ପଟ୍ଟାମୁଣ୍ତାଇ: ପଟ୍ଟାମୁଣ୍ତାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତର କୋଳଥିଆ–ବାଲିକିରା ଗ୍ରାମର ମଧ୍ୟସ୍ଥଳ କାଣୀନଦୀ ଶାଖା ନାଳରେ ବିଜୁ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି। ମାତ୍ର ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନାହାନ୍ତି। ସାଧାରଣ ଲୋକଙ୍କ ସମେତ ଚାଷୀମାନେ ସମସ୍ୟାରେ ପଡ଼ୁଥିବା ବେଳେ ଏ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ତୁରନ୍ତ ସେତୁ ନିର୍ମାଣ କରା ନ ଗଲେ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ପଟ୍ଟାମୁଣ୍ତାଇ ବ୍ଲକ୍ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଓ ବାଲିକିରା ଗ୍ରାମର ମଧ୍ୟସ୍ଥଳରେ କାଣୀନଦୀର ଶାଖା ନାଳ ପ୍ରବାହିତ। ଏହି ଶାଖା ନାଳର ପାର୍ଶ୍ବରେ ପ୍ରାୟ ୬ଶହ ହେକ୍ଟରରୁ ଅଧିକ ଉର୍ବର ଚାଷଜମି ରହଛି।
ଏହି ଜମି ଉପରେ ପେଣ୍ଠପାଳ, ତରଡିପାଳ, ଅଳପୁଆ ଆଦି ୩ଟି ପଞ୍ଚାୟତର ଶହ ଶହ ଚାଷୀ ପରିବାର ନିର୍ଭରଶୀଳ। ସେମାନେ ଫସଲ ଉତ୍ପାଦନ କରି ଜୀବିକା ନିର୍ବାହ କରିଆସୁଛନ୍ତି। କାଣୀ ନଦୀର ଶାଖା ନାଳ ଅଧିକ ଗଭୀର। ଏଥିରେ କୁମ୍ଭୀର ଚଳପ୍ରଚଳ କରୁଥିବାରୁ ଚାଷୀମାନେ ଭୟଭୀତ ହେବା ସହିତ ନିରାପଦରେ ଯା’ଆସ କରିପାରୁନାହାନ୍ତି। ଏହି କାଣୀ ନାଳ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ସେମାନେ ଦୀର୍ଘଦିନ ହେବ ଦାବି କରିଆସୁଥିଲେ ହେଁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ନିକଟରେ ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କୁ ଭେଟି କୋଳଥିଆ–ବାଲିକିରା କାଣୀ ନାଳ ଉପରେ ବିଜୁ ସେତୁ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ବେହେରା ଏ ଦିଗରେ ଅ ପଦକ୍ଷେପ ନେବାକୁ ପ୍ରତିନିଧିଦଳକୁ ପ୍ରତିଶ୍ରୁତି ଦେଇଥିଲେ। ପେଣ୍ଠପାଳ, ତରଡିପାଳ ଓ ଅଳପୁଆ ପଞ୍ଚାୟତର ଚାଷୀମାନଙ୍କ ସମୂହ ସ୍ବାର୍ଥ ଦୃଷ୍ଟିରୁ କୋଳଥିଆ–ବାଲିକିରା କାଣୀ ନାଳ ଉପରେ ବିଜୁ ସେତୁ ନିର୍ମାଣ ନିମନ୍ତେ ଆବଶ୍ୟକ ଅର୍ଥ ମଂଜୁର କରିବାକୁ ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/7C90A771-27B7-46C3-B0C2-EF6BEF38190D101722.jpg)