ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକ୍ ଅନ୍ତର୍ଗତ ମାଧାପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ଶିଶୁର ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରୁ ଭଙ୍ଗା ଇଂଜେକସନ୍ ଛୁଞ୍ଚି ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏକମାସ ପୂର୍ବେ ଜଣେ ନର୍ସ ଉକ୍ତ ଶିଶୁକୁ ଇନ୍ଜେକ୍ସନ୍ ଦେଉଥିବା ବେଳେ ଶିଶୁର ଶରୀରରେ ଏହି ଛୁଞ୍ଚି ଭାଙ୍ଗି ରହି ଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ମୋହନଖଲି ଗ୍ରାମରେ ସୀତାକାନ୍ତା ପଣ୍ଡାଙ୍କ ପୁତ୍ର ସ୍ୱୟଂଜିତ୍ ପଣ୍ଡା (୩)ଙ୍କୁ ଜ୍ୱର ହୋଇଥିଲା। ତେଣୁ ଚିକିତ୍ସା ପାଇଁ ତାକୁ ଏକମାସ ପୂର୍ବେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡିୟୁଟିରେ ଥିବା ଜଣେ ନର୍ସ ଶିଶୁକୁ ଇନ୍ଜେକ୍ସନ୍ ଦେଇଥିଲେ। ଏହି ସମୟରେ ଇନ୍ଜେକ୍ସନ୍ର ଛୁଞ୍ଚି ଭାଙ୍ଗି ଯାଇଥିଲ। ଭଙ୍ଗା ଛୁଞ୍ଚିଟି ଶିଶୁଟି ଶରୀରରେ ହିଁ ରହି ଯାଇଥିଲା ବୋଲି ଶିଶୁର ପିତା ସୀତାକାନ୍ତ ଅଭିଯୋଗ କରିଛନ୍ତି। ଏହାପରେ ଶିଶୁଟିର ବାରମ୍ବାର ଯନ୍ତ୍ରଣା ହୋଇଥିଲା। ଫଳରେ ତାକୁ ପୁଣି ଥରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। । ଏହାପରେ ଡାକ୍ତରମାନେ ଶିଶୁଟିର ଚିକିତ୍ସା ଆରମ୍ଭ କରିଥିଲେ।
ଡାକ୍ତରଙ୍କ ଏକ ଟିମ୍ ଆଜି ଏହି ଭଙ୍ଗା ଛୁଞ୍ଚିକୁ ଶିଶୁର ଶରୀରର ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରୁ ବାହର କରି ଦେଇଛନ୍ତି। ଆଗାମୀ ଯାଞ୍ଚ ପାଇଁ ଶିଶୁକୁ ଅନୁଗୁଳ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଛି।