ଭଞ୍ଜନଗର: ଶୁଖିଲା ହୋଇ ଠିଆ ହୋଇଛି ବିରାଟକାୟ ବୃକ୍ଷ। କେତେ ବେଳେ ମୂଳରୁ ପଡିଯିବାର ଭୟ ରହିଛି । ପ୍ରତିଦିନ କିଛିନା କିଛି ଡାଳ ଭାଙ୍ଗି ଲୋକମାନଙ୍କ ଉପରେ ପଡୁଛି। ସାମାନ୍ୟ ଖଣ୍ଡିଆ ଖାବର ମଧ୍ୟ ଲୋକ ହେଉଛନ୍ତି। ଗଛ ତଳେ ରହୁଥିବା ଯାନ ବାହାନ ଉପରେ ମଧ୍ୟ ପଡି କ୍ଷୟକ୍ଷତି ହେଉଛି। ଏଥିସହ କିଛି ବଡ ବଡ ଗଛ ଉପରେ ଡାଳ ଭାଙ୍ଗି ଅନ୍ୟ ଡାଳରେ ଲଟକି ରହିଛି। ଏଭଳି ବିପଦ ସଂକୁଳ ପରିସ୍ଥିତି ଭଞ୍ଜନଗର ଉପଖଣ୍ତ ଡାକ୍ତରଖାନା ପରିସରରେ ରହିଥିବା ବିରାଟ କାୟ ଗଛଗୁଡିକରେ ଦେଖିବାକୁ ମିଳିଛି ।
ବହୁ ଗଛରେ ଡାଳ ଭାଙ୍ଗି ଝୁଲି ରହିଥିବା ବେଳେଛ ତାକୁ ବାହାର କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବା ବେଳେ ରକ୍ତ ଭଣ୍ଡାର ପରିସରରେ ଥିବା ବିରାଟ ଶୁଖିଲା ଆମ୍ବ ଗଛ କେଉଁ ମୂହୁର୍ତ୍ତରେ ମଧ୍ୟ ପଡିଯିବାର ଆଶଙ୍କା ରହିଛି। ଏଭଳି ମୃତ୍ୟୁର ଡାଳ ମୁଣ୍ଡ ଉପରେ ଲଟକି ରହିଥିବା ବେଲଳେ ଶହ ଶହ ରୋଗୀ ଓ ସେମାନଙ୍କ ସଂର୍ପକ ବିପଦପୂର୍ଣ୍ଣ ଭାବେ ଏହି ଗଛ ତଳ ଦେଇ ଯାତାୟତ କରୁଛନ୍ତି। ଯଦି ସେହି ଆଗନ୍ତୁକମାନଙ୍କ ଉପରେ ଏହି ଗଛଟି ପଡେ ତେବେ ଦାୟୀ କିଏ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଗଛ ନିକଟରେ ଭୁତଳ ପାଣି ଟ୍ୟାଙ୍କ ରହିଥିବାରୁ ଏଠାରେ ଲୋକମାନେ ବସାଉଠା ବି କରନ୍ତି। ଆମ୍ବ ଗଛଟି ବିରାଟ କାୟ ହୋଇଥିବା ବେଳେ ମୂଳରୁ ସଂପୂର୍ଣ୍ଣ ଶୁଖି ଶାଖା ପ୍ରଶାଖାଗୁଡିକ ବହୁ ସମୟରେ ଭାଙ୍ଗି ତଳେ ପଡୁଛି। ଛୋଟ ଡାଳ ଦ୍ବାରା କାହାର କିଛି କ୍ଷତି ହୋଉ ନଥିବା ବେଳେ ବଡ ଡାଳ କିମ୍ବ ଗଛଟି ମୂଳରୁ ପଡିଯିବାର ସମ୍ଭାବନା ସୃଷ୍ଟି ହୋଇଛି।
ସେହିପରି ଚକ୍ଷୁ ବିଭାଗ ସାମ୍ନାରେ ମଧ୍ୟ ଏକ ବଡ ଡାଳ ଗଛରେ ଲାଗି ରହିଥିବା ବେଳେ ଅନ୍ୟ ଏକ ଡାଳ ବିଦ୍ୟୁତ୍ ତାରରେ ଝୁଲି ରହିଛି। ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ଡାଳଗୁଡ଼ିକ ରହିଥିଲେ ମଧ୍ୟ ଏହାକୁ ହଟାଯିବା ନେଇ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବା ଅତ୍ୟନ୍ତ ପରିତାପର ବିଷୟ।
ଏନେଇ ଡାକ୍ତରଖାନା ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦୀର୍ଘ ଏକ ବର୍ଷ ହେବ ବନ ବିଭାଗ ଓ ଓଏଫ୍ଡିସିକୁ ଗଛ କାଟିବା ପାଇଁ ଅବଗତ କରାଯାଇଛି। ରକ୍ତ ଭଣ୍ଡାର ପରିସରରେ ଥିବା ଏହି ଗଛ ସହ ଡାକ୍ତରଖାନା ପରିସରରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଆଉ ଏକ ନିମ ଗଛକୁ କାଟିବା ପାଇଁ ବହୁଥର ଅନୁରୋଧ କରିବା ସହ ବାରମ୍ବାର ଚିଠି କରାଯିବା ପରେ ମଧ୍ୟ ସଂପୃକ୍ତ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସେ କହିଛନ୍ତି।
ବନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା ବେଳେ ଏହାକୁ ହଟାଇବା ପାଇଁ ମେଡିକାଲ୍ କର୍ତ୍ତୁପକ୍ଷ ଅନ୍ୟ କୌଣସି ବିକଳ୍ପ ପନ୍ଥା ମଧ୍ୟ ଅପାଣାଇ ନଥିବାରୁ ଆଗାମୀ ଦିନରେ ବଡ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/BNJ-BJ-1.jpg)