ୍ୟ ଦିଆଯାଇଥିଲା। ହେଲେ ଏହି ନଦୀପଥ ୫ ନମ୍ବର ଜାତୀୟ ଜଳପଥ ଅନ୍ତର୍ଭୁକ୍ତ ହୋଇଥିବାରୁ ଜଳପଥରେ ଜାହାଜ ଚଳାଚଳରେ ସେତୁର (ପ୍ଲାନ୍)ଗଠନ ଢାଞ୍ଚା ବାଧକ ହେବା ନେଇ ପ୍ରତିବନ୍ଧକ ଉଠିଲା। ଏହାପରେ ପୁଣି ଥରେ ନୂତନ ପ୍ଲାନ ଓ ବ୍ୟୟ ଅଟକଳ କରାଗଲା। ମାତ୍ର ଏହାପରେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ସେତୁ ନିର୍ମାଣ କାର୍ଯ୍ୟ ସରକାରୀ ନାଲିଫିତା ତଳେ ଅଟକି ରହିଛି। ଅନ୍ୟ ସେତୁଗୁଡିକର ନିର୍ମାଣ ପାଇଁ ଜାତୀୟ ଜଳପଥର ଜାହାଜ ଚଳାଚଳ ପ୍ରତିବନ୍ଧକ ସମସ୍ୟା ହଟାଯାଇ ସେତୁ ନିର୍ମାଣ କରାଯାଉଥିବା ବେଳେ ଶ୍ରୀରାମପୁର-ମହାସାହାଣୀ ସେତୁ ନିର୍ମାଣ କାହିଁକି ଅଟକି ରହିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/IMG-20230716-WA0129_6.jpg)