ବୈପାରିଗୁଡା: ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ପୋଲ ନିର୍ମାଣ କାର୍ଯ୍ୟ। ବର୍ଷକ ପରେ ବି କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଅନ୍ୟ ଦିଗରେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ। ଲୋକେ ବାରମ୍ବାର ଦାବି କରିବା ସତ୍ତ୍ୱେ ପଦକ୍ଷେପ ନେବାର ନିଆଯାଉ ନାହିଁ। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚେରକା ଗ୍ରାମରେ ବହି ଯାଉଥିବା ପାହାଡୀ ନାଳ ଯୋଗୁ ଯିବା ଆସିବାରେ ଅସୁବିଧା ହେଉଥିଲା। ତେଣୁ ଏହି ପାହାଡୀ ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯିବା ପରେ ବର୍ଷକ ପରେ ପୋଲ କାମ ଆରମ୍ଭ ହୋଇଥିଲା। କାମ ଆରମ୍ଭ ପରେ ଲୋକେ ବେଶ୍ ଆଶ୍ବସ୍ତ ଅନୁଭବ କରିଥିଲେ। କାରଣ ଏହାଦ୍ବାରା ଯୋଗାଯୋଗର ବାଟ ଖୋଲିଯିବ। କିନ୍ତୁ ବର୍ଷକ ପରେ ମଧ୍ୟ ପୋଲ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏବେ ଏହି ଅର୍ଦ୍ଧନିର୍ମିତ ପୋଲ ଚେରକାବାସୀଙ୍କ ପାଇଁ ଦୁଃଖ ପାଲଟି ଯାଇଛି। ଚେରକା ସମେତ ଝଡିଗୁଡା, ଗୈାଡଗୁଡା, ଗୁଣ୍ଡଲିଆଗୁଡା ଏବଂ ଗଦଡି ଗ୍ରାମ ବର୍ତ୍ତମାନ ଏକ ପ୍ରକାର ବିଚ୍ଛିନ୍ନାଞ୍ଚଳ ପାଲଟି ଯାଇଛି। ବର୍ଷା ଋତୁରେ ପାହାଡୀ ନାଳ ପ୍ରଖର ସୁଅ ପାର ହୋଇ ଯିବା ଆସିବା ସମ୍ଭବ ହେଉନଥିବାରୁ ଏହି ଗ୍ରାମ ଗୁଡ଼ିକର ଲୋକେ ଘରୁ ବାହାରକୁ ବାହାରି ପାରନ୍ତି ନାହିଁ।

Advertisment

ନାଳ ଆର ପାଖରେ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ରହିଥିବାରୁ ଗ୍ରାମବାସୀମାନେ ଜରୁରୀ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି। ବିଶେଷକରି ରାସନ, ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ପାଇବା ପାଇଁ ନାଳର ଭରା ସୁଅରେ ଜୀବନକୁ ବାଜି ଲଗାଇ ଯିବାକୁ ପଡିଥାଏ ବୋଲି ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି। ସ୍କୁଲକୁ ପାଠ ପଢିବା ପାଇଁ ପିଲାମାନେ ଯାଇପାରନ୍ତି ନାହିଁ। ଗତ ଦିନରେ ନାଳ ପାର ହେଉଥିବା ସମୟରେ ପଞ୍ଚମ ଶ୍ରେଣୀର ଛାତ୍ର ଭାସି ଯାଉଥିବା ବେଳେ ଗ୍ରାମବାସୀ ମାନେ ଉଦ୍ଧାର କରିଥିବା ପ୍ରକାର କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବା ଶିଶୁ ମାନଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଥିବାରୁ ଅଭିଭାବକ ସାହାସ ଜୁଟାଇ ପାରନ୍ତି ନାହିଁ। ଏହି ନାଳ ପାର ହେଲେ ପାଞ୍ଚଟି ଗ୍ରାମର ଗ୍ରାମବାସୀଙ୍କୁ ବ୍ଲକ ସଦର ମହକୁମାକୁ ପହଞ୍ଚିବାରେ ସହଜ ହୋଇପାରିବ। କିନ୍ତୁ କେଉଁ କାରଣରୁ ପୋଲଟିକୁ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦିଆଯାଇଛି, ସେ ସମ୍ପର୍କରେ କାହା ପାଖରେ ଖବର ନାହିଁ। ପ୍ରଶାସନର ନିରବତାକୁ ଲକ୍ଷ୍ୟ କରି ଶେଷରେ ଗ୍ରାମବାସୀ ମାନେ ନିଜ ଖର୍ଚ୍ଚରେ ପୋଲ ଉପରେ ପଟା ପକେଇ ଯିବା ଆସିବା କରିବାପାଇଁ ବାଧ୍ୟ ହେଉଛନ୍ତି। ତେବେ ଆଉ କେତେ ବର୍ଷ ପରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି।