ପଶୁଲୁଣ୍ତା ବିଜୁ ସେତୁ କାର୍ଯ୍ୟରେ ଅନିୟମିତତା, ମାଟିପକାରେ ଅଟିକିଛି ୪ କୋଟିର କାମ, ସରିବ କେବେ?

ମାହାଙ୍ଗା: ରାଜ୍ୟ ସରକାର ଗମନାଗମନ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କ ସୁବିଧା ପାଇଁ ସେତୁ ଓ ରାସ୍ତା କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ତାହା ସଠିକ ଢଙ୍ଗରେ କାର୍ଯ୍ୟକାରୀ ‌ହେଉ ନଥିବା ଦେଖିବାକୁ ମିଳିଛି। ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧୀନ ପଶୁଲୁଣ୍ତାଠାରେ ଗୋବରୀ ନଦୀ ଉପରେ ବିଜୁ ସେତୁ କାର୍ଯ୍ୟ ଓ ତତ୍‌ସଂଲଗ୍ନ ମାହାଙ୍ଗା-ବାଗସରପୁର ଯୋଗ କରୁଥିବା ଚାୟାଁପାଳ, ମାଳିହତା, ଚଢେଇପୁଟିଆ ରାସ୍ତା କାର୍ଯ୍ୟ ପାଇଁ ୪ କୋଟି ଟଙ୍କା ଟେଣ୍ତର୍‌ କରାଯାଇଥିଲା। ୨୦୨୦ ମେ’ ୩୧ ତାରିଖ ଦିନ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏହି କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ। ତେବେ, ଦୀର୍ଘ ୨୧ମାସ ବିତିଯାଇଥିଲେ ମଧ୍ୟ କେବଳ ମାଟିପକା ଓ ପିଲର୍‌ ପାଇଁ ରଡ୍‌ ବାଇଁଡିଂରେ କାର୍ଯ୍ୟ ସୀମିତ ରହିଛି। କାମ ନହେବା ଫଳରେ ବାଇଁଡିଂ ରଡ୍‌ରେ ମାଟି ଓ ବର୍ଷାପାଣି ଲାଗି କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ସେହିପରି ତତ୍‌ସଂଲଗ୍ନ ରାସ୍ତାରେ କେବଳ ମାଟି ପଡ଼ିଥିବା ବେଳେ ତାହା ମଧ୍ୟ ସଠିକ ରୋଲିଂ ହୋଇନାହିଁ।

ଏହି ମାଟିରାସ୍ତା ଉପରେ ଡଷ୍ଟ୍‌ ନପଡିବାରୁ ସାମାନ୍ୟ ବର୍ଷା ହେଲେ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀମାନେ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। କାମ ବିଳମ୍ବ ନେଇ ମନ୍ତ୍ରୀ ଶ୍ରୀ ଜେନା କ୍ଷୋଭ ପ୍ରକାଶ କରିବା ସହ ୧୦ ମାସ ତଳେ ନିର୍ମାଣାଧୀନ ସେତୁ ଓ ରାସ୍ତା ପରିଦର୍ଶନ କରିଥିଲେ। ମାଳିହତାଠାରେ ଏକ ସମୀକ୍ଷା ବୈଠକ ମଧ୍ୟ କରି ତୁରନ୍ତ କାର୍ଯ୍ୟ ସାରିବା ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ପାଇଁ ପୋଲ ଏବଂ ରାସ୍ତା କାର୍ଯ୍ୟ ଆଗେଇ ପାର ନୁଥିବା ଅଭିଯୋଗ ହୋଇଛି। ତୁରନ୍ତ ରାସ୍ତା ଓ ସେତୁ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି। ଏ ସଂପର୍କରେ ମାହାଙ୍ଗା ଗ୍ରାମ୍ୟଉନ୍ନୟନ କନିଷ୍ଠ ଯନ୍ତ୍ରୀ ବିଜୟ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଆସନ୍ତା ମାର୍ଚ୍ଚ ମାସରେ କାମର ଅବଧି ସରୁଥିବାରୁ ତା’ ଭିତରେ କାମ ଶେଷ କରିବାକୁ ସଂପୃକ୍ତ ଠିକାଦାରଙ୍କୁ କୁହାଯାଇଛି। ତେବେ, ନାମକୁମାତ୍ର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୪ କୋଟିର କାମ କିପରି ମାର୍ଚ୍ଚ ମାସ ସୁଦ୍ଧା ସରିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର