ବିତିଗଲା ୧୨ ବର୍ଷ, ଅଧାପଡ଼ିଛି କୁଣ୍ଡାଖିଆ ପୋଲ

ଆଳି: ଆଳି ବ୍ଲକ କଳଦିଆ-ଗଭାଡିଆ ନିକଟରେ କୁଣ୍ଡାଖିଆ ଯୋରରେ ୧୨ ବର୍ଷ ତଳେ ନିର୍ମିତ ହେଉଥିବା ଏକ ପୋଲ ଅଦ୍ୟାବଧି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ସଂପୃକ୍ତ ଅଞ୍ଚଳର ପର୍ଯ୍ୟାପ୍ତ ଚାଷଜମିକୁ ଜଳସେଚନ ସହିତ ସ୍ଥାନୀୟ ଲୋକଙ୍କ ଗମନାଗମନ ପାଇଁ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ଷବର୍ଷ ଧରି ପୋଲ ନିର୍ମାଣ କାମ ବନ୍ଦ ରହିବା ପରେ ଗତବର୍ଷ ଅସ୍ଥାୟୀ ଭାବେ  ନିର୍ମାଣାଧୀନ ପୋଲ ସ୍ଥାନରେ ଏକ  ପାଇପ୍ ପକାଯାଇ ଗମନାଗମନ ପାଇଁ ରାସ୍ତା କରାଯାଇଛି। ପାଇପ୍ ଯୋଗୁଁ ଆବଶ୍ୟକତା ଅନୁଯାୟୀ ଜଳ ସରବରାହ ଠିକ୍ ଭାବେ ହୋଇ ପାରୁ ନ ଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅପରପକ୍ଷରେ ରାସ୍ତାରେ ଖରାଦିନେ ଯାତାୟତ ହେଉଥିଲେ ମଧ ବର୍ଷା ଦିନେ ଗମନାଗମନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ତେଣୁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଏଠାରେ ପୋଲ ପୂର୍ଣ୍ଣାଙ୍ଗ କରିବାକୁ ଦାବି କରୁଛନ୍ତି। ସଂପୃକ୍ତ ଅଞ୍ଚଳର ଚାଷୀ ଓ ଗ୍ରାମବାସୀ କୁହନ୍ତି, କ୍ରମାଗତ ଭାବେ ଗତ ୪୦ ବର୍ଷ ହେଲା ଲୋକପ୍ରତିନିଧି ଓ ପ୍ରଶାସନ ନିକଟରେ ଦାବି ଯୋଗୁଁ ସଂପୃକ୍ତ ପୋଲ ନିର୍ମାଣ ପାଇଁ ଗତ ୪୦ ବର୍ଷ ମଧ୍ୟରେ ୩ ଥର ପୋଲ ନିର୍ମାଣ ପାଇଁ ଶୁଭ ଦିଆଯାଇଛି। ଥରକୁ ଥର ୩ ଥର ଶୁଭ ଦିଆଯିବା ପରେ ଗତ ୧୨ ବର୍ଷ ତଳେ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିଛି ଦିନ ବେଶ ଦ୍ରୁତ ଗତିରେ ପୋଲ କାର୍ଯ୍ୟ ଚାଲିଲା। କିନ୍ତୁ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ଅଧାପନ୍ତରିଆ ହୋଇ ପଡିରହିଛି। ଅନ୍ୟପଟେ ପୋଲ ନିର୍ମାଣ ପାଇଁ ଯୋର ମଝିରେ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବାରୁ ଜଳ ସରବରାହ ଠିକ୍ ଭାବେ ହୋଇ ପାରୁନାହିଁ। ଫଳରେ ଏହି ଆଡ଼ିବନ୍ଧଟି ଏବେ ଚାଷୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। କୁଣ୍ଡାଖିଆ ପୋଲ ନିର୍ମାଣ ଓ ଆଡ଼ିବନ୍ଧ ହଟାଇବା ପାଇଁ ଚାଷୀମାନେ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଗୁହାରି କରି ଆସୁଥିଲେ ବି କେହି ଶୁଣିବାକୁ ନାହିଁ। ଏବେ ପାଇପ୍ ପକାଯାଇ ପୋଲ ନିର୍ମାଣ ସ୍ଥାନକୁ ପୋତି ଦିଆଯାଇଛି। ମାଟି ତଳେ ପୋଲର ଅର୍ଦ୍ଧନିର୍ମିତ ପିଲାର, କଂକ୍ରିଟ ପୋତି ହେବା ସହିତ ପୋତି ହୋଇଯାଇଛି ଚାଷୀଙ୍କ ପୋଲ ନିର୍ମାଣର ସ୍ବପ୍ନ।

ଚାଷଜମିକୁ ଜଳ ସରବରାହ ଓ ଗମନାଗମନର ସୁବିଧା ପାଇଁ କୁଣ୍ଡାଖିଆ ଜୋରନାଳି ଉପରେ ଛୋଟିଆ ପୋଲଟିଏ ନିର୍ମାଣ ପାଇଁ ଚାଷୀ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଗତ ୪୦ ବର୍ଷ ଧରି ଦାବି କରି ଆସୁଛନ୍ତି। ବିଳମ୍ବରେ ହେଲେ ମଧ୍ୟ ପୋଲକାମ ଆରମ୍ଭ ହେଲା। ଇତି ମଧ୍ୟରେ ୧୨ ବର୍ଷ ବିତିଥିଲେ ମଧ୍ୟ ପୋଲ ତ ପୂର୍ଣ୍ଣାଙ୍ଗ ହେଲା ନାହିଁ। ଅଧାପନ୍ତରିଆ ପୋଲକୁ ପୋତି ଦିଆଗଲା। ଚାଷୀ ଓ ଗ୍ରାମବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଏହି ପୋଲ ନିର୍ମାଣ ହେବା ଜରୁରୀ।

ବୀରେନ୍ଦ୍ର କୁମାର ପଣ୍ଡା, ସାମାଜିକ କର୍ମୀ, ବାଲିଅଡା

କୁଣ୍ଡାଖିଆ ପୋଲ ପୂର୍ଣ୍ଣାଙ୍ଗ କରା ନ ଯିବାରୁ ଆମର ଚାଷ ଉଜୁଡି ଯାଉଛି। ବର୍ଷା ଦିନେ ନଦୀପାଣି ପ୍ରବେଶ ଓ ନିଷ୍କାସନ ଠିକ୍ ଭାବେ ହୋଇ ପାରୁନାହିଁ। ଫଳରେ ଜମିର ଫସଲ କ୍ଷତିଗ୍ରସ୍ତ ହେଉଛି। ଅନ୍ୟପଟେ ଗମନାଗମନ କ୍ଷେତ୍ରରେ ମଧ୍ୟ ଚରମ ଅସୁବିଧା ହେଉଛି। ସରକାର କୃଷି ଓ କୃଷକ କଲ୍ୟାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଇ ଛୋଟିଆ ପୋଲଟିଏ କ’ଣ ପାଇଁ ହୋଇ ପାରୁନାହିଁ?

ବାସୁଦେବ ବାରିକ, ଚାଷୀ, କଳଦିଆ

କୁଣ୍ଡାଖିଆ ଜୋର ଉପରେ ପୋଲ ନିର୍ମାଣ ପାଇଁ ଆମର ସ୍ବପ୍ନ ହିଁ ସ୍ବପ୍ନରେ ରହିଯାଇଛି। ଅଧାଗଢା ପୋଲକୁ ପୂର୍ଣ୍ଣାଙ୍ଗ କରାନଯାଇ ପୋତି ଦିଆଯିବା ଫଳରେ ଚାଷ ସହିତ ଗମନାଗମନ କ୍ଷେତ୍ରରେ ଆମେ ହିନସ୍ତା ହେଉଛୁ। ସରକାର ତୁରନ୍ତ ଏହି ପୋଲ ନିର୍ମାଣ କରିବା ପାଇଁ ଆମେ ଦାବି କରୁଛୁ।

ବିଷ୍ଣୁ ଚରଣ ନାଥ, ଚାଷୀ, ଦଶିପୁର

 

 

ସମ୍ବନ୍ଧିତ ଖବର