ଲକଡାଉନ୍ ପୂର୍ବରୁ ପଡିରହିଛି ମେଳା ଉପକରଣ : ନା ହେଉଛି ଯାନିଯାତ୍ରା ନା ଲାଗୁଛି ମେଳା

ଭଞ୍ଜନଗର: କରୋନା ମହାମାରୀ ଫଳରେ ସମାଜର ସବୁ ଶ୍ରେଣୀର ବ୍ୟକ୍ତି ବିଶେଷ ପ୍ରଭାବିତ ହୋଇଛନ୍ତି। ଏଥିସହ କରୋନା ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ସହ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା, ତାରତାରିଣୀ ଯାତ୍ରା ସହ ଠାକୁରାଣୀ ଯାତ୍ରା ଆଦି ବନ୍ଦ ରହିଛି। ଏହି ଯାତ୍ରାଗୁଡ଼ିକ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ରହୁଥିବ ଲୋକମାନେ ପ୍ରଭାବିତ ହୋଇଛନ୍ତି। ଏଥିସହ ଏଭଳି ଯାନି ଯାତ୍ରାରୁ ରୋଜଗାର ପାଇ ପାରୁଥିବା ଲୋକମାନଙ୍କ ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡିଛି।

ଏହାଦ୍ବାରା ବିଭିନ୍ନ ଯାନିଯାତ୍ରା ସମୟରେ ମେଳା ଲଗାଉଥିବା ସଂସ୍ଥା ମଧ୍ୟ ବି୍ଶେଷ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ବର୍ଷ ତମାମ୍ ପର୍ବ ପର୍ବାଣୀ ଲାଗି ରହିବା ସହ ଦେବା ଦେବୀଙ୍କ ଉତ୍ସବ, ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ଭଳି ଧାର୍ମିକ କାର୍ଯ୍ୟକ୍ରମରେ ଲୋକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳି ସହ ମେଳା ଲାଗୁଥିଲା। କିନ୍ତୁ ଯାନି ଯାତ୍ରା ସବୁ ବନ୍ଦ ରହିଥିବାରୁ ମେଳା ଲଗାଉଥିବା ସଂସ୍ଥାଗୁଡ଼ିକ କିଭଳି ପ୍ରଭାବିତ ହୋଇଛନ୍ତି ତାହା ସୋରଡ଼ା ବ୍ଳକର ଲୋକାମାରୀ ଗ୍ରାମରେ ପଡିଥିବା ମେଳା ସାମଗ୍ରୀର ଚିତ୍ର ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି।

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ୍ ଏକଲପୁର ପଞ୍ଚାୟତର ଲୋକାମାରୀ ଗ୍ରାମରେ ଲକଡାଉନ୍ ପୂର୍ବରୁ ଅର୍ଥାତ୍ ଚଳିତ ବର୍ଷ ମାର୍ଚ୍ଚ ମାସରେ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ଏହି ଅବସରରେ ବାହାର ଗ୍ରାମର ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିବା ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ସାମିଲ ହେଉଥିବା ଲୋକମାନଙ୍କ ମନୋରଞ୍ଜନ ପାଇଁ ଗ୍ରାମରେ ଏକ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାର ଦୋଳି ସହ ଛୋିଟ ପିଲାଙ୍କ ପାଇଁ ଦୋଳି, ଡିସକୋଡ୍ୟାନ୍ସ୍,ଡ୍ରାଗନ୍ ଟ୍ରେନ୍ ଆଦି ମେଳାରେ ଲଗାଯାଇଥିଲା।

ଏଥିସହ ବିଭିନ୍ନ ପ୍ରକାର ମେଳାରେ ବିକ୍ରି କରାଯାଉଥିବା ଫେନ୍ସି ସାମଗ୍ରୀର ପସରା ମେଲିଥିଲା। ମାର୍ଚ୍ଚ ୮ ତାରିଖରୁ ଏହି ମେଳା ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୪ ଦିନ ଧରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିଲା। ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲେ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଆଗମନ ଦୃଷ୍ଟିରୁ ମେଳାକୁ ଆହୁରି କିଛିଦିନ ବୃଦ୍ଧି କରାଯାଇଥିଲା। ତେବେ ମେଳାକୁ ବନ୍ଦ କରିବା ସହ ମେଳାରେ ଲାଗିଥିବା ଉପକରଣଗୁଡିକୁ ବାହାର କରିବା ସମୟ ମଧ୍ୟରେ ଦେଶରେ କରୋନା ମହାମାରୀ ପାଇଁ ଜନତା କର୍ଫ୍ୟୁ ଏବଂ ତା’ ପରଠାରୁ ଲକ୍ ଡାଉନ୍ ସଟ୍ ଡାଉନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏଥିରେ ଆଖପାଖ ଗ୍ରାମରୁ ଆସି ପସରା ଲଗାଇଥିବା ବ୍ୟବସାୟୀ ସେମାନଙ୍କ ଜିନିଷ ଧରି ପଳାଇ ଯାଇଥିବା ବେଳେ ମେଳାରେ ଦୋଳି ଖେଳନା ଉପକରଣ ଲଗାଇଥିବା ସଂସ୍ଥାର କର୍ତ୍ତୁପକ୍ଷ ଆଉ ମେଳାରେ ବ୍ୟବହୃତ ହୋଇଥିବା ଉପକରଣକୁ ନିଜ ଅଞ୍ଚଳକୁ ନେଇ ପାରି ନଥିଲେ କି ନିଜେ ଘରକୁ ଫେରି ପାରିନଥିଲେ।

ମେଳା ଲଗାଇଥିବା ସଂସ୍ଥା ନୟାଗଡ଼ର ହୋଇଥିବା ଗ୍ରାମବାସୀମାରନେ ପ୍ରକାଶ କରିଛନ୍ତି। ଲକଡାଉନରେ ଫସି ରହିବା ପରେ ସେମାନେଜ ଏକ ଅସ୍ଥାୟୀ କୁଡିଆ ନିର୍ମାଣ କରି ଗ୍ରାମରେ ରହିଥିଲେ। ଚଳିବା ପାଇଁ କିଛି ବ୍ୟବସାୟକୁ ଆପଣାଇଥିଲେ ମଧ୍ୟ ଉପାନ୍ତ ଅଞ୍ଚଳ ହୋଇଥିବାରୁ ବ୍ୟବସାୟ ମଧ୍ୟ ଭଲ ହୋଇ ନଥିଲା। ଶେଷରେ ଗ୍ରାମବାସୀଙ୍କ ସହଯୋଗରେ ସେମାନେ ଚାଉଳ ଓ ପନିପରିବା ନେଇ ରୋଷେଇ କରି ଦୀର୍ଘଦିନ ଧରି ସେଠାୀରେ ରହିଥିବା ଗ୍ରାମର ଜଗନ୍ନାଥ ଗୌଡ ପ୍ରକାଶ କରିଛନ୍ତି।

ଲକଡାଉନ୍ କୋହଳ ହେବାପରେ ଯାନା ବାହାନ ଚଳାଚଳ ହେବା ପରେ ଗ୍ରାମରେ ଫସି ରହିଥିବା ମେଳା ସଂସ୍ଥାର କର୍ମଚାରୀମାନେ ପଳାଇଥିବା ବେଳେ ମେଳାରେ ବ୍ୟବହାର ହୋଇଥିବା ଉପକରଣଗୁଡ଼ିକୁ ଛାଡି ଯାଇଛନ୍ତି। ଯାହା ଫଳରେ ଦୀର୍ଘ ୮ ମାସ ହେବ ସେହି ଉପକରଣଗୁଡ଼ିକ ସେଠାରେ ପଡି ରହି ଲତା ବୁଦା ମାଡି ଗଲାଣି। ଲକଡାଉନ ପରଠାରୁ ମେଳା ସଂସ୍ଥାର ରୋଜଗାର ସଂପୂର୍ଣ୍ଣ ଠପ ହୋଇଯାଇଥିବାରୁ ଅର୍ଥ ଅଭାବରୁ ଏହି ଉପକରଣଗୁଡିକୁ ନେବାରେ ସେମାନେ ସମର୍ଥ ହୋଇପାରୁ ନାହାନ୍ତ ବୋଥଲି ଗ୍ରାମର ମନୋଜ କୁମାର ମହାରଣା କହିଛନ୍ତି।

କେବେ ଯାନିଯାତ୍ରା ପୁଣି ହେବ ଏଭଳି ସଂସ୍ଥା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜୀବିକା ନିର୍ବାହ କରୁଥିବା କର୍ମଚାରୀମାନଙ୍କ ସ୍ଥିତି ସ୍ବାଭାବିକ ହେବ ସେହି ସମୟକୁ ସମସ୍ତେି ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର