ଆଦିବାସୀଙ୍କୁ ଶୋଷୁଛନ୍ତି ଦଲାଲ, ଆନ୍ଧ୍ରକୁ ଲଘୁବନଜାତ ସାମଗ୍ରୀ ଚାଲାଣ

ସରକାରୀ ବଜାର ସୁିବଧା ନାହିଁ

ଜୟପୁର: ଲଘୁବନଜାତ ସାମଗ୍ରୀ ବିକ୍ରୀ ବଟା ପାଇଁ ନାହିଁ ସରକାରୀ ବଜାର। ରାଜ୍ୟ ସରକାର ପଂଚାୟତ ଜରିଆରେ ବନ୍ୟଜାତ ଦ୍ରବ୍ୟ ତେନ୍ତୁଳି, ମହୁଲ, ଟୋଲ, ଶାଳମଂଜି, ହରିଡ଼ା, ବାହାଡ଼ା, ଲାଖ, ମହୁ , ଫୁଲଝାଡ଼ୁ ଓଅଂଳା ଆଦି କିଣିବା ପାଇଁ ଲାଇସେନସ୍ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଏହା ଏବେ ପର୍ଯ୍ୟନ୍ତ ବି କାର୍ଯ୍ୟକାରୀ ହୋଇ ପାରିନାହିଁ। ସେଭଳି ଜିଲ୍ଲାସ୍ତରରେ ବି କୌଣସି ଅନୁଷ୍ଠାନ କିମ୍ବା ବ୍ୟବସାୟୀ ଏସବୁ କିଣିବା ପାଇଁ ଲାଇସେନସ୍  ନେଇ  ନଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ନିଜ ଜୀବନକୁ ବାଜିରେ ଲଗାଇ ଜଙ୍ଗଲରୁ ବହୁ ସମୟରେ ଏସବୁ ବନ୍ୟଜାତ ସଂଗ୍ରହ କରି ଆସୁଥିବା ବନବାସୀ ପ୍ରକୃତ ବଜାର ଠାରୁ ପ୍ରାୟ ବହୁ କମ୍ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳିକି ଏସବୁ ବନ୍ୟଜାତ ସାମଗ୍ରୀକୁ କିଛି ନିର୍ଦ୍ଧିଷ୍ଟ ବ୍ୟବସାୟୀ, ଦଲାଲ ମାନେ କିଣି ସ୍ଥାନୀୟ ବଜାରରେ ବିକ୍ରୀ କରିବା ବଦଳରେ ଏସବୁକୁ ପଡୋଶୀ ରାଜ୍ୟ ଗୁଡିକରେ ବିକ୍ରୀ କରୁଛନ୍ତି।  ଜୟପୁର ବ୍ଲକ‌ର ଗୋଟିଏ ବି ପଂଚାୟତରେ ଏସବୁ କିଣିବା ପାଇଁ ଜଣେ ବି ସ୍ଥାନୀୟ ଲୋକ ଲାଇସେନସ୍ ନେଇ ନଥିବା ବହୁ ସରପଂଚ, ପିଇଓ ମାନେ କହିଛନ୍ତି।

ଏସବୁ ସଂଗ୍ରହକରୁଥିବା ଲୋକେ ଏସବୁ ବନ୍ୟଜାତ ଦ୍ରବ୍ୟ ଗୁଡିକ ଦୀର୍ଘ ଦିନ ଧରି ସାଇତି ରଖିବା ପାଇଁ ଘରେ ସ୍ଥାନ ଅଭାବ ଓଉପାୟ ଜାଣି ନଥିବା, ଏବଂ ପାରିବାରିକ ଆର୍ଥିକ ଅଭାବି ଯୋଗୁଁ କମ୍ ଦରରେ ବିକ୍ରୀ କରୁଛନ୍ତି। ଏବେ ବି ଗ୍ରାମାଂଚଳ, ସାପ୍ତାହିକ ହାଟ, ଗାଁ ଦୋକାନ ଗୁଡିକରେ ଚାଳି ଆସିଥିବା ପୂର୍ବପ୍ରଚଳିତ (ବାର୍ଟର) ପଦ୍ଧତିରେ ଏସବୁ ବନ୍ୟଜାତ ସାମଗ୍ରୀ ଦେଇ ଘରକରଣା ପାଇଁ ସଉଦା ଓ ଅନ୍ୟ ସାମଗ୍ରୀ ଏବଂ ବେଳେ ବେଳେ ଟଙ୍କା ମାଗି ଆଣୁଛନ୍ତି। ସଂପ୍ରତି ଦଲାଲ, ମଧ୍ୟସ୍ଥି ଓବ୍ୟବସାୟୀ ମାନେ ଗାଁକୁ ଗାଁ ବୁଲି  ଏଠାରେ ଉତ୍ପାଦିତ ତେନ୍ତୁଳିକୁ ଗଛରେ ଥିବା ସମୟରେ ହିଁ କିଣି ନେଉଥିବା ଦେଖିବାକୁ ମିଳିଛି। ଆଉ କିଛି ଲୋକେ ଏହାକୁ ସଂଗ୍ରହ କରି ଦେଉଥିଲେ  ହେଁ କିଲୋ ପ୍ରତି ୪ଟଙ୍କାର ୮ଟଙ୍କା ମଧ୍ୟରେ କିଣୁଛନ୍ତି। ମଂଜି ଛଡ଼ାଇ ଆଣି ୧୦ରୁ ୧୨ଟଙ୍କା ଦେଉଛନ୍ତି। ଅପରପକ୍ଷରେ ଏମାନେ କିଲୋପ୍ରତି ତେନ୍ତୁଳି ୮୦ରୁ ୧୦୦ଟଙ୍କାରେ ବିକ୍ରୀ କରୁଛନ୍ତି। ସରକାର ତେନ୍ତୁଳିପାଇଁ ୨୬ଟଙ୍କା ବିକ୍ରୀ ମୂଲ୍ୟ ରଖିଥିଲେ ହେଁ ଟିଡିସିସି ପକ୍ଷରୁ କୌଣସି ବିଞପ୍ତି ପ୍ରକାଶ ପାଇ ନି କି ଏ ନେଇପ୍ରଚାର ଓପ୍ରସାର ବି କରାଯାଉନି। ତେବେ ଅଧିକାଂଶ ତେନ୍ତୁଳି ଆନ୍ଧ୍ରପ୍ରଦେଶ, ତେଲେଙ୍ଗନା ଓ ଛତିଶଗଡର ରାୟପୁରକୁ ଚାଳାଣ କରୁଛନ୍ତି। ସେଭଳି ଅନ୍ୟ ବନ୍ୟଜାତ ସାମଗ୍ରୀ ବି ବାହାର ରାଜ୍ୟକୁ ଚାଳାଣ ହେଉଥିବାରୁ ବହୁ ବୈଦ୍ୟ ଓ ଚେରମୁଳି ଓ ଔଷଧ ବିକ୍ରୀ କରୁଥିବା ଦୋକାନୀ ଏଠାରେ ଏଠକାର ବନ୍ୟଜାତ ଦ୍ରବ୍ୟ ପାଉନଥିବା କହିଛନ୍ତି। ୩୦ପ୍ରତିଶତ ଗ୍ରାମବାସୀ ଜିଲ୍ଲାରେ ଥିବା ଜଙ୍ଗଲ ଉପରେ ନିର୍ଭର ବିପଦସଂକୁଳ ସ୍ଥିତରେ ସଂଗ୍ରହ କରୁଥିଲେ ହେଁ ଉପଯୁକ୍ତ ପ୍ରାପ୍ୟ ମିଳୁନଥିବାରୁ ସରକାର ଇ-ମ‌ାର୍କେଟିଂର ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର