କେନ୍ଦ୍ରାପଡ଼ା: ଜଳସମ୍ପଦ ବିଭାଗ ପୁନ୍ଦାଳ ସବ ଡିଭିଜନ୍ରେ ହୋଇଥିବା ଆଖିବୁଜା ଦୁର୍ନୀତିକୁ ନେଇ ଖୋଳତାଡ଼ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ା ବିଭିନ୍ନ ଉନ୍ନୟନମୂଳକ କାମ ନାଁରେ କିଭଳି ଗୁପ୍ତ ଟେଣ୍ଡର୍ ଏବଂ ରାସ୍ତା ଓ ପଥର ପ୍ୟାକିଂରେ ସରକାରୀ ଅନୁଦାନ ବରବାଦ୍ କରାଯାଉଛି, ସେହି ଖବର ପୂର୍ବରୁ ସମ୍ବାଦରେ ପ୍ରକାଶ ପାଇଥିଲା ା ଏବେ ଆଉ ଏକ ଚକିତ କଲା ଭଳି କେଳେଙ୍କାରୀ ଓରିକଣ୍ଟା ସେକ୍ସନ ଅଧୀନ ମାହାଳହାଟ-ଧାରିବିଲ ନଦୀବନ୍ଧ ଉନ୍ନତି ଓ ସୁଦୃଢ଼ିକରଣ ପ୍ରକଳ୍ପରେ ଦେଖିବାକୁ ମିଳିଛି। ପାଖାପାଖି ୮କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ଚାରି କିଲୋମିଟର ନଦୀବଂଧ ପ୍ରକଳ୍ପରେ ଠିକାଦାର ଯେଉଁଭଳି ବେପରୁଆ ଢଙ୍ଗରେ କାମ ଚଳାଇଛନ୍ତି, ତାହା ନଦୀବଂଧର ସ୍ଥାୟିତ୍ବ ଉପରେ ବିରାଟ ପ୍ରଶ୍ନବାଚୀ ଲଗାଇ ଦେଇଛି ା ଖୋଦ୍ ବିଭାଗୀୟ ଯନ୍ତ୍ରୀ ବି ଠିକାଦାର କାମ ଭୁଲ୍ କରିଥିବା ସ୍ବୀକାର କରିବା ଘଟଣା ସୂଚାଇ ଦେଉଛି ଯେ ପୁନ୍ଦାଳ ସବଡିଭିଜନ୍ରେ ଦୁର୍ନୀତି କିଭଳି ଚରିଗଲାଣି?
ନାବାର୍ଡ ସହାୟତାରେ ଏହି ନଦୀବଂଧ ୨୦.୫୨୦ କିମିରୁ ୨୪.୬୦୦ କିମି ପର୍ଯ୍ୟନ୍ତ ମାଟି, ପଥର ପ୍ୟାକିଂ ଓ ଡମ୍ପିଂ କରାଯିବାକୁ ଯୋଜନା ହୋଇଛି। ମାତ୍ର ଆରମ୍ଭରୁ ମାଟି କାର୍ଯ୍ୟ ଯେଉଁଭଳି ହେଉଛି, ତାହା ସ୍ଥାନୀୟ ଅଂଚଳରେ ଅସନ୍ତୋଷର କାରଣ ପାଲଟିଛି। ସେହି ବଂଧ ପାର୍ଶ୍ବରୁ ମାଟି ତାଡ଼ି ଉପରେ ପକାଯାଉଛି ା କୌଣସି ପରିସ୍ଥିତିରେ ବି ବଂଧ ତଳୁ ମାଟି ତାଡ଼ି ଉପରେ ପକାଯିବାର ନିୟମ ନାହିଁ। ଏହା ସଂପୂର୍ଣ୍ଣ ବେଆଇନ। ଠିକାଦାର ବାହାରୁ ଆଣି ମାଟି ପକାଇବା କଥା ା ମାତ୍ର ତାହା ନ କରି ଠିକାଦାର ତଳୁ ମାଟି ଆଣି ବନ୍ଧର ଉପରି ଭାଗକୁ ଉଚ୍ଚା ଓ ପ୍ରଶସ୍ତ କରିଛି। ଏହାଦ୍ବାରା ବଂଧ ତଳ ଭାଗ କେବଳ ଦୁର୍ବଳ ହେଉନାହିଁ; ବରଂ ମହାନଦୀରେ ବନ୍ୟା ଆସିଲେ ବଂଧ ପ୍ରତି ବିପଦ ଦେଖାଦେବ । ବିଶେଷ କରି ତିନି ଜିଲ୍ଲା କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁରର ପିଁପୁର, ଧାରିବିଲ, ସାନ ନୁନପୁର, ତେଣ୍ତାକୁଡା ଆଦି ଅଂଚଳର ହଜାର ହଜାର ଲୋକ ନିର୍ଭର କରୁଥିବା ଏହି ନଦୀବଂଧ କାମ ଯଦି ଏଭଳି ନିମ୍ନମାନର କରାଯିବ ଆଉ ଯନ୍ତ୍ରୀ ସ୍ବୀକାର କରି ନାଚାର୍ ରହିବେ, ତେବେ ଧରିନେବାକୁ ପଡ଼ିବ ଯେ ମିଳିମିଶି ହରିଲୁଟ୍ କରିବା ଉଦ୍ଦେଶ୍ୟରେ ଏଭଳି କାମ ଚାଲିଛି। ଅନ୍ୟପକ୍ଷରେ ବିଭାଗୀୟ ଯନ୍ତ୍ରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ଠିକାଦାର ଭୁଲ୍ କାମ କରିଥିବା ସଂପର୍କରେ ଅବଗତ ଅଛୁ। ପଂଚାୟତ ନିର୍ବାଚନ ଡ୍ୟୁଟିରେ ଆମେ ଥିବା ବେଳେ ଏହି କାମ ହୋଇଛି। ବଂଧ ତଳୁ ବେଆଇନ ଭାବେ ମାଟି ଆଣି ଉପରେ ପକାଯାଇଛି। ତେବେ ସଂପୃକ୍ତ ଠିକାଦାରଙ୍କୁ ଏ ସଂପର୍କରେ ତାଗିଦ୍ ବି କରାଯାଇଛି। ମାଟି ଖୋଳା ଯାଇଥିବା ସ୍ଥାନରେ ପୁଣି ମାଟି ନ ପକାଇଲେ ବିଲ୍ କରାଯିବ ନାହିଁ ବୋଲି ଠିକାଦାରଙ୍କୁ ଜଣାଇ ଦିଆଯାଇଥିବା ଶ୍ରୀ ସାହୁ କହିଛନ୍ତି ା