ମହାବୀର ସ୍ପଞ୍ଜରେ ସୁରକ୍ଷାକୁ ଅଣଦେଖା, ଚାଲିଗଲା ବଏଲର ଅପରେଟରଙ୍କ ଜୀବନ

ଦରକାର ପଡିଲେ ବନ୍ଦ ହେବ ବଏଲର ୟୁନିଟ୍‌: ଉପ ନିର୍ଦ୍ଦେଶକ

ରାଉରକେଲା: ପ୍ରଦୂଷଣ ଓ ସୁରକ୍ଷା ନୀତିନିୟମକୁ ଫୁଃ କରି ଦେଉଛନ୍ତି ଜିଲ୍ଲାର ଅନେକ କାରଖାନା ମାଲିକ। ବିଶେଷକରି ରାଉରକେଲା ଉପକଣ୍ଠରେ ଅବସ୍ଥିତ କଲୁଙ୍ଗା ଶିଳ୍ପାଞ୍ଚଳରେ ସବୁ ନୀତିନିୟମର ଖୋଲା ଉଲଂଘନ ହେଉଛି। ଫଳରେ ଥରେ କି ଦୁଇ ଥର ନୁହେଁ, କଲୁଙ୍ଗା ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରେ ବାରମ୍ବାର ଅଘଟଣ ଘଟୁଛି, ଜୀବନ ଯାଉଛି ଶ୍ରମିକ ଓ କର୍ମଚାରୀମାନଙ୍କର। ପ୍ରଦୂଷଣ ତ ଲଗାତାର ଭାବେ ଜାରି ରହୁଛି। ତଥାପି କାରଖାନା ମାଲିକଙ୍କ ଚେତା ପଶୁନି କିମ୍ବା ସେସସବୁ ତଦାରଖ କରିବା ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ମାମଲାକୁ ଗମ୍ଭୀରତାର ସହିତ ନେଉ ନାହାନ୍ତି।

ଉଭୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଏବଂ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ ବିଭାଗ କେବଳ କାରଣ ଦର୍ଶାଅ ନୋଟିସ୍‌ ଦେଇ କାମ ସାରି ଦେଉଛନ୍ତି। ଯାହାର ପୁନରାବୃତ୍ତି ହୋଇଛି  ଗତ ୧୨ ତାରିଖରେ କଲୁଙ୍ଗା ଶିଳ୍ପଞ୍ଚଳର ମହାବୀର ଫେରୋ ଆଲଏଜ୍‌ କାରଖାନାରେ। କାରଖାନାର ବଏଲର ବିଭାଗରେ ଦୁର୍ଘଟଣା ଘଟି ଗୁରୁତର କର୍ମଚାରୀ ସତ୍ୟନାରାୟଣ ପାଣି (୪୫)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ହୋଇଛି। ସେ କାରଖାନାରେ ବଏଲର ଅପରେଟର ଭାବେ କାମ କରୁଥିଲେ। ମୃତ ସତ୍ୟନାରାୟଣଙ୍କ ଘର କୋଏଲନଗର ବି -୧୧୮ରେ। ସେ ବାପା-ମାଙ୍କର ଏକମାତ୍ର ପୁଅ ଥିଲେ। ଏକମାତ୍ର ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ବୃଦ୍ଧ ବାପା। ବେସାହାରା ହୋଇଯାଇଛନ୍ତି ପତ୍ନୀ ଓ ତାଙ୍କ ନାବାଳକ ପୁଅ। ଆଜି ଭୁବନେଶ୍ବରରୁ ଶବ ଆସି କ‌ୋଏଲନଗରସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା। ପରିବାର ଲୋକ ଶବ ରଖି  ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ସିଆଇଟିୟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଜାହାଙ୍ଗୀର ଅଲ୍ଲୀ  ୟୁନିୟନର କର୍ମକର୍ତ୍ତା ମୃତ ସତ୍ୟନାରାୟଣ ଘରେ ପହଞ୍ଚି ପରିବାରଙ୍କ ଦାବିକୁ ସମର୍ଥନ କରିଥିଲେ। ପରେ ବ୍ରାହ୍ମଣୀତରଙ୍ଗ ଥାନାରେ କାରଖାନାର ବରିଷ୍ଠ ଅଧିକାରୀ, ମୃତଙ୍କ ପରିବାର ଓ ସିଆଇଟିୟୁ ନେତାଙ୍କ ଉପସ୍ଥିତିରେ କ୍ଷତିପୂରଣ ସଂକ୍ରାନ୍ତରେ ଆଲୋଚନା ଜାରି ରହିଥିଲା। ରାତି ପ୍ରାୟ ସାଢ଼େ ୮ଟାରେ କାରଖାନା ପକ୍ଷରୁ ମୃତକଙ୍କ ପରିବାରକୁ କାରଖାନା କର୍ତ୍ତୃପକ୍ଷ ୧୬ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। ମାତ୍ର ମୃତକଙ୍କ ପରିବାର ଓ ସିଆଇଟିୟୁର କର୍ମକର୍ତ୍ତା ଅଧିକ କ୍ଷତିପୂରଣ ଦେବାକୁ ଅଡି ବସିଛନ୍ତି। ଏ ଖବର ଲେଖା ହେବା ପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରି ପାରି ନାହିଁ।

କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ‌ଉପ ନିର୍ଦ୍ଦେଶକ ବିଭୂ ପ୍ରସାଦ କହିଛନ୍ତି, ମୃତ ସତ୍ୟନାରାୟଣ ବଏଲର ଅପରେଟର (ପ୍ରଥମ ଶ୍ରେଣୀ) ଭାବେ କାମ କରୁଥିଲେ। କାରଖାନାର କର୍ତ୍ତୃପକ୍ଷଙ୍କର କାମ କରିବାର ପଦ୍ଧତି ଠିକ୍‌ ନଥିବାରୁ ଏଭଳି ଅଘଟଣ ଘଟିଛି। କେଉଁ ପରିସ୍ଥିତିରେ ଏମିତି ଦୁର୍ଘଟଣା ଘଟିଲା ଅନୁଧ୍ୟାନ କରାଯାଉଛି। ଦରକାର ପଡିଲେ କାରଖାନାର ବଏଲର ୟୁନିଟ୍‌କୁ ବନ୍ଦ କରି ଦିଆଯିବ। ସିଆଇଟିୟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି କହିଛନ୍ତି, କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଫଳରେ ନିରୀହ କର୍ମଚାରୀଙ୍କ ଜୀବନ ଯାଉଛି। ମୃତ ସତ୍ୟନାରାୟଣଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ୟୁନିୟନ ପକ୍ଷରୁ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ, ସତ୍ୟନାରଯାୟଣ ପାଣି କୋଏଲନଗର ବି -୧୧୮ରେ ପତ୍ନୀ, ପୁଅ ଓ ବାପାଙ୍କ ସହ ରହନ୍ତି। ସେ କଲୁଙ୍ଗା ଶିଳ୍ପାଞ୍ଚଳର ମହାବୀର ଫେରୋ ଆଲଏଜ୍‌ କାରଖାନାରେ ଗତ ପ୍ରାୟ ୭ ବର୍ଷ ଧରି ବଏଲର ଅପରେଟ ଭାବେ କାମ କରି ଆସୁଥିଲେ। ପ୍ରତିଦିନ ପରି ଗତ ୧୨ ତାରିଖରେ ‘ ବି’ ସିଫ୍ଟରେ ଡ୍ୟୁଟିକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୪ଟାରୁ ୫ଟା ସମୟରେ ବଏଲର ଷ୍ଟିମ୍‌ ଲାଇନ୍‌ ଲିକେଜ୍‌ ଥିବାରୁ ମରାମତି କରୁଥିଲେ। ମରାମତି କରୁଥିବାବେଳେ ହଠାତ୍‌ ଗରମ ବାଷ୍ପ ସଂସ୍ପର୍ଶରେ ଆସିଯିବାରୁ ପୋଡି ହୋଇ ତଳକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏକ  ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର