ଗାରୋଇ: ପ୍ରାୟ ୨ ବର୍ଷ ପୂର୍ବରୁ ଆପ୍ରୋଚ୍‌ ରାସ୍ତାରେ ଫାଟ ସୃଷ୍ଟି ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାକୁ ଲୁଚାଇବା ପାଇଁ ବିଭାଗ ପକ୍ଷରୁ ଉକ୍ତ ରାସ୍ତାକୁ କ୍ରସର୍‌ ଗୁଣ୍ତ ଓ ପିଚୁର ପ୍ରଲେପ ଦିଆଯାଇ ଫାଟ ବନ୍ଦ କରି ଦିଆଯାଉଛି। କିନ୍ତୁ ମାସ କେଇଟାରେ ରାସ୍ତାଟି ପୂର୍ବ ଅବସ୍ଥାରୁ ଫେରିଆସୁଛି। ବର୍ତ୍ତମାନ ପୋଲର ଆପ୍ରୋଚ୍‌ ରୋଡ୍‌ ଦବିବା ଆରମ୍ଭ କରିବା ସହିତ ବାମ ପାର୍ଶ୍ବରୁ ରାସ୍ତା ବିପର୍ଯ୍ୟସ୍ତ ହେବାକୁ ବସିଲାଣି। ନାଉଗାଁ ବ୍ଲକ୍‌ କୋରୁଅ ପଞ୍ଚାୟତ ଡାହାଣିଖିଆ ଦେବୀ ନଦୀ ଉପରେ ନିର୍ମାଣ ହୋଇଥିବା ବିଜୁ ସେତୁ ଆପ୍ରୋଚ୍‌ ରୋଡ୍‌ର ଏହା ହେଉଛି ବାସ୍ତବ ସ୍ଥିତି। ୨୦୧୪ ମସିହାରେ ଡାହାଣିଖିଆ ଦେବୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ୪୩ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ଏହାର ନିର୍ମାଣ ହୋଇଥିଲା। ତେବେ ସେତୁର ଶେଷ ପର୍ଯ୍ୟାୟ ନିର୍ମାଣ ପୂର୍ବରୁ ଠିକା ସଂସ୍ଥା ରୟାଲ୍‌ ଇନ୍‌ଫ୍ରାଷ୍ଟ୍ରକଚର୍‌ ପଳାଇଥିଲା। ଏହାପରେ ସେତୁର ଅନ୍ୟାନ୍ୟ ଆନୁଷଙ୍ଗିକ କାମ ପାଇଁ କିଛି ସ୍ଥାନୀୟ ଲୋକଙ୍କୁ ଜିଲ୍ଲା ଗ୍ରାମ୍ୟ ଓ ସଡ଼କ ଉନ୍ନୟନ ବିଭାଗ ଦାୟିତ୍ବ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଏହି ସେତୁର ଉଦ୍‌ଘାଟନ କରିଥିଲେ। ଆରମ୍ଭରୁ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଉଦ୍‌ଘାଟନ ହେବାର ବର୍ଷକ ମଧ୍ୟରେ ସେତୁଟି ବିପଦମୁହଁକୁ ଠେଲି ହୋଇଯାଇଥିଲା। ଗତ ପଞ୍ଚାୟତ ନିର୍ବାଚନ ସମୟରେ ସେତୁରେ ଲାଗିଥିବା ୧୭ ଟି ସ୍ପାନ୍‌ ଜଏଣ୍ଟର ଲୁହା ପ୍ଲେଟ୍‌ରୁ ୬ଟି ଲୁହା ପ୍ଲେଟ୍‌ ଚୋରି ହୋଇଯିବା ପରେ ସେତୁର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

Advertisment

ଏବେ ସେତୁ ଆପ୍ରୋଚ୍‌ ରୋଡ୍‌ର ଏଭଳି ଅବସ୍ଥା ହେବାପରେ ସେତୁ ଉପରେ ନିର୍ଭର କରୁଥିବା ନାଉଗାଁ ବ୍ଲକ୍‌ ସୁଆଁକଣ, ବାଲିକୁଦା ବ୍ଲକ୍‌ ତରାସାହି ପଞ୍ଚାୟତବାସୀ ଓ ଅସ୍ତରଙ୍ଗ ବ୍ଲକ୍‌ର ତାଳଦା ପଞ୍ଚାୟତର ଶହ ଶହ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସେତୁକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଗୁରୁବାର ରାତିରେ ଅସ୍ତରଙ୍ଗ ବ୍ଲକ୍‌ ତାଳଦା ପଞ୍ଚାୟତ କୂଳସାହି ଗ୍ରାମର ଜୈନିକ ବ୍ୟକ୍ତି ଏହି ରାସ୍ତାରେ ଗୁରୁତର ଆହତ ହୋଇଥିଲେ। ଏହି ସମସ୍ୟା ପ୍ରତି ଜିଲ୍ଲା ଗ୍ରାମ୍ୟ ଓ ସଡ଼କ ବିଭାଜନ ବାଲିକୁଦା ଉପଖଣ୍ତର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସ୍ବାଇଁଙ୍କୁ ପଚାରିବାରୁ; ନିର୍ବାହୀ ଯନ୍ତ୍ରୀଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀ ଉକ୍ତ ରାସ୍ତା ପରିର୍ଦଶନ କରିଥିଲେ। ବର୍ତ୍ତମାନ ରବରକୋଟ୍‌ ମାଧ୍ୟମରେ ରାସ୍ତାକୁ ମରାମତି କରାଯିବ ଏବଂ ବର୍ଷାଦିନ ପରେ ବୈଷୟିକ ଜ୍ଞାନକୌଶଳରେ ରାସ୍ତାକୁ ମରାମତି କରିବାର ବ୍ୟବସ୍ଥା ରହିଛି ବୋଲି ଉତ୍ତର ଦେଇଥିଲେ। ତେବେ ଆପ୍ରୋଚ୍‌ ରୋଡ୍‌ ଦବିବା ବିଷୟକୁ ନେଇ ପଚାରିବାରୁ କଥାକୁ ଏଡ଼ାଇ ଦେଇଯାଇଥିଲେ।