ଖୋର୍ଦ୍ଧା: ଖୋର୍ଦ୍ଧା ଭାୟା ଜଟଣୀ ଓ ପୁରୀ ଜିଲ୍ଲା ସୀମାନ୍ତର ପାଣ୍ଡିଆବିଲି ଗାଁ । ପୋଲ ସହ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଗାଁ ଲୋକ ଦାବି କରିଆସୁଥିଲେ । ପ୍ରାୟ ୪୦ ବର୍ଷ ଧରି ବିଭିନ୍ନ ଦଳର ନେତା, ବିଧାୟକ, ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ, ଶେଷରେ ଭୋଟ ବର୍ଜନ ଚେତାବନୀ ପରେ ପ୍ରଶାସନର ନିଦ ଭାଙ୍ଗିଛି । ରୁରାଲ୍ ୱାର୍କସ ବିଭାଗ ଜିଲ୍ଲା ପ୍ରଶାସନକୁ ପୋଲ ନିର୍ମାଣ ପାଇଁ ଫିଜିବିଲିଟି ରିପୋର୍ଟ ଦାଖଲ କରିଛି ।
ପାଣ୍ଡିଆବିଲି ଗାଁ ଲୋକ ନିର୍ବାଚନ ପୂର୍ବରୁ ଗାଁରେ ବୈଠକ କରି ଗାଁ ପାଇଁ ଦୟାନଦୀ ଉପରେ ପୋଲ ଓ ସବୁଦିନିଆ ପକ୍କା ରାସ୍ତା ନହେଲେ ସମୂହ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି କଥା ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏପରିକି ନିଜ ଗାଁ ମୁଣ୍ଡରେ ପ୍ରଚାର ପାଇଁ କୌଣସି ନେତା, ପ୍ରାର୍ଥୀଙ୍କୁ ଗାଁ ଭିତରେ ପ୍ରବେଶ କରିବାକୁ ବାରଣ କରି ଫଳକ ଲଗାଇଥିଲେ । ତେବେ କେତେକ ରାଜନୈତିକ ଦଳ ଗ୍ରାମବାସୀଙ୍କ ଏହି ନିଷ୍ପତ୍ତିକୁ ବେଖାତିର କରି ସେମାନଙ୍କ ଏକତା ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ଗାଁରେ ଗୋଷ୍ଠୀ ବିବାଦ ମଧ୍ୟ ହୋଇଥିଲା । ଏହି ଖବରକୁ ସମ୍ବାଦ ବିସ୍ତୃତ ଭାବେ ପ୍ରକଶ କରିଥିଲା । ଶେଷରେ ଗାଁ ଲୋକଙ୍କ ନିଷ୍ପତ୍ତି ସମ୍ମୁଖରେ ପ୍ରଶାସନ ମୁଣ୍ଡନୁଆଁଇଛି । ଭୁବନେଶ୍ୱର ରୁରାଲ୍ ୱାର୍କସ ଡିଭିଜନ୍ ପାଣ୍ଡିଆବିଲି ଗାଁ ନିକଟରେ ଦେଇ ଯାଇଥିବା ଦୟାନଦୀ ଉପରେ ପୋଲ ନିର୍ମାଣ କରିବାକୁ ସର୍ଭେ କରି ଫିଜିବିଲିଟି ରିପୋର୍ଟ ଜିଲ୍ଳାପାଳଙ୍କ ନିକଟରେ ଦାଖଲ କରିଛି ।
ପ୍ରସ୍ତାବ ଅନୁସାରେ, ପାଣ୍ଡିଆବିଲି ନିକଟରେ ଦୟାନଦୀର ଓସାର ୩୧୦ ମିଟର । ବର୍ତମାନ ୬୦ ମିଟର ଅଂଚଳରେ ଜଳ ପ୍ରଭାବିତ ହେଉଛି । ଏହାଠାରୁ ୩ କିମି ଦୂରରେ ପୁରୀ ଡେଲାଙ୍ଗ ବ୍ଲକର ସଉରିଆ ନିକଟରେ ଏକ ପୋଲ ରହିଛି । ପ୍ରସ୍ତାବିତ ପୋଲରେ ୯ଟି ସ୍ପାନ୍ ଓ ୩୦.୬୦ ମିଟର ସିସି ୱେଲ୍ ଭିତ୍ତିଭୂତି ରହିଛି । ୨୦.୦୮୪୧୧୫ ଅକ୍ଷାଂଶ ଓ ୮୫.୬୭୧୨୨୮ ଦ୍ରାଘିମା ମଧ୍ୟରେ ପୋଲ ନିର୍ମାଣ କରାଯାଇପାରିବ । ତେବେ ପୂର୍ବରୁ ମଧ୍ୟ ଦୁଇ ଥର ସର୍ଭେ କରି ପୋଲ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ପୋଲ ନିର୍ମାଣ ହୋଇପାରିନଥିଲା । ବର୍ତମାନ ଦେଖିବାକୁ ବାକି ରହିଲା, ସଂପ୍ରତି ଦାଖଲ ହୋଇଥିବା ପ୍ରସ୍ତାବ ରିପୋର୍ଟ ଉପରେ ଆଗାମୀ ନିର୍ବାଚନ ପୂର୍ବରୁ ଏହାର ଶୁଭ ପଡ଼ିବ କି ନାହିଁ ।